ନୂଆଦିଲ୍ଲୀ,: ୨୦୨୪-୨୫ରେ ଦେଶର ୮ଟି ରାଜ୍ୟରେ ଖଣିଜ ଉତ୍ପାଦନର ମାତ୍ରା ୯୭.୮୦ ପ୍ରତିଶତ ଥିବାବେଳେ ଏଥିରେ ଓଡ଼ିଶାର ଭାଗ ସର୍ବାଧିକ ୪୩.୪୯ ପ୍ରତିଶତ ରହିଛି । କେନ୍ଦ୍ର ଖଣି ମନ୍ତ୍ରାଳୟ ଦ୍ୱାରା ପ୍ରକାଶିତ ସଦ୍ୟତମ ରିପୋର୍ଟରୁ ଏହା ଜଣାଯାଇଛି । ରିପୋର୍ଟ ଅନୁସାରେ ୨୦୨୨-୨୩ ତୁଳନାରେ ୨୦୨୩- ୨୪ରେ ପ୍ରମୁଖ ଖଣିଜ ଉତ୍ପାଦନକାରୀ ରାଜ୍ୟମାନଙ୍କର ଖଣିଜ ଉତ୍ପାଦନ ମୂଲ୍ୟରେ ବୃଦ୍ଧି ହୋଇଛି । ଏଥିରେ ଓଡ଼ିଶାରେ ଖଣିଜ ଉତ୍ପାଦନ ମୂଲ୍ୟ ମଧ୍ୟ ୧୭.୨୩ ପ୍ରତିଶତ ବୃଦ୍ଧି ହୋଇଛି । ୨୦୨୪-୨୫ରେ ଦେଶରେ ୨୪.୨୨ ନିୟୁତ ଟନ୍ ବକ୍ସାଇଟ ଉତ୍ପାଦନ ହୋଇଛି ଯାହା ୨୦୨୩-୨୪ ତୁଳନାରେ ୧.୨୫ ପ୍ରତିଶତ ଅଧିକ । ଓଡ଼ିଶାରେ ସର୍ବାଧିକ ୭୪ ପ୍ରତିଶତ ବକ୍ସାଇଟ୍ ଉତ୍ପାଦନ ହୋଇଛି । ଉତ୍କଳ ଆଲୁମିନା, ନାଲକୋ, ଓଡ଼ିଶା ମାଇନିଂ କର୍ପୋରେସନ, ହିଣ୍ଡାଲକୋ ବକ୍ସାଇଟ୍ ଉତ୍ପାଦନରେ ପ୍ରମୁଖ ଭୂମିକା ନେଇଛନ୍ତି । ସେହିଭଳି ୨୦୨୪-୨୫ରେ ଦେଶରେ ୨୭୭.୮୩ ନିୟୁତ ଟନ୍ ଲୁହାପଥର ଉତ୍ପାଦନ ହୋଇଥିବା ବେଳେ ଓଡ଼ିଶାରେ ସର୍ବାଧିକ ୫୫ ପ୍ରତିଶତ ଲୁହାପଥର ଉତ୍ପାଦନ ହୋଇଛି । ଏଥିସହିତ ଓଡ଼ିଶାରେ ୧୭ ପ୍ରତିଶତ ମାଙ୍ଗାନିଜ୍ ଉତ୍ପାଦନ ହୋଇଛି । ରିପୋର୍ଟରେ ୨୦୧୫ରୁ ୨୦୨୪ ମଧ୍ୟରେ ଦେଶରେ ମୋଟ ୪୪୨ଟି ଖଣିଜ ବ୍ଲକ୍ରେ ନିଲାମ ହୋଇଥିବାବେଳେ ଏଥିରେ ଓଡ଼ିଶାର ୪୮ଟି ଖଣି ରହିଛି । ଖଣି ରୟାଲଟି ବାବଦରେ ଓଡ଼ିଶାକୁ ୨୦୨୧-୨୨ ରେ ୧୭,୯୫୯ କୋଟି ଟଙ୍କା ଓ ୨୦୨୨-୨୩ରେ ୧୦୮୨୩ କୋଟି ଟଙ୍କା ପ୍ରାପ୍ତ ହୋଇଛି । ବେଆଇନ ଖଣି ଖନନ ରୋକିବା ପାଇଁ ଓଡ଼ିଶା ସମେତ ୨୨ଟି ରାଜ୍ୟରେ ରାଜ୍ୟସ୍ତରୀୟ ଟାସ୍କଫୋର୍ସ ଗଠନ ହୋଇଛି । ଏଥିସହିତ ଏମ୍ଏମଡ଼ିଆର୍ ଆଇନ ୧୯୫୭ର ସେକ୍ସନ ୨୩ସି ଅନ୍ତର୍ଗତ ବେଆଇନ ଖଣି ଖନନ ରୋକିବା ପାଇଁ ରାଜ୍ୟ ସରକାର ନିୟମପ୍ରସ୍ତୁତ କରିଥିବା ରିପୋର୍ଟରେ କୁହାଯାଇଛି । କେନ୍ଦ୍ର ଖଣି ମନ୍ତ୍ରାଳୟ ଦ୍ୱାରା ଉପଗ୍ରହ ପ୍ରଯୁକ୍ତିକୁ ଉପଯୋଗ କରାଯାଇ ବେଆଇନ ଖଣି ଖନନକୁ ନିୟନ୍ତ୍ରଣ ଓ ତଦାରଖ ପାଇଁ ୨୦୧୬ରେ ଆରମ୍ଭ କରାଯାଇଥିବା ମାଇନିଂ ସର୍ଭିଲାନ୍ସ ସିଷ୍ଟମ(ଏମ୍ଆଇଏସ୍) ଓଡ଼ିଶା ସମେତ ଖଣି ବହୁଳ ରାଜ୍ୟରେ କାର୍ଯ୍ୟକାରୀ କରାଯାଉଛି । ୨୦୨୪ରେ ଆଇବିଏମ୍ ଦ୍ୱାରା ମାଇନିଂ ପ୍ଲାନ୍ର ସମୀକ୍ଷା ଆଦି ପାଇଁ ଓଡ଼ିଶାର ୧୩୧ଟି ଖଣିର ପରିଦର୍ଶନ କରାଯାଇଥିଲା । ୨୦୨୪ରେ ଓଡ଼ିଶାର ୩ଟି ମାଇନିଂ ପ୍ଲାନ୍କୁ ଅନୁମୋଦନ ମିଳିଥଲା ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି ।