ଭଦ୍ରେଶ୍ଵର ଥାନା ଅଞ୍ଚଳ ଏବେ ମାଟି ମାଫିଆଙ୍କ ଭୁସ୍ୱର୍ଗ ପାଲଟିଛି।

ଖବର ସଂଗ୍ରହ କଲେ ସାମ୍ବାଦିକଙ୍କୁ ଟାର୍ଗେଟ କରୁଛି ମାଟି ମାଫିଆ। ଅଭିଯୋଗ ପରେବି ଥାନା ପକ୍ଷରୁ ହେଉନି କାର୍ଯ୍ୟାନୁଷ୍ଠାନ

କୁଆଁପାଳ : କଟକ ଜିଲ୍ଲା ଭଦ୍ରେଶ୍ୱର ଥାନା ଅଞ୍ଚଳରେ ଜୈନିକ ମାଟି ମାଫିଆର ଦୌରାତ୍ମ୍ୟ ଦିନକୁ ଦିନ ବଢିବାରେ ଲାଗିଛି। ଏପରିକି ମାଟି ମାଫିଆଙ୍କ ଭୁସ୍ୱର୍ଗ ପାଲଟିଛି ଏବେ ଭଦ୍ରେଶ୍ଵର ଥାନା ଅଞ୍ଚଳ। ସ୍ଥାନିୟ ଗଣ ମାଧ୍ୟମ ପ୍ରତିନିଧି ମାନେ ଖବର ସଂଗ୍ରହ ପାଇଁ ଗଲେ ଏହି ମାଟି ମାଫିଆ ଜଣଙ୍କ କେତେବେଳେ ସାମ୍ବାଦିକଙ୍କୁ ମରଣାତ୍ମକ ଆକ୍ରମଣ କରୁଛି ତ ଆଉ କେତେବେଳେ ସାମ୍ବାଦିକଙ୍କୁ ଜୀବନରୁ ମାରି ରାସ୍ତାରୁ ହଟାଇ ଦେବା ପାଇଁ ଯୋଜନା ପ୍ରସ୍ତୁତ କରୁଛି। ତେବେ ଏହି ମାଟି ମାଫିଆର ଏପରି ଏକ ଭୟାନକ ଯୋଜନା ପ୍ରସ୍ତୁତ କରିବାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି। ଯେଉଁ ଭିଡ଼ିଓରେ ମାଟି ମାଫିଆ ଜଣଙ୍କ ସାମ୍ବାଦିକଙ୍କ ନାଁ ନେଇ ସ୍ପଷ୍ଟ ଭାବେ କହିଛି କେତେବେଳେ କେଉଁ ମୁହୂର୍ତ୍ତରେ କଟିଯିବ ତାହା କହିହେବ ନାହିଁ। ଯେଉଁ ଭିଡିଓ ମାହାଙ୍ଗା ପ୍ରେସ କ୍ଲବ୍ କାର୍ଯ୍ୟକାରି ସଭାପତି ଲକ୍ଷ୍ମୀଧର ଖୁଣ୍ଟିଆଙ୍କ ପାଇବା ପରେ ଶ୍ରୀ ଖୁଣ୍ଟିଆ ଏହା ବାବଦରେ କଟକ ଗ୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକ ଭିନୀତ ଅଗ୍ରୱାଲଙ୍କୁ ଅବଗତ କରାଇଛନ୍ତି।

ସୂଚନା ମୁତାବକ ଭଦ୍ରେଶ୍ୱର ଥାନା ଅଞ୍ଚଳରେ ମଦନ ମୋହନ ଶତପଥୀ (ଟୁଲନ) ନାମକ ଜଣେ ମାଟି ମାଫିଆ ବେଆଇନ ଭାବେ ଜେସିବିରେ ମାଟି ତାଡ଼ି ଟ୍ରାକ୍ଟରରେ ଲୋଡ୍ କରି ଅହରହ ଦୈନଦିନ ବିକ୍ରି କରୁଛି। କିଛିମାସ ତଳେ ସ୍ଥାନୀୟ ସାମ୍ବାଦିକ ବସନ୍ତ କୁମାର ସାମଲ ଖବର ସଂଗ୍ରହ କରିବାକୁ ଯାଇ ଘଟଣା ସ୍ଥଳରେ ପହଞ୍ଚିବାରୁ ମଦନ ମୋହନ ସାମ୍ବାଦିକ ଶ୍ରୀ ସାମଲଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ। ଯାହାକୁ ନେଇ ବସନ୍ତ ସାମଲଙ୍କ ପକ୍ଷରୁ ଭଦ୍ରେଶ୍ଵର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ତେବେ ଘଟଣାକୁ ନେଇ ପୋଲିସର ଢିଲା କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଥିଲା। ଯାହା ଫଳରେ ଥାନାରୁ ସହଜରେ ଖସି ଯାଇଥିଲା ମାଟି ମାଫିଆ ମଦନ ମୋହନ। ପରବର୍ତ୍ତୀ ସମୟରେ ଏକ ମାଟି ଉଠାଣକୁ ନେଇ ମଦନକୁ ପୋଲିସ ଥାନାରେ ଅଟକ ରଖିଥିଲେ ମଧ୍ୟ ପୁନର୍ବାର ପୋଲିସର ଢିଲା କାର୍ଯ୍ୟାନୁଷ୍ଠାନ ପାଇଁ ସହଜରେ ଖସିଯାଇଥିଲା ମଦନ।

ତେବେ ମାଟି ମାଫିଆ ମଦନଙ୍କ ବିରୁଦ୍ଧରେ ସାମ୍ବାଦିକଙ୍କ ପକ୍ଷରୁ ବାରମ୍ବାର ଖବର ପ୍ରସାରଣ ଓ ପୋଲିସର ଚଢ଼ାଉକୁ ନେଇ ଅତିଷ୍ଟ ହୋଇ ପଡ଼ିଛି ମଦନ। ଯାହାକୁ ନେଇ ସବୁଦିନ ପାଇଁ ସାମ୍ବାଦିକଙ୍କୁ ରାସ୍ତାରୁ ହଟାଇବା ପାଇଁ କରିଛି ଯୋଜନା। ଯେଉଁ ଯୋଜନାର ଭିଡ଼ିଓ ଜଣେ ସାମ୍ବାଦିକଙ୍କ ଦ୍ୱାରା ଉତ୍ତୋଳନ କରାଯାଇଛି। ଏହି ଭିଡ଼ିଓରେ ସ୍ଥାନୀୟ ସାମ୍ବାଦିକ ଅଶୋକ ପ୍ରହରାଜ(ହଗୁରା ନାଙ୍କୁ)ମଦନ ମୋହନ ଜୀବନରୁ ମାରିଦେବାକୁ କହୁଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ସାମ୍ବାଦିକ ଅଶୋକ ପ୍ରହରାଜ ଭଦ୍ରେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଦେଖିବାକୁ ବାକି ରହିଲା ମାଟି ମାଫିଆ ମଦନ ମୋହନଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗକୁ ନେଇ ପୋଲିସ ପକ୍ଷରୁ କିପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ନାଁ ପୋଲିସର ଢିଲା କାର୍ଯ୍ୟାନୁଷ୍ଠାନ ପାଇଁ ପୁନର୍ବାର ସହଜରେ ମୁକୁଳି ଯାଉଛି ମାଟି ମାଫିଆ ମଦନ ମୋହନ ।

#crimestory #bhadreswarpolicestation #Kuanpal #cuttack #odisha #dumanikhabar
Comments (0)
Add Comment