-ବାକି ଥିଲା ମାତ୍ର ୭ ମିନିଟ୍ର ଉଡ଼ାଣ
-ମିଳିଲା ବ୍ଲାକ୍ ବକ୍ସ ଓ କକ୍ପିଟ୍ ଭଏସ୍ ରେକର୍ଡର
ନୂଆଦିଲ୍ଲୀ : କେମିତି ଦୁର୍ଘଟଣାର ଶିକାର ହେଲା ଏମ୍ଆଇ-୧୭ଭି-୫ ହେଲିକପ୍ଟର ? କ୍ରାଶର କାରଣ କ’ଣ ? ଗ୍ରାଉଣ୍ଡରେ ପହଞ୍ଚିବ ତଦନ୍ତକାରୀ ଟିମ୍ ଆରମ୍ଭ କରି ଖୋଳତାଡ଼ । ଜବତ ହୋଇଛି ଦୁର୍ଘଟଣା ଗ୍ରସ୍ତ ହେଲିକପ୍ଟରର ବ୍ଲାକ୍ ବକ୍ସ ଓ କଟ୍ପିସ୍ ଭଏସ ରେକର୍ଡର । ଏହା ଜରିଆରେ ଜଣାପଡ଼ିବ କେମିତି ଦୁର୍ଘଟଣାର ଶିକାର ହେଲା ହେଲିକପ୍ଟର । ଆଜି ଘଟଣାସ୍ଥଳକୁ ଯାଇଥିଲେ ବାୟୁସେନା ମୁଖ୍ୟ ଏୟାରଚିଫ୍ ମାର୍ଶଲ ଭି.ଆର.ଚୌଧୁରୀ । ଏୟାର ମାର୍ଶଲ ମନବେନ୍ଦ୍ର ସିଂଙ୍କ ନେତୃତ୍ୱରେ ଏହାର ତଦନ୍ତ କରାଯାଉଛି ବୋଲି ଆଜି ଲୋକସଭାରେ ସୂଚନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସେ କହିଛନ୍ତି ଲ୍ୟାଣ୍ଡିଂର ୭ ମିନିଟ୍ ପୂର୍ବରୁ ସିଡିଏସ୍ ରାୱତଙ୍କ ହେଲିକପ୍ଟର ଖସି ପଡ଼ିଥିଲା । ଗତକାଲି ସୁଲୁର ଏୟାରବେଶ୍ରୁ ୧୧.୩୯ରେ ଉଡ଼ାଣ ଭରିଥିଲା ଏମ୍ଆଇ-୧୭ ଭି-୫ ହେଲିକପ୍ଟର । ୧୨.୧୫ରେ ୱେଲିଙ୍ଗଟନ୍ରେ ଲ୍ୟାଣ୍ଡିଂ କରିବାର ଥିଲା । କିନ୍ତୁ ୧୨.୦୮ରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ସହ ହେଲିକପ୍ଟରର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଏଥିସହିତ ଗ୍ରୁପ୍ କ୍ୟାପଟେନ୍ ବରୁଣ ସିଂଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ଥିବାରୁ ତାଙ୍କୁ ଲାଇଫ୍ ସପୋର୍ଟରେ ରଖାଯାଇଛି । ଅଧିକ ଚିକିତ୍ସା ପାଇଁ ତାଙ୍କୁ ବେଙ୍ଗାଲୁରୁ ସ୍ଥିତ ଆର୍ମି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ହେଲିକପ୍ଟର କ୍ରାଶରେ ମୃତ ସିଡିଏସ୍ ବିପିନ୍ ରାୱତଙ୍କ ସମେତ ୧୩ଜଣଙ୍କ ପାର୍ଥିବ ଶରୀରକୁ ସୁଲୁରୁରୁ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଅଣାଯାଇଛି । ପାଲମ ଏୟାରବେସ୍ରେ ପ୍ରଥମେ ଶ୍ରଦ୍ଧାଞ୍ଜଳି ଜଣାଇଲେ ସିଡିଏସ୍ ରାୱତଙ୍କ ଦୁଇ ଝିଅ । ଏହାପରେ ବୀରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଏନ୍ଏସ୍ଏ ଅଜିତ ଡୋଭାଲ, ୩ ସେନାର ବାୟୁମୁଖଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ । ସମ୍ପୂର୍ଣ୍ଣ ସାମରିକ ସମ୍ମାନ ସହ ସେମାନଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ।
ସହିଦଙ୍କ ମଧ୍ୟରେ ଜଣେ ଓଡ଼ିଆ :
କନ୍ନୁର/ତାଳଚେର : ତାମିଲନାଡୁରେ ସେନା ହେଲିକପ୍ଟର କ୍ରାସ୍ ଘଟଣାରେ ସିଡିଏସ୍ ଜେନେରାଲ୍ ବିପିନ୍ ରାୱତଙ୍କ ସହ ୧୩ଜଣଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ଭିତରେ ଅଛନ୍ତି ଜଣେ ଓଡ଼ିଆ ଯବାନ । ସହିଦ ଯବାନ ହେଉଛନ୍ତି ଅନୁଗୁଳ ତାଳଚେରର ରାଣା ପ୍ରତାପ ଦାସ । ସୂଚନା ଅନୁସାରେ ସେ ବାୟୁସେନାର ଜୁନିୟର ୱାରେଣ୍ଟ ଅଫିସର ଭାବେ କାର୍ଯ୍ୟରତ ଥିଲେ । ତାଙ୍କ ବିୟୋଗରେ ପରିବାର ଓ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଗତକାଲି କନ୍ନୁରରେ ବାୟୁ ସେନାର ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ବିପିନ ରାୱତଙ୍କ ପରଲୋକ ହୋଇଥିଲା । ଗତକାଲି ମଧ୍ୟାହ୍ନରେ ସିଡିଏସ୍ ବିପିନ ରାୱତ, ତାଙ୍କ ପତ୍ନୀଙ୍କ ସମେତ ୯ଜଣ ସଦସ୍ୟ ଓ ୪ଜଣ କ୍ରିଉ ମେମ୍ବର ୱେଲିଙ୍ଗନ୍ ଯାଉଥିବା ବେଳେ ହେଲିକପ୍ଟରଟି କ୍ରାସ୍ ହୋଇଯାଇଥିଲା । ୧୪ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ବାୟୁସେନା ଟ୍ୱିଟ୍ କରି ସୂଚନା ଦେଇଥିଲା । ତେବେ ଏହି ହେଲିକପ୍ଟରରେ ଚିଫ୍ ଡିଫେନ୍ସ ଷ୍ଟାଫ ବିପିନ୍ ରାୱତଙ୍କ ସହ ତାଙ୍କ ପତ୍ନୀ ମଧୁଲିକା ରାୱତ, ବ୍ରିଗେଡିଅର ଏଲଏସ ଲିଦର, ଲେଫ୍ଟନାଣ୍ଟ କର୍ଣ୍ଣେଲ ହରଜିନ୍ଦର ସିଂ, ନାୟକ ଗୁରୁସେବକ ସିଂହ, ନାୟକ ଜିତେନ୍ଦ୍ର କୁମାର, ଲାନ୍ସ ନାୟକ ବିବେକ କୁମାର, ଲାନ୍ସ ନାୟକ ବି. ସାଇତେଜା ଏବଂ ହାବିଲଦାର ସତପାଲ ଥିଲେ । ଏମାନଙ୍କ ବ୍ୟତୀତ ଦୁଇଜଣ ପାଇଲଟ ଏବଂ ହେଲିକପ୍ଟରର ଟେକ୍ନିକାଲ ଷ୍ଟାଫ୍ ଉପସ୍ଥିତ ଥିଲେ ।