କୁଚିଣ୍ଡା:- ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳରେ ବର୍ତ୍ତମାନ ବାଲି ବେପାରୀ ମାନେ ବାଲି ଚୋରା ଚାଲାଣ କରିବାରେ ଲାଗି ପଡ଼ିଛନ୍ତି। ତେବେ ଗତ ଦୁଇ ଦିନର କୁଚିଣ୍ଡା ଉପଜିଲ୍ଲାପାଳଙ୍କ ଦ୍ଵାରା ଦୁଇଟି ଚୋରା ବାଲି ଟ୍ରାକ୍ଟର ଧରା ପଡ଼ିବା ପରେ ବାଲି ବେପାରୀଙ୍କ ମଧ୍ୟରେ ଭାଳେଣୀ ପଡ଼ି ଯାଇଛି।ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଗତ ବୁଧବାର ଦିନ ବକ୍ସମା ଗ୍ରାମ ପଞ୍ଚାୟତର କଟୁନଗର ନଦୀ ଘାଟରୁ ଏକ ଟ୍ରାକ୍ଟର ବାଲି ଉଠାଇ ଡିମିରୀମୁଣ୍ଡା ଗ୍ରାମକୁ ଯାଉଥିବା ବେଳେ ଉପଜିଲ୍ଲାପାଳ ସର୍ବାନନ ସ କୌଣସି ସୂତ୍ରରୁ ଖବର ପାଇ ଟ୍ରାକ୍ଟରକୁ ଡୀମିରୀମୁଣ୍ଡା ଛକ ନିକଟରେ ଅଟକ ରଖି କୁଚିଣ୍ଡା ପୋଲିସକୁ ସୂଚନା ଦେଇଥିଲେ ପରେ ପୋଲିସ ଘଟଣାସ୍ଥଳକୁ ଯାଇ ଟ୍ରାକ୍ଟରକୁ ଆଣି କୁଚିଣ୍ଡା ଥାନାରେ ଅଟକ ରଖିଛି। ସେହିପରି ଗୁରୁବାର ଦିନ କୁଚିଣ୍ଡା ବାନ୍ଦୁବାସ ନଦୀଘାଟରୁ ଦୁଇଟି ଟ୍ରାକ୍ଟର ବାଲି ଲୋଡ କରି ସହର ପଟକୁ ଆସୁଥିବା ବେଳେ ଉପଜିଲ୍ଲାପାଳ ଖବର ପାଇ ଘଟଣାସ୍ଥଳରେ ଚଢାଉ କରି ଦୁଇଟି ଯାକ ଟ୍ରାକ୍ଟରକୁ ଜବତ କରି କୁଚିଣ୍ଡା ପୋଲିସକୁ ହସ୍ତାନ୍ତର କରିଥିଲେ। ଉପଜିଲ୍ଲାପାଳଙ୍କ ଏହିପରି ଚୋରା ବାଲି ବୋଝେଇ ଗାଡ଼ି ଉପରେ ବାରମ୍ବାର ଚଢାଉ ଫଳରେ ବାଲି ମାଫିଆଙ୍କ ମଧ୍ୟରେ ଭାଳେଣୀ ଖେଳି ଯାଇଛି। ତେବେ ଉପଜିଲ୍ଲାପାଳ ଚଢାଉ କରି ବାରମ୍ବାର ଚୋରା ବାଲି ଗାଡ଼ି ଜବତ କରିବାରେ ସଫଳ ହେଉଥିବା ବେଳେ ତହସିଲଦାର କିମ୍ବା ପୋଲିସକୁ କାହିଁକି ଏପରି ସଫଳତା ମିଳୁନାହିଁ ତାହାକୁ ନେଇ ଜନସାଧାରଣରେ ଆଲୋଚନା ହେଉଛି।