ଓଡ଼ିଶାରୁ ପ୍ରୟାଗରାଜକୁ ଗଡ଼ିଲା ବସ୍‌, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, : ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହାକୁମ୍ଭ ମେଳା ଅବସରରେ ଓଡିଶାର ୪ଟି ସ୍ଥାନରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ୪ଟି
ଅତ୍ୟାଧୁନିକ ବସ୍ ସେବାର ଶୁଭାରମ୍ଭ କରିଛନ୍ତି । ଓଡିଶା ରାଜ୍ୟ ପରିବହନ ନିଗମର ଏହି ୪ଟି ଅତ୍ୟାଧୁନିକ ପ୍ରିମିୟମ ବସ୍‌, ପୁରୀ, ସମ୍ବଲପୁର, ଭବାନୀପାଟଣା ଏବଂ ବ୍ରହ୍ମପୁରରୁ ବାହାରି ବାରଣାସୀ ଓ ପ୍ରୟାଗରାଜ ଦେଇ ଅଯୋଧ୍ୟା ପର୍ଯ୍ୟନ୍ତ ଚଳାଚଳ କରିବ । ରବିବାର ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଭର୍ଚୁଆଲ ମୋଡ୍‌ରେ ପତାକା ଦେଖାଇ ଏହି ବସ୍ ଚଳାଚଳର
ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଳୁମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଏହି ତୀର୍ଥଯାତ୍ରାରେ ସେମାନେ ଅଶେଷ ପୁଣ୍ୟ ଲାଭ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ ୪ଟି ବସ୍‌ର ଚଳାଚଳ
କରାଯାଉଛି ଏବଂ ଆବଶ୍ୟକ ହେଲେ ଆହୁରି ଅଧିକ ବସ୍‌ର ବ୍ୟବସ୍ଥା କରାଯିବ । ପ୍ରଥମଥର ପାଇଁ ୨୫୦୦ କିଲୋମିଟରରୁ ଅଧିକ ଲମ୍ବା ଯାତ୍ରାର ଶୁଭାରମ୍ଭ କରାଗଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିଶ୍ୱପ୍ରସିଦ୍ଧ ମହାକୁମ୍ଭ ମେଳା ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ଚଳିତ ବର୍ଷ ପୌଷ ପୂର୍ଣ୍ଣିମାରୁ ମହାଶିବରାତ୍ରୀ (ଜାନୁଆରୀ ୧୩ରୁ ଫେବୃଆରୀ ୨୬) ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି । ଏହି
ଅବସରରେ ଦେଶର ବିଭିନ୍ନ ରାଜ୍ୟ ତଥା ବିଦେଶରୁ ମଧ୍ୟ ଲକ୍ଷ ଲକ୍ଷ ଭକ୍ତ, ଶ୍ରଦ୍ଧାଳୁ ଓ ସାଧୁସନ୍ଥଙ୍କ ପ୍ରୟୋଗରାଜକୁ ଆଗମନ ହୋଇଥାଏ । ଏହି ପରିପ୍ରେକ୍ଷୀରେ ଆମ ଓଡ଼ିଶାରୁ ମଧ୍ୟ ହଜାର ହଜାର ଶ୍ରଦ୍ଧାଳୁ ପ୍ରୟାଗରାଜ ଯାଉଛନ୍ତି । ସେଥିପାଇଁ ଏହି ବସ୍‌ ସୁବିଧା କରାଗଲା ବୋଲି ସେ କହିଥିଲେ । ରବିବାର ପ୍ରଥମ ଦିନରେ ଓଡିଶାରୁ ୨୦୦ ଶ୍ରଦ୍ଧାଳୁ ମହାକୁମ୍ଭ ମେଳା ପାଇଁ ଯାତ୍ରା ଆରମ୍ଭ କରିଛନ୍ତି । ମହିଳା ଯାତ୍ରୀଙ୍କ ପାଇଁ ଟିକେଟ ମୂଲ୍ୟରେ ୫୦ ପ୍ରତିଶତ ରିହାତି ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ବସ୍‌
ଗୁଡିକରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ \”ଲାଇଭ୍ ଭେଇକିଲ୍ ଟ୍ରାକିଂ\’, ପ୍ୟାନିକ ବଟନ୍‌ ଏବଂ ଡ୍ରାଇଭର ଆସିଷ୍ଟାନ୍ସ ସିଷ୍ଟମ ରହିଛି । ଯାତ୍ରୀମାନଙ୍କ ଆରାମଦାୟକ ଯାତ୍ରା ପାଇଁ ସମସ୍ତ ସୁବିଧା କରାଯାଇଛି । ଏହା ସହିତ ମହାକୁମ୍ଭ ମେଳା ଯାତ୍ରୀମାନଙ୍କ ସୁବିଧା ପାଇଁ ୨୪ ଘଣ୍ଟିଆ ହେଲ୍ପ ଡେସ୍କ ମଧ୍ୟ ଖୋଲା ଯାଇଛି । ଯାତ୍ରୀମାନେ ୧୮୦୦ ୩୪୫ ୧୧୨୨କୁ କଲ୍ କରିପାରିବେ କିମ୍ବା ୭୮୪୯୦ ୫୨୨୦୫ ନମ୍ବରର ହ୍ୱାଟସଆପ୍ ମାଧ୍ୟମରେ ହେଲ୍ପ ଡେସ୍କର ସୁବିଧା ନେଇପାରିବେ । ପ୍ରୟାଗରାଜରେ ମଧ୍ୟ ଯାତ୍ରୀମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଓଏସ୍‌ଆର୍‌ଟିସିର କର୍ମଚାରୀମାନଙ୍କୁ ମଧ୍ୟ ଅବସ୍ଥାପିତ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ।

Comments (0)
Add Comment