କିଟ୍‌, କିସ୍ ପରିଦର୍ଶନରେ ୱାଶିଂଟନ୍‌ ବିଶ୍ୱବିଦ୍ୟାଳୟର ପ୍ରତିନିଧିମଣ୍ଡଳ

ଭୁବନେଶ୍ୱର,: ମାର୍ଚ୍ଚ ୧୯ ତାରିଖରୁ ୧୦ ଦିନିଆ ଶୈକ୍ଷିକ କାର୍ଯ୍ୟକ୍ରମରେ କିଟ୍ ଓ କିସ୍‌କୁ ଆସିଥିବା ୱାଶିଂଟନ୍‌ ବିଶ୍ୱବିଦ୍ୟାଳୟ-ବୋଥେଲର ୧୮ ଜଣିଆ ପ୍ରତିନିଧିମଣ୍ଡଳ କିଟ୍‌, କିସ୍ ପରିଦର୍ଶନ କରିଛନ୍ତି । ସେମାନେ କିଟ୍‌ର ବିଭିନ୍ନ କ୍ୟାମ୍ପସ ପରିଦର୍ଶନ କରିବା ସହ କିସ୍‌ର ବିଭିନ୍ନ ୟୁନିଟ୍ ପରିଦର୍ଶନ କରିଥିଲେ । ଏହି ଅବସରରେ ସେମାନେ କିସ୍‌ ଛାତ୍ରଛାତ୍ରୀଙ୍କ ସହ ଦୀର୍ଘ ସମୟ ଅତିବାହିତ କରିଥିଲେ । ଏହି ପ୍ରତିନିଧିମଣ୍ଡଳ ପ୍ରଥମ ଦିନରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସହ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭାବ ବିନିମୟ କରିଥିଲେ । ଦୀର୍ଘ ଦେଢ଼ ଘଣ୍ଟା କାଳ ସେମାନେ କିଟ୍‌, କିସ୍ ଓ ପ୍ରତିଷ୍ଠାତା ଶ୍ରୀ ସାମନ୍ତଙ୍କ ବିଷୟରେ ବ୍ୟାପକ ଆଲୋଚନା କରିବା ସହ ଓଡ଼ିଶାର ଶିକ୍ଷା, କଳା ଓ ସଂସ୍କୃତି ବିଷୟରେ ଆଲୋଚନା କରିଥିଲେ । ଏହି ଅବସରରେ ଶ୍ରୀ ସାମନ୍ତଙ୍କ ସହ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମଧ୍ୟ ରହିଥିଲା । ଏଥିରେ ୱାଶିଂଟନ୍‌ ବିଶ୍ୱବିଦ୍ୟାଳୟର ପ୍ରଫେସର ଅଖତର ବାଦଶାହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ୱାଶିଂଟନ୍ ବିଶ୍ୱବିଦ୍ୟାଳୟବୋଥେଲର ୧୧ଜଣ ଛାତ୍ରଛାତ୍ରୀ ଏବଂ ୨ଜଣ କିଟ୍ ମ୍ୟାନେଜମେଣ୍ଟ ସ୍କୁଲର ୧୧ ଛାତ୍ରଛାତ୍ରୀଙ୍କ ମିଶି ଏକ ପ୍ରକଳ୍ପରେ ତାଲିମ୍‌ ଗ୍ରହଣ କରିବେ । ଏହା ସହିତ ୫ଜଣ ଅଧ୍ୟାପକ କିଟ୍ ଓ କିସ୍‌ରେ ଜ୍ଞାନ ବିନିମୟ କାର୍ଯ୍ୟକ୍ରମରେ  ନିୟୋଜିତ ହେବା ସହ ଶ୍ରେଣୀଗୃହ ଶିକ୍ଷାଦାନ ଓ ଶୈକ୍ଷିକ ଆଲୋଚନାରେ ଭାଗ ନେବେ । ପ୍ରଥମ ଥର ଲାଗି ଆମେରିକାର ଏକ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକ କିଟ୍ ଓ କିସ୍ ଛାତ୍ରଛାତ୍ରୀ ତଥା ଅଧ୍ୟାପକଙ୍କ ଜ୍ଞାନ ବିନିମୟ ଓ ଶୈକ୍ଷିକ କାର୍ଯ୍ୟକ୍ରମରେ ଯୋଗଦେବା କିଟ୍ ଓ କିସ୍ ପାଇଁ ଗୌରବର ବିଷୟ ।

Comments (0)
Add Comment