ବିଏଲଓଙ୍କ ସହିତ ଏସଆଇଆର ସମ୍ବନ୍ଧୀୟ ସମୀକ୍ଷା କଲେ ଉପଜିଲ୍ଲାପାଳ

Oplus_16908288
0 1

ଆନନ୍ଦପୁର:- ଘସିପୁରା ବ୍ଲକ ଦେଓଗାଁ ପଞ୍ଚାୟତରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ପୁନରୀକ୍ଷଣ (SIR) କାର୍ଯ୍ୟକ୍ରମକୁ ନେଇ ଆନନ୍ଦପୁର ଉପଜିଲ୍ଲାପାଳ ନୀଳମାଧବ ସୁନା ହଠାତ୍ ଗସ୍ତ କରି ସମୀକ୍ଷା କରିଛନ୍ତି। ଦେଓଗାଁସ୍ଥିତ ଜଣେ ଘରେ ପହଞ୍ଚି ସେ ସମ୍ପୃକ୍ତ ବୁଥ୍ ଲେଭେଲ୍ ଅଫିସର ସୁକାନ୍ତି ଚକ୍ରଙ୍କ ସହିତ ଏସଆଇଆର କାର୍ଯ୍ୟର ଅଗ୍ରଗତି, ଭୋଟରଙ୍କ ତଥ୍ୟ ସଂଗ୍ରହ ଏବଂ ଘରକୁ ଘର ଯାଇ ଯାଞ୍ଚ ପ୍ରକ୍ରିୟା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ଉପଜିଲ୍ଲାପାଳ ଶ୍ରୀ ସୁନା ବିଏଲଓଙ୍କ କାର୍ଯ୍ୟଶୈଳୀ ଏବଂ କ୍ଷେତ୍ରସ୍ତରରେ ଚାଲିଥିବା କାର୍ଯ୍ୟକଳାପ ସମ୍ପର୍କରେ ତଥ୍ୟ ନେଇଥିଲେ। ଭୋଟର ତାଲିକାରେ ନୂତନ ଭୋଟରଙ୍କ ନାମ ସଂଯୋଜନ, ମୃତ ଓ ସ୍ଥାନାନ୍ତରିତ ଭୋଟରଙ୍କ ନାମ ବିଲୋପ, ତଥ୍ୟ ସଂଶୋଧନ ଏବଂ ଯୋଗ୍ୟ ନାଗରିକମାନଙ୍କୁ ଭୋଟର ତାଲିକାରେ ସାମିଲ କରିବା ଦିଗରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ସେ କହିଥିଲେ ଯେ, ନିର୍ଭୁଲ ଓ ସ୍ୱଚ୍ଛ ଭୋଟର ତାଲିକା ଗଣତନ୍ତ୍ରର ମୂଳ ଆଧାର। ତେଣୁ ପ୍ରତ୍ୟେକ ବିଏଲଓ ନିଜ ଦାୟିତ୍ୱକୁ ନିଷ୍ଠାର ସହ ପାଳନ କରିବା ସହିତ ଘରକୁ ଘର ଯାଇ ସଠିକ୍ ତଥ୍ୟ ସଂଗ୍ରହ କରିବା ଆବଶ୍ୟକ। କୌଣସି ଯୋଗ୍ୟ ଭୋଟର ଯେପରି ତାଲିକାରୁ ବାଦ ପଡ଼ି ନଯାଆନ୍ତି ଏବଂ ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ତାଲିକାରେ ରହି ନଯାଏ, ସେଥିପାଇଁ ସତର୍କତାର ସହ କାର୍ଯ୍ୟ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଉପଜିଲ୍ଲାପାଳଙ୍କ ଏହି ଅଚାନକ ଗସ୍ତ ଓ ସମୀକ୍ଷା ଫଳରେ ବିଏଲଓ ମାନଙ୍କ ମଧ୍ୟରେ ଅଧିକ ଦାୟିତ୍ୱବୋଧ ସୃଷ୍ଟି ହୋଇଥିବାବେଳେ ଏସଆଇଆର କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ ଓ ସୁଚାରୁ ଭାବେ ସମ୍ପନ୍ନ କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି।

Leave A Reply

Your email address will not be published.