କେନ୍ଦୁଝର,୩।୬(ଡି.କେ ନ୍ଯୁଜ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ବାପା ପୁଅ ଭାଇ ଦୀନବନ୍ଧୁ ମାଝୀଙ୍କର ମଙ୍ଗଳବାର ରାତିରେ ପରଲୋକ ହୋଇଯାଇଛି। ଦୀନବନ୍ଧୁ ଭୁବନେଶ୍ୱର ଲୋୟର ପିଏମଜି ସରକାରୀ ବାସଭବନରେ ରହୁଥିଲେ। ମଙ୍ଗଳବାର ବିଳମ୍ବିତ ରାତିରେ ହଠାତ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ପରେ ଦୀନବନ୍ଧୁଙ୍କ ପାର୍ଥିବ ଶରୀରକୁ ତାଙ୍କ ଜନ୍ମମାଟି ରାଇକଳା ଗ୍ରାମକୁ ନିଆଯାଇଥିଲା। ତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ବୁଧବାର ରାଇକଳାରେ ପହଞ୍ଚି ତାଙ୍କର ଅନ୍ତେଷ୍ଟି କ୍ରିୟାରେ ସାମିଲ ହୋଇଛନ୍ତି। ଏ ଖବର ପହଞ୍ଚିବା ପରେ ବୁଧବାର ରାଇକଳା ତଥା ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ଅନ୍ତେଷ୍ଟି କ୍ରିୟାରେ ସାମିଲ ହେବା ପାଇଁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ କର୍ମୀଙ୍କ ପ୍ରବଳ ଭିଡ ଜମିଥିଲା।