ସମିତି ସଭ୍ୟ ଆତ୍ମହତ୍ୟା ମାମଲା, ମୃତ୍ୟୁ ପରେ ମିଳିଲା ନ୍ୟାୟ,ଅଭିଯୁକ୍ତ ଯୁବକ କୋର୍ଟ ଚାଲାଣ

0 139
ଧର୍ମଗଡ : ଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଖୁଣ୍ଟିଆ ପଞ୍ଚାୟତ ର ସମିତି ସଭ୍ୟ ଦେବେନ୍ଦ୍ର ଧରୁଆ ଗତ ୨୪ ତାରିଖରେ ନିଜ ଗାଁ ପିପଳପଡା ଘରେ ଆତ୍ମହତ୍ୟା କରିଥିଲେ।ଆତ୍ମହତ୍ୟା ପୂର୍ବରୁ ସେ କୋକସରା ଥାନା ରେ ଗତ ମାସ ୧୬ ତାରିଖରେ ଲିଖିତ ଅଭିଯୋଗ କରି  ସ୍ଥାନୀୟ ବନ୍ଧପଡା ଗ୍ରାମର ଜଣେ ଯୁବକ ଚିତ୍ତ ଗହୀର(୪୦) ମାନସିକ ନିର୍ଯ୍ୟାତନା ଓ ଜୀବନ ରେ ମାରି ଦେବାକୁ ବାରମ୍ବାର ଧମକଚମକ ଦେଉଥିବା ନେଇ ସୁରକ୍ଷା ଦେବାକୁ ପୋଲିସ ର ଦ୍ୱାରସ୍ଥ ହୋଇଥିଲେ। ତେବେ କୋକସରା ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା କାରଣରୁ ମାନସିକ ଚାପରେ ଆସି ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇ ଝୁଲି ପଡ଼ିଥିଲେ। ଏହି ଘଟଣା ପରେ ବ୍ଲକ ଓ ଜିଲ୍ଲା ଆଦିବାସୀ ସଂଘ ପକ୍ଷରୁ ଘଟଣା କୁ ତୀବ୍ର ବିରୋଧ କରିବା ସହ କୋକସରା ଥାନା ଆଇଆଇସି ଙ୍କୁ ବହିଷ୍କାର କରିବା ଓ ଦୋଷୀ ଅଧିକାରୀ ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଅଭିଯୁକ୍ତ ଯୁବକ କୁ ଗିରଫ କରିବା ପାଇଁ ଜିଲ୍ଲା ପୋଲିସ ଏସ.ପି ଙ୍କ ନିକଟରେ ଫେରାଦ ହୋଇଥିଲେ। ଘଟଣା ରେ ଏସପି ତଦନ୍ତ ନିର୍ଦ୍ଦେଶ ଦେବାସହ କାର୍ଯ୍ୟ ରେ ଅବହେଳା ଯୋଗୁଁ କୋକସରା ଥାନା ଆଇଆଇସି ସ୍ନିଗ୍ଧାରାଣି ସୁନା ଙ୍କୁ ବଦଳି ଓ ଦୁଇ ଏସଆଇ ଅନିଲ ପାଢ଼ୀ ଓ ସନ୍ତୋଷ ନାୟକ ଙ୍କୁ ନିଲମ୍ବନ ଆଦେଶ ଓ ଅଭିଯୁକ୍ତ କୁ ଗିରଫ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପୋଲିସ ପକ୍ଷରୁ ଅଭିଯୁକ୍ତ ଚିତ୍ତ ଗହୀର କୁ ଗିରଫ କରିବା ପାଇଁ ତନାଘନା ଆରମ୍ଭ ପରେ ଫେରାର ଅଭିଯୁକ୍ତକୁ ଓଡିଶା ଛତିଶଗଡ଼ ସୀମା ଅଞ୍ଚଳ ରୁ ବୁଧବାର ଗିରଫ କରାଯାଇଛି । ଗୁରୁବାର ଅଭିଯୁକ୍ତ ଚିତ୍ତ ଗହିର କୁ ମାମଲା ରେ ଦୋଷୀ ସାବ୍ୟସ୍ତ ପରେ ଥାନା କେଶ ନମ୍ବର ୧୯୨/୨୫ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି।   ଯଦି ପୋଲିସ ସମିତି ସଭ୍ୟ ଏତଲା ଦେବାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ହୁଏତ ଦେବେନ୍ଦ୍ର ଧରୁଆ ଆତ୍ମହତ୍ୟା ଭଳି ନିଷ୍ପତ୍ତି ନେଇନଥାନ୍ତେ, ମୃତ୍ୟୁ ପରେ  ଆଦିବାସୀ ସଂଘ ର ହସ୍ତକ୍ଷେପ ପରେ ମୃତକ ଙ୍କୁ ନ୍ୟାୟ ମିଳିଛି।ଯାହାକୁ ନେଇ ପୋଲିସ ର କାର୍ଯ୍ୟଦକ୍ଷତା ଉପରେ ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Leave A Reply

Your email address will not be published.