ସମ୍ବଲପୁର:-ଓଡ଼ିଶାର ଗ୍ରାମାଞ୍ଚଳର ବିକାଶର ମୂଳ ଆଧାର ହେଉଛି ଉନ୍ନତ ସଡ଼କ ଯୋଗାଯୋଗ। ଗ୍ରାମକୁ ସହର ସହିତ, କୃଷକଙ୍କୁ ବଜାର ସହିତ, ଛାତ୍ରଛାତ୍ରୀଙ୍କୁ ଶିକ୍ଷାନୁଷ୍ଠାନ ସହିତ ଏବଂ ରୋଗୀଙ୍କୁ ସ୍ୱାସ୍ଥ୍ୟସେବା ସହିତ ଯୋଡ଼ି ରଖୁଥିବା ଏହି ସଡ଼କ ବ୍ୟବସ୍ଥା ଯଦି ଭୁଶୁଡ଼ି ପଡ଼େ, ତେବେ ବିକାଶର ସମସ୍ତ ଦାବି ପ୍ରଶ୍ନବାଚୀ ସୃଷ୍ଟି କରେ। ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଗୌଡ଼ପାଲିରୁ କାଣିବନ୍ଧଲି ପର୍ଯ୍ୟନ୍ତ ୭.୭ କିଲୋମିଟର ରାସ୍ତାର ବର୍ତ୍ତମାନ ସ୍ଥିତି ଏହି ବାସ୍ତବତାକୁ ସ୍ପଷ୍ଟ ଭାବେ ପ୍ରତିଫଳିତ କରୁଛି।
ଏକପଟେ ସରକାର ଗ୍ରାମୀଣ ସଡ଼କ ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ, ଅନ୍ୟପଟେ ନିର୍ମାଣ ପରେ ରକ୍ଷଣାବେକ୍ଷଣର ଅଭାବ ଅନେକ ରାସ୍ତାକୁ ମରଣଯନ୍ତାରେ ପରିଣତ କରିଛି। ଗୌଡ଼ପାଲି–କାଣିବନ୍ଧଲି ରାସ୍ତା ସେହି ଅବହେଳାର ଏକ ଜ୍ୱଳନ୍ତ ଉଦାହରଣ।
ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା (PMGSY) ଅଧୀନରେ ୨୦୧୯ ମସିହାରେ ପ୍ରାୟ ୨୭୭.୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ରାସ୍ତାର ନିର୍ମାଣ କାର୍ଯ୍ୟ କରାଯାଇଥିଲା। ଜୁନ୍ ମାସରେ କାମ ଆରମ୍ଭ ହୋଇ ଡିସେମ୍ବର ମାସରେ ସମ୍ପୂର୍ଣ୍ଣ ହୋଇଥିଲା। ସେତେବେଳେ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା। କାରଣ ବର୍ଷ ବର୍ଷ ଧରି ଦୁର୍ଗମ ରାସ୍ତା ସମସ୍ୟାର ସମାଧାନ ହେବ ବୋଲି ସମସ୍ତେ ଆଶା କରିଥିଲେ।
କିନ୍ତୁ ଦୁର୍ଭାଗ୍ୟର ବିଷୟ, ନିର୍ମାଣର ତିନିରୁ ଚାରି ବର୍ଷ ମଧ୍ୟରେ ରାସ୍ତାର ପିଚୁ ଓ ମେଟାଲ ଉଠିଯାଇ ରାସ୍ତାଟି ଜରାଜୀର୍ଣ୍ଣ ଅବସ୍ଥାରେ ପହଞ୍ଚିଗଲା। ଏହା କେବଳ ରକ୍ଷଣାବେକ୍ଷଣର ଅଭାବ ନୁହେଁ, ବରଂ ନିର୍ମାଣ ଗୁଣବତ୍ତା ଉପରେ ମଧ୍ୟ ଗମ୍ଭୀର ପ୍ରଶ୍ନ ଉଠାଉଛି।ବର୍ତ୍ତମାନ ଏହି ରାସ୍ତାର ଅଧିକାଂଶ ଅଂଶରେ ବଡ଼ ବଡ଼ ଖାଲ ଓ ଉଖୁଡ଼ି ଯାଇଥିବା ପଥର ଦେଖିବାକୁ ମିଳୁଛି। ଗ୍ରାମ ଭିତରେ ଥିବା କଂକ୍ରିଟ ରାସ୍ତାକୁ ଛାଡ଼ି ଅନ୍ୟ ସମସ୍ତ ପିଚୁ ରାସ୍ତା ପ୍ରାୟ ଅଚଳ ହୋଇପଡ଼ିଛି।
ପ୍ରତିଦିନ ସାଇକେଲ, ମୋଟରସାଇକେଲ ଓ ଛୋଟ ଯାନବାହନ ଚଳାଚଳ କରୁଥିବା ଲୋକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ବିଶେଷକରି ବର୍ଷା ଋତୁରେ ରାସ୍ତାର ଅବସ୍ଥା ଆହୁରି ସଙ୍କଟଜନକ ହୋଇପଡ଼ୁଛି। ଖାଲଗୁଡ଼ିକରେ ପାଣି ଜମି ରହୁଥିବାରୁ ଯାତ୍ରୀମାନେ ବିପଦ ଜାଣି ମଧ୍ୟ ରାସ୍ତା ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି।ଅନେକ ଲୋକ ଏବେ ଏହି ରାସ୍ତାକୁ ଏଡ଼ାଇ ବିକଳ୍ପ ରାସ୍ତା ବ୍ୟବହାର କରୁଛନ୍ତି, ଯାହା ଯାତ୍ରା ସମୟ ଓ ଖର୍ଚ୍ଚ ଉଭୟ ବଢ଼ାଉଛି।
ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଏତେ ଦୟନୀୟ ଅବସ୍ଥା ସତ୍ତ୍ୱେ ସଂପୃକ୍ତ ବିଭାଗର ଅଧିକାରୀମାନେ କାହିଁକି ନୀରବ? ରାସ୍ତାର ଅବସ୍ଥା ବିଷୟରେ ସ୍ଥାନୀୟ ଲୋକମାନେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ମରାମତି କାର୍ଯ୍ୟ ଆରମ୍ଭ ହୋଇନାହିଁ।
ସରକାରୀ ଯୋଜନାରେ ନିର୍ମିତ ରାସ୍ତାଗୁଡ଼ିକର ନିୟମିତ ତଦାରଖ ଓ ରକ୍ଷଣାବେକ୍ଷଣ ପାଇଁ ବ୍ୟବସ୍ଥା ଥିବା ସତ୍ତ୍ୱେ ଏହି ରାସ୍ତା କିପରି ଏପରି ଅବସ୍ଥାକୁ ଆସିଲା, ତାହା ତଦନ୍ତ ସାପେକ୍ଷ।ଆଜିକାଲି ବିକାଶର ନାରା ସବୁଠାରେ ଶୁଣିବାକୁ ମିଳୁଛି। ନୂଆ ରାସ୍ତା, ନୂଆ ପ୍ରକଳ୍ପ, ନୂଆ ଘୋଷଣାର ଅଭାବ ନାହିଁ। କିନ୍ତୁ ଗୌଡ଼ପାଲି–କାଣିବନ୍ଧଲି ରାସ୍ତା ଭଳି ଉଦାହରଣ ପ୍ରମାଣ କରୁଛି ଯେ କେବଳ ନୂଆ ପ୍ରକଳ୍ପ ଘୋଷଣା କଲେ ବିକାଶ ହୁଏନାହିଁ। ସେଗୁଡ଼ିକର ଗୁଣବତ୍ତା, ସ୍ଥାୟିତ୍ୱ ଓ ରକ୍ଷଣାବେକ୍ଷଣ ମଧ୍ୟ ସମାନ ଗୁରୁତ୍ୱ ବହନ କରେ।ଯଦି କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏକ ରାସ୍ତା ଚାରି ବର୍ଷ ମଧ୍ୟରେ ଭାଙ୍ଗିଯାଏ ଏବଂ ବର୍ଷ ବର୍ଷ ଧରି ତାହାର ମରାମତି ନହୁଏ, ତେବେ ଏହାକୁ ବିକାଶର ସଫଳତା କୁହାଯିବ ନାହିଁ, ବରଂ ଯୋଜନା ଓ ପରିଚାଳନାର ବିଫଳତା ବୋଲି କୁହାଯିବ।
ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ, ଆଗାମୀ ଦିନରେ ଯଦି ରାସ୍ତାର ମରାମତି କାର୍ଯ୍ୟ ଆରମ୍ଭ ନହୁଏ, ତେବେ ସେମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ। ଏହା ସେମାନଙ୍କର ଅସହାୟତା ଓ କ୍ଷୋଭର ପ୍ରତିଫଳନ।ଗୌଡ଼ପାଲିରୁ କାଣିବନ୍ଧଲି ପର୍ଯ୍ୟନ୍ତ ରାସ୍ତା କେବଳ ଏକ ଯାତାୟାତ ମାର୍ଗ ନୁହେଁ; ଏହା ହଜାର ହଜାର ଗ୍ରାମବାସୀଙ୍କ ଜୀବନରେଖା। ଏହାର ଜରାଜୀର୍ଣ୍ଣ ଅବସ୍ଥା ଗ୍ରାମୀଣ ବିକାଶ ବ୍ୟବସ୍ଥାର ଦୁର୍ବଳତାକୁ ପଦାକୁ ଆଣିଛି। ତେଣୁ ସଂପୃକ୍ତ ବିଭାଗ ତୁରନ୍ତ ଏହି ରାସ୍ତାର ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକ ମରାମତି ଓ ପୁନର୍ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ଆବଶ୍ୟକ। ନଚେତ୍ “ଗ୍ରାମୀଣ ବିକାଶ”ର ସମସ୍ତ ଦାବି ଏହି ଭଙ୍ଗା ରାସ୍ତାର ଧୂଳିରେ ମିଶିଯିବ।