ରାଜସ୍ଥାନରେ ୧୫ ଦିନିଆ ଲକଡାଉନ୍

0 211

ଜୟପୁର, ୧୯ ।୪: ମହାରାଷ୍ଟ୍ର ପରେ ରାଜସ୍ଥାନରେ ଆଜିଠାରୁ ଆରମ୍ଭ ହୋଇଛି ୧୫ ଦିନିଆ ଲକଡାଉନ । ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜସ୍ଥାନ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଆଜିଠାରୁ ଆରମ୍ଭ ହୋଇଥିବା ଲକଡାଉନ ମେ’ ୩ ଯାଏ ବଳବତ୍ତର ରହିବ । ଲକଡାଉନରୁ ଜରୁରୀ ସେବାକୁ ବାଦ ଦିଆଯାଇଛି । ହେଲେ ରାଜ୍ୟରେ ଥିବା ପେଟ୍ରୋଲ ପମ୍ପଗୁଡ଼ିକ ରାତି ୮ଟା ସୁଦ୍ଧା ବନ୍ଦ ହେବ । ରବିବାର ବିଳମ୍ବିତ ରାତିରେ ରାଜସ୍ଥାନ ଗୃହ ବିଭାଗ ଏ ସଂକ୍ରାନ୍ତରେ ବିସ୍ତୃତ ଗାଇଡଲାଇନ ଜାରି କରିଛି । ଜରୁରୀ ସେବାରେ ନିୟୋଜିତ ଥିବା ଅଫିସକୁ ଛାଡ଼ି ଆଉ ସବୁ ଅଫିସ ବନ୍ଦ ରହିବ । ଗ୍ରୋସରୀ, ଫଳ ଓ ଦୁଗ୍ଧ ଜାତୀୟ ଖାଦ୍ୟ ସହ ଜଡ଼ିତ ଦୋକାନ ଗୁଡ଼ିକ ସନ୍ଧ୍ୟା ୫ଟା ଯାଏ ଖୋଲା ରହିବ । ପନିପରିବା ବିକ୍ରି କରୁଥିବା ଭେଣ୍ଡରମାନେ ସନ୍ଧ୍ୟା ୭ଟା ଯାଏ ବେପାର କରିପାରିବେ । ସେହିପରି ପେଟ୍ରୋଲ ପମ୍ପ ରାତି ୮ ପର୍ଯ୍ୟନ୍ତ ଖୋଲା ରହିପାରିବ । ସାଧାରଣ ପରିବହନ, ଫ୍ୟାକ୍ଟ୍ରୀ ଓ ଉତ୍ପାଦନ ଶିଳ୍ପ ରାଜ୍ୟରେ ପୂର୍ବବତ ଚାଲୁ ରହିବ । ମନେରଗା କାମ ମଧ୍ୟ ଲକଡାଉନ ବେଳେ ଜାରି ରହିବ । ଗାଇଡଲାଇନରେ ଆହୁରି କୁହାଯାଇଛି ଯେ ବଜାର, ମଲ୍, କମ୍ଲେକ୍ସ, ସିନେମା ହଲ ଓ ଧର୍ମାନୁଷ୍ଠାନ ଲକଡାଉନ ବେଳେ ଖୋଲିବ ନାହିଁ । ସମସ୍ତ ଶିକ୍ଷାନୁଷ୍ଠାନ, ଲାଇବ୍ରେରୀ, ସାମାଜିକ ଓ ରାଜନୀତିକ କାର୍ଯ୍ୟକ୍ରମ ଉପରେ ବ୍ୟାନ୍ ଲଗାଯାଇଛି । ସମସ୍ତ ବ୍ୟବସାୟିକ ଅଫିସ ମଧ୍ୟ ବନ୍ଦ ରହିବ । ରେଳ, ବସ୍ କିମ୍ବା ବିମାନ ବନ୍ଦର ଯାଉଥିବା ଲୋକମାନେ ସେମାନଙ୍କ ବୈଧ ଟିକେଟ ଦେଖାଇ ଯିବା ଆସିବା କରିପାରିବେ । ବାହାର ରାଜ୍ୟରୁ ରାଜସ୍ଥାନ ଆସିବାକୁ ଥିବା ଲୋକମାନେ ୭୨ ଘଣ୍ଟା ପୂର୍ବରୁ ନିଜର ଆରଟି-ପିସିଆର ଟେଷ୍ଟ ରିପୋର୍ଟ ଦେଖାଇବେ । ବାହାଘର କାର୍ଯ୍ୟକ୍ରମରେ ୫୦ ଜଣ ଓ ଶୁଦ୍ଧିକ୍ରିୟାରେ ସର୍ବାଧିକ ୨୦ ଜଣ ସାମିଲ ହୋଇପାରିବେ । ଲକଡାଉନ ବେଳେ ଟିକାକରଣ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଗାଇଡଲାଇନରେ କୁହାଯାଇଛି ।

Leave A Reply

Your email address will not be published.