ଭୁବନେଶ୍ୱର, 29/7: ଚଳିତ ଜୁଲାଇ ୨୯ ତାରିଖ ଦିନ ରାଜଭବନର ନ୍ୟୁ ଅଭିଷେକ ହଲ୍ଠାରେ “କର୍ମ କ୍ଷେତ୍ରରେ ମହିଳାମାନଙ୍କ ଯୌନ ନିର୍ଯ୍ୟାତନା (ସୁରକ୍ଷା, ନିବାରଣ ଏବଂ ପ୍ରତିକାର) ଆଇନ – ୨୦୧୩’ ସଂପର୍କିତ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟପାଳଙ୍କ କମିଶନର-ତଥା-ଶାସନ ସଚିବ ରୂପା ରୋଶନ ସାହୁ ଉଦ୍ବୋଧନ ଦେଇ ସଚେତନତା ଶିବିର ଆୟୋଜନର ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିବା ସହ କର୍ମ କ୍ଷେତ୍ରରେ ସଚ୍ଚୋଟତା, ସମ୍ମାନ ଓ ବୃତ୍ତିଗତ ଚିନ୍ତାଧାର ବଜାୟ ରଖିବା ଏବଂ କର୍ମକ୍ଷେତ୍ରକୁ ଏକ ନିରାପଦ ଏବଂ ଯେ କୌଣସି ପ୍ରକାରର ନିର୍ଯ୍ୟାତନାରୁ ମୁକ୍ତ ପରିବେଶକୁ ପ୍ରୋତ୍ସାହିତ କରିବା ପାଇଁ ସମସ୍ତେ ପ୍ରତିବଦ୍ଧତା ଦେଖାଇବା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ପ୍ରତ୍ୟେକ ବ୍ୟକ୍ତିଙ୍କ ମର୍ଯ୍ୟାଦା ଏବଂ ଅଧିକାରକୁ ସୁରକ୍ଷା ଦେବା ପାଇଁ ପ୍ରଣୀତ ପିଓଏସ୍ଏଚ୍ ଆଇନ (କର୍ମକ୍ଷେତ୍ରରେ ମହିଳାମାନଙ୍କ ଯୌନ ନିର୍ଯ୍ୟାତନା ନିବାରଣ ଆଇନ) ପାରସ୍ପରିକ ସମ୍ମାନ ଏବଂ ଉତ୍ତର ଦାୟିତ୍ୱର ସଂସ୍କୃତିକୁ ସୁନିଶ୍ଚିତ କରିବା ପାଇଁ ସାମୁହିକ ଅଭିଯାନରେ ମୂଳଦୂଆଭାବେ କାର୍ଯ୍ୟ କରେ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମ ଏପରି ଏକ କର୍ମକ୍ଷେତ୍ର ସୃଷ୍ଟି କରିବା ପାଇଁ ଆମର ଅଟଳ ପ୍ରତିବଦ୍ଧତାର ନିଦର୍ଶନ, ଯେଉଁଠାରେ ପ୍ରତ୍ୟେକ ମହିଳା କର୍ମଚାରୀ ନିଜ କର୍ମ କ୍ଷେତ୍ରରେ ସୁରକ୍ଷିତ ଏବଂ ସଶକ୍ତ ଅନୁଭବ କରିବେ । ଯେକୌଣସି ପ୍ରକାରର ଯୌନ ନିର୍ଯ୍ୟାତନା ସମାନତା ଏବଂ ମାନବିକ ମର୍ଯ୍ୟାଦା ନୀତିର ଅପମାନ ବୋଲି କମିଶନର-ତଥା-ଶାସନ ସଚିବ ଶ୍ରୀମତୀ ସାହୁ କହିବା ସହ ସତର୍କତା ଏବଂ ସଂକଳ୍ପର ସହ ଏପରି ଆଚରଣକୁ ରୋକିବା ଏବଂ ସମାଧାନ କରିବା ସମସ୍ତଙ୍କର ମିଳିତ କର୍ତ୍ତବ୍ୟ ହେଉ ବୋଲି କହିଥିଲେ । ରାଜଭବନରେ ଏପରି ସଚେତନତା କାର୍ଯ୍ୟକ୍ରମ କର୍ମକ୍ଷେତ୍ର ପ୍ରତି ଆମର ପ୍ରତିବଦ୍ଧତାକୁ ଆହୁରି ମଜବୁତ କରିବ ଯେଉଁଠାରେ ମର୍ଯ୍ୟାଦା ଏବଂ ବୃତିଗତ ଚିନ୍ତାଧାରା ପ୍ରତିଫଳିତ ହେବ ବୋଲି କହିଥିଲେ । ଏହି ଅବସରରେ ରାଜଭବନର ଏଭଳି ସଚେତନତା କାର୍ଯ୍ୟକ୍ରମ ଆୟୋଜନ ପାଇଁ ମାର୍ଗଦର୍ଶନ କରିଥିବାରୁ ମାନ୍ୟବର ରାଜ୍ୟପାଳଙ୍କୁ କୃତଜ୍ଞତା ଜଣାଇଥିଲେ । ଉକ୍ତ ସଚେତନତା ଶିବିରରେ ସାଧନ ବ୍ୟକ୍ତିଭାବେ ଯୋଗଦେଇ ପୋଲିସ୍ କମିଶନରେଟର ଆଇଟି ଏବଂ ସୋସିଆଲ ମିଡିଆ ସେଲ୍ ଏସିପି ସୁଚିସ୍ମିତା ଦାସ ପାୱାର ପଏଣ୍ଟ୍ ପ୍ରେଜେଣ୍ଟେସନ ମାଧ୍ୟମରେ କର୍ମକ୍ଷେତ୍ରରେ ମହିଳାମାନଙ୍କ ଯୌନ ନିର୍ଯ୍ୟାତନା ନିବାରଣ (ସୁରକ୍ଷା, ନିବାରଣ ଏବଂ ପ୍ରତିକାର) ଆଇନ୍ ସଂପର୍କରେ ବିଶଦଭାବେ ଅବଗତି କରାଇଥିଲେ । ଏହି କାର୍ଯ୍ୟକ୍ରମରେ ରାଜଭବନର ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ ।