ହୀରାକୁଦ ଜଳଭଣ୍ଡାର ପାର୍ଶ୍ୱରେ ହେବ ପର୍ଯ୍ୟଟନର ବିକାଶ

ସମ୍ବଲପୁର, : ଏସିଆର ଦୀର୍ଘତମ ନଦୀବନ୍ଧ ହୀରାକୁଦ ପ୍ରକୃତିର ଅପରୂପା ସୌନ୍ଦର୍ଯ୍ୟରେ ଭରପୁର ଅଟେ । ଶୀତ ରତୁରେ ବିଦେଶୀ ପକ୍ଷୀଙ୍କ ଆଗମନ, ମାଛ ଧରାଳୀଙ୍କ ଦୃଶ୍ୟ, ନେହେରୁ ଓ ଗାନ୍ଧୀ ମୀନାର ସହ ଜବାହାର ଉଦ୍ୟାନ ରହିଛି । ବନ୍ୟା ଜଳ ନିଷ୍କାସନ ବେଳେ ରୋପୱେରେ ଯାତ୍ରାକଲେ ମନରେ ରୋମାଞ୍ଚକ ସୃଷ୍ଟି ହୋଇଥାଏ । ଯାହାକି ଦେଶ ତଥା ବିଦେଶୀ ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିଥାଏ । ତେବେ ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ପରିକଳ୍ପନା କରାଯାଇଛି । ଏଥିପାଇଁ ମାଷ୍ଟର ପ୍ଲାନ ଓ ନକ୍ସା ପ୍ରସ୍ତୁତି ଆରମ୍ଭ ହୋଇଛି । ହୀରାକୁଦ ଜଳଭଣ୍ଡାର ଉଭୟ ପାଶ୍ୱର୍ରେ ଥିବା ୨୦୦୦ଏକର ଜମି ଚିହ୍ନଟ କରାଯାଇଛି । ଏହି ପ୍ରକଳ୍ପ ପାଇଁ ବାଙ୍ଗାଲୋର ଆଇଜେକ୍ ସଂସ୍ଥା ମାଷ୍ଟର ପ୍ଲାନ ତିଆରି କରୁଛି । ସଂସ୍ଥାର ଅଧିକାରୀମାନେ ସମ୍ବଲପୁର ଗସ୍ତ କରି ଏତିମଧ୍ୟରେ କାର୍ଯ୍ୟାରମ୍ଭ କରିଛନ୍ତି । ଏହି ପ୍ରକଳ୍ପ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୦୦କୋଟି ଟଙ୍କା ମଞ୍ଜୁର କରାଯାଇଛି । ପ୍ରସ୍ତାବିତ ପର୍ଯ୍ୟଟନର ଭିତ୍ତିଭୂମିର ବିକାଶ ପାଇଁ ପ୍ରାଥମିକ ରୂପରେଖ ଅନୁଯାୟୀ କ୍ରୁଜ, ବୋଟ୍‌ ହାଉସ୍‌, ୱେଟେଲ (ଭାସମାନ ହୋଟେଲ), ଜଳକ୍ରୀଡା, ଜଳଭଣ୍ଡାର ମଧ୍ୟରେ ଥିବା ଦ୍ୱୀପରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ଭି ନିର୍ମାଣ ସହ ଆବଶ୍ୟକ ସୌନ୍ଦର୍ଯ୍ୟକରଣ କରାଯିବ । ଏଠାରେ ସମଲେଶ୍ୱରୀ ମନ୍ଦିର ଭଳି ଲାଇଟ୍ ଓ ସାଉଣ୍ଡ ଶୋ ହେବ । ହୀରାକୁଦ ବନ୍ଧ ନିର୍ମାଣ ଓ ବିସ୍ଥାପିତଙ୍କ ତ୍ୟାଗର କାହାଣୀ ଆଦିପ୍ରଦର୍ଶିତ ହେବ ବୋଲି ଜଣାପଡିଛି । ଏଥିସହ ହୀରାକୁଦ ଗାଥାକୁ ନେଇ ଏକ ମ୍ୟୁଜିୟମ ସହ ଜଳଭଣ୍ଡାରରେ ରିଭରଫଣ୍ଟ ବିକଶିତ କରାଯିବ । ମାଷ୍ଟ୍ରରପ୍ଲାନ ପ୍ରସ୍ତୁତି ଓ ବିଭାଗର ସ୍ୱୀକୃତି ପରେ ଟେଣ୍ଡର ପ୍ରକିୟା ଆରମ୍ଭ ହେବ ବୋଲି ପର୍ଯ୍ୟଟନ ବିଭାଗ ଉପ ନିର୍ଦ୍ଦେଶକ ରବିନ୍ଦ୍ର କୁମାର ଦଳେଇ ସୂଚନା ଦେଇଛନ୍ତି । ସମ୍ବଲପୁର, ବରଗଡ ଓ ଝାରସୁଗୁଡା ଜିଲ୍ଲାକୁ ପରିବ୍ୟାପ୍ତ ଏହି ଜଳଭଣ୍ଡାରକୁ ଦେଶ ଓ ବିଦେଶର ପର୍ଯ୍ୟଟକମାନଙ୍କୁ ଅଧିକରୁ ଅଧିକ ଆକର୍ଷିତ କରିବା ପାଇଁ ବିଭିନ୍ନ ସମୟରେ ମତ ପ୍ରକାଶ ପାଇଆସୁଛି । ମାତ୍ର ଅପରୂପ ସୌନ୍ଦର୍ଯ୍ୟ ଓ ନୈସର୍ଗିକ ଶୋଭାରାଜି ପାଇଁ ପରିଚିତ ରାଜ୍ୟର ସର୍ବବୃହତ୍ୱ କୃତିମ ହୀରାକୁଦ ହ୍ରଦ ପର୍ଯ୍ୟଟନ ଆଧାରିତ ଭିତ୍ତିଭୂମିରେ ଆଶାନୁରୂପ ଫର୍ଦ୍ଦ ଯୋଡି ହୋଇପାରିନାହିଁ । ଏଭଳିସ୍ଥଳେ କେରଳ ଓ ଗୋଆ ଭଳି ପର୍ଯ୍ୟଟକମାନେ ବୋଟ୍ ହାଉସର
ମଜା ନେବେ । ଭାସମାନ ବୋଟରେ ପଞ୍ଚତାରକା ହୋଟେଲ ଭଳି ସୁବିଧା, କୋଠରୀ ଓ ସୁସ୍ୱାଦୁ ଖାଦ୍ୟ ମିଳିବ । ଏହା ମଧ୍ୟରେ ଜନ୍ମଦିନ ଆଦି ପାର୍ଟି କରାଯାଇପାରିବ । ତେବେ ମାଷ୍ଟର ପ୍ଲାନ ପ୍ରସ୍ତୁତ ପରେ ନିବେଶକମାନଙ୍କୁ ଡକାଯାଇ ଯୋଜନା ମୁତାବକ ପର୍ଯ୍ୟଟନର ବିକାଶ କରାଯିବ । ପୂର୍ବରୁ ଜଳଭଣ୍ଡାରର ଉପର ମୁଣ୍ଡ ଇବ୍ ନଦୀର କୂଳରେ ଥିବା ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମମାଟି ଖିଣ୍ଡାରେ ୬କୋଟି ଟଙ୍କା ବ୍ୟୟ ଅଟକଳରେ ପୁନରୁଦ୍ଧାର, ନବୀକରଣ ଓ ନିର୍ମାଣ କାମ ଆରମ୍ଭ ହୋଇଯାଇଛି । ଡ୍ୟାମ ନିକଟସ୍ଥ କର୍ଡୋଲାକୁ ହସ୍ତଶିଳ୍ପ କାରିଗର ଗ୍ରାମର ମାନ୍ୟତା ମିଳିଛି । ବୁଣାକାରଙ୍କ ଆର୍ଥିକ କ୍ଷେତ୍ରରେ ବିକାଶ ପାଇଁ ହସ୍ତଶିଳ୍ପ କେନ୍ଦ୍ର ନିର୍ମାଣ ପାଇଁ ସ୍ଥିର କରାଯାଇଛି । ଜିଲ୍ଲାର ଭୀମମଣ୍ଡଳୀ ଓ ଦେବଝରଣକୁ ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ମିଳିଛି । ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ଜଳଭଣ୍ଡାର ମଧ୍ୟରେ ଥିବା
୩ଟି ଦ୍ୱୀପକୁ ପର୍ଯ୍ୟଟକମାନଙ୍କ ପାଇଁ ବ୍ୟବସ୍ଥା ସହ ନୌବିହାର, ଡେବ୍ରିଗଡ ଅଭୟାରଣ୍ୟରେ ରାତ୍ରି ରହଣୀ ସୁବିଧା, ଜଙ୍ଗଲ ସଫାରୀ, ଟ୍ରେକିଂର ବ୍ୟବସ୍ଥା କରାଯାଇଛି । ଏଥିସହ ସମ୍ବଲପୁର ସହର, ମାଁ ସମଲେଶ୍ୱରୀ ଓ ଅନ୍ୟାନ୍ୟ ପୁରାତନ ମନ୍ଦିର ଏବଂ ସ୍ଥାପତ୍ୟ ମହାନଦୀ, ସମ୍ବଲପୁର ଚିଡିଆଖାନା, ହୁମାର ବକ୍ର ମନ୍ଦିର, ଚିପିଲିମାର ଘଣ୍ଟେଶ୍ୱରୀ ପୀଠକୁ ନେଇ ଏକ ପର୍ଯ୍ୟଟନ କରିଡର ନିର୍ମାଣ ପାଇଁ ଦାବି ହେଉଛି ।

Comments (0)
Add Comment