ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଠାବ
ନୂଆଦିଲ୍ଲୀ, ୨ ।୨: ସୁରକ୍ଷାକର୍ମୀଙ୍କୁ ଜମ୍ମୁ-କଶ୍ମୀର ବାନ୍ଦିପୋରାରେ ବଡ଼ ସଫଳତା ମିଳିଛି । ଭାରତରେ ଆତଙ୍କରାଜ କରିବାକୁ ଆସିଥିବା ୨ ଜଣ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀମାନେ ଜୀବନ୍ତ କାବୁ କରିଛନ୍ତି । ଏହି ଦୁଇ ଜଣ ପାକିସ୍ତାନରେ ସକ୍ରିୟ ଆତଙ୍କୀ ସଂଗଠନ ଜୈଶ-ଇ-ମହମ୍ମଦର ସଦସ୍ୟ । ସେମାନଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଠାବ ହୋଇଛି । ବାନ୍ଦିପୋରା ପୁଲିସ୍ ପ୍ରଥମେ ସ୍ଥାନୀୟ ଅଞ୍ଚଳରେ କିଛି ବେଆଇନ କାର୍ଯ୍ୟକଳାପ ଚାଲିଥିବା ଖବର ପାଇଥିଲା । ଏଠାରେ ୨ ଜଣ ଯୁବକ ଯୁବଗୋଷ୍ଠୀଙ୍କୁ ଭୁଲ ତଥ୍ୟ ଦେଇ ଦେଶ ବିରୋଧରେ ଉସକାଉଥିବା ଖବର ମିଳିବା ପରେ ସୁରକ୍ଷାକର୍ମୀ ଆକ୍ସନ ମୋଡକୁ ଚାଲି ଆସିଥିଲେ । ପୁଲିସ୍ ସହ ୧୩ ରାଷ୍ଟ୍ରୀୟ ରାଇଫଲର ଯବାନମାନେ ସର୍ଚ୍ଚ ଅପରେସନ କରି ଉଲାର ଭାନଟେଜ ପାର୍କ ଅରଗାମ ବିପିଆର ଅଞ୍ଚଳରୁ ଅବଦୁଲ ମଜୀଦ ଖାନକୁ ଗିରଫ କରିଥିଲେ । ଅବଦୁଲର ଘର ବାନ୍ଦିପୋରାର କର୍ଲାପୋରାରେ ବୋଲି ଜଣାପଡ଼ିଛି । ତା’ ଠାରୁ ଗୋଟିଏ ପିସ୍ତଲ, ୩ଟି ଜୀବନ୍ତ ହ୍ୟାଣ୍ଡ ଗ୍ରେନେଡ ଓ ୧୦ ରାଉଣ୍ଡ ଗୁଳି ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିଲା । ତା’କୁ ଜେରା କରିବା ବେଳେ ସେ ଜୈଶର ହ୍ୟାଣ୍ଡଲରମାନଙ୍କ ଯୋଗାଯୋଗରେ ରହିଥିବା ସ୍ୱୀକାର କରିଥିଲା । ଯୁବ ଗୋଷ୍ଠୀଙ୍କୁ ଭାରତ ବିରୋଧରେ ଉସକାଇବା ହିଁ ଅବଦୁଲର ମୂଳ କାମ ଥିଲା । ସେହିପରି ତା’ ସହ ସୋପରରେ ରହୁଥିବା ସୌକତ ଅହମଦ ମାଲିକର ମଧ୍ୟ ଭାରତ ବିରୋଧୀ କାର୍ଯ୍ୟ କରୁଥିବା ସୂଚନା ଦେଇଥିଲା । ସୌକତକୁ ଧରିବା ପାଇଁ ସ୍ଥାନୀୟ ପୁଲିସ୍ ସହ ୫୨ ରାଷ୍ଟ୍ରୀୟ ରାଇଫଲର ଯବାନମାନେ ସୋପରର ସଂଗ୍ରାମା ଠାରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହି ସମୟରେ ସୌକତ ଧରାପଡ଼ିଥିଲା । ତା’ଠାରୁ ସୁରକ୍ଷାକର୍ମୀମାନେ ଗୋଟିଏ ପିସ୍ତଲ, ୫ଟି ଜୀବନ୍ତ ହ୍ୟାଣ୍ଡ ଗ୍ରେନେଡ ଓ ୨୦ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରିଛନ୍ତି । ପୁଲିସ୍ ଏଫଆଇଆର ରୁଜୁ କରି ଏବେ ଘଟଣାର ଅଧିକ ତଦନ୍ତ କରୁଛି ।