ଖଲ୍ଲିକୋଟ ଗଞ୍ଜାମ ଖଲ୍ଲିକୋଟ ସାନଘାଟି ନିକଟରେ ୧୦୮ ଆମ୍ବୁଲାନ୍ସ ଖରାପ ଯୋଗୁଁ ଯୁବକଙ୍କ ମୃତ୍ୟୁ ଘଟଣାକୁ ନେଇ ଆଜି ବିଜେଡ଼ିର ଏକ ପ୍ରତିନିଧି ଦଳ ମୃତକଙ୍କ ପରିବାରକୁ ଭେଟିଛନ୍ତି । ଗତ ଗୁରୁବାର ସନ୍ଧ୍ୟାରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ବିରିପୁର ଗାଁର ଶଙ୍କର ମହାରଣାଙ୍କୁ କ୍ରିକେଟ ଖେଳୁଥିବା ବେଳେ ପେଟରେ ବଲ୍ ବାଜି ଯାଇଥାଲା । ଗୁରୁତର ଶଙ୍କରଙ୍କୁ ପ୍ରଥମେ ବାଲୁଗାଁ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରିବା ନିମନ୍ତେ ଡାକ୍ତର ପରାମର୍ଶ ଦେଇଥିଲେ । ବାଲୁଗାଁରୁ ଏମକେସିଜି ମେଡିକାଲ ଅଭିମୁଖେ ୧୦୮ ଆମ୍ବୁଲାନ୍ସରେ ଆସୁଥିବା ବେଳେ ଖଲ୍ଲିକୋଟ ସାନଘାଟି ନିକଟରେ ଆମ୍ବୁଲାନ୍ସ ଖରାପ ହୋଇଯାଇଥିଲା । ପ୍ରାୟ ୩ ଘଣ୍ଟା ପରେ ମଧ୍ୟ ୧୦୮ ଆମ୍ବୁଲାନ୍ସ ଠିକ ନ ହେବାରୁ ଆଉ ଏକ ୧୦୮ ଆମ୍ବୁଲାନ୍ସ ଯୋଗେ ଶଙ୍କରଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ୧୦୮ ଆମ୍ବୁଲାନ୍ସ ଖରାପ ଯୋଗୁଁ ଯୁବକଙ୍କ ମୃତ୍ୟୁ ଘଟଣା ସମ୍ପର୍କରେ ଜାଣିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ବିଜେଡ଼ିକୁ ମୃତକଙ୍କ ପରିବାରକୁ ମିଶିବା ସହ ତଥ୍ୟ ଅନୁସନ୍ଧାନ କରିବା ପାଇଁ କହିଥିଲେ । ସେହି କ୍ରମରେ ଆଜି ବ୍ରହ୍ମପୁରର ପୂର୍ବତନ ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁରର ପୂର୍ବତନ ବିଧାୟକ ବ୍ରହ୍ମପୁର ପଣ୍ଡା, ଖଲ୍ଲିକୋଟର ପୂର୍ବତନ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ଛତ୍ରପୁରର ପୂର୍ବତନ ବିଧାୟକ ସୁବାଷ ବେହେରାଙ୍କ ସମେତ ବହୁ ପୂର୍ବତନ ବିଧାୟକ ଓ ବିଧାୟିକାଙ୍କ ସହ ବହୁ ନେତା ମୃତକ ଶଙ୍କରଙ୍କ ଘରେ ପହଞ୍ଚିଥିଲେ । ଶଙ୍କରଙ୍କ ପରିବାର ଲୋକଙ୍କ ସହ ଶଙ୍କରଙ୍କ ମୃତ୍ୟୁକୁ ନେଇ ଆଲୋଚନା କରିଥିଲେ । ତେବେ ଶଙ୍କରଙ୍କ ମୃତ୍ୟୁ କେବଳ ୧୦୮ ଆମ୍ବୁଲାନ୍ସ ଖରାପ ଯୋଗୁଁ ମୃତ୍ୟୁ ହୋଇଛି । ଯଦି ସଠିକ ସମୟରେ ଶଙ୍କରଙ୍କୁ ୧୦୮ ଆମ୍ବୁଲାନ୍ସ ଏମକେସିଜି ମେଡିକାଲରେ ପହଞ୍ଚିଥାନ୍ତା ତେବେ ଶଙ୍କରଙ୍କ ମୃତ୍ୟୁ ହୋଇନଥାନ୍ତା । ତେଣୁ ଏହି ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ବିଜେଡ଼ି ଦାବି କରିଛି । ଏହାଛଡ଼ା ଆମ୍ବୁଲାନ୍ସ କର୍ମଚାରୀ ଓ ଡ଼୍ରାଇଭର ମାନେ ଗାଡ଼ି ଖରାପ ଥିବା ନେଇ ପୂର୍ବରୁ ସରକାର ଓ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ ସୁଦ୍ଧା ତାହାର ମରାମତି କରିନଥିଲେ । ତେଣୁ ସରକାରଙ୍କ ଅବହେଳା ଯୋଗୁଁ ଶଙ୍କରଙ୍କ ମୃତ୍ୟୁ ହୋଇଛି । ଆଉ ଏହି ଅବହେଳା ଯୋଗୁଁ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଇସ୍ତପା ଦିଅନ୍ତୁ । ଖୁବଶୀଘ୍ର ଏନେଇ ଶଙ୍କରଙ୍କ ପରିବାରକୁ ନ୍ୟାୟ ନ ମିଳିଲେ ସରକାର ଓ ୧୦୮ ଆମ୍ବୁଲାନ୍ସ ପରିଚାଳନା କରୁଥିବା କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଥାନାରେ ମାମଲା ଦିଆଯିବା ସହ କୋର୍ଟର ଆଶ୍ରୟ ନିଆଯିବ ବୋଲି କହିଛନ୍ତି ବିଜେଡ଼ିର ପ୍ରତିନିଧି ଦଳ ।