ନୂଆଦିଲ୍ଲୀ, : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜମ୍ମୁ-କାଶ୍ମୀରରେ ଚିନାବ ନଦୀ ଉପରେ ନିର୍ମିତ ବିଶ୍ୱର ସବୁଠୁ ଉଚ୍ଚ ରେଳ ବ୍ରିଜ୍ର ଉଦ୍ଘାଟନ କରିଛନ୍ତି । ଏଥି ସହିତ ସେ କଟରା ରେଳ ଷ୍ଟେସନରୁ କଟରା ଓ ଶ୍ରୀନଗରକୁ ଯୋଡୁଥିବା ବନ୍ଦେ ଭାରତ ଏକ୍ସପ୍ରେସକୁ ମଧ୍ୟ ସବୁଜ ପତାକା ଦେଖାଇଥିଲେ । ଉଦ୍ଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଉଦ୍ଧମପୁର ଶ୍ରୀନଗରବାରାମୁଲା ରେଳ ଲିଙ୍କ୍ ପ୍ରକଳ୍ପ ସହିତ ଜଡ଼ିତ ଟିମ୍ ସହିତ କଥାବାର୍ତ୍ତା କରିଥିଲେ । ଏହି ଅବସରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ପିଏମଓରେ ରାଜ୍ୟମନ୍ତ୍ରୀ ଡଃ. ଜିତେନ୍ଦ୍ର ସିଂହ, ଜମ୍ମୁ-କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଏବଂ ମୁଖ୍ୟମନ୍ତ୍ରୀ ଉମର ଅବଦୁଲା ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ମୋଦୀ କଂଥନ ଚିନାବ ହଲ୍ଟରେ ପ୍ରକଳ୍ପ ଟିମ୍ ଏବଂ ଶ୍ରମିକ ମାନଙ୍କ ସହିତ ମଧ୍ୟ କଥା ହୋଇଥିଲେ । ସେ ଏହି ପ୍ରକଳ୍ପର ପ୍ରଗତି ବାବଦରେ ତଥ୍ୟ ନେଇଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କହିଛନ୍ତି ଯେ, ୨୨ ଅପ୍ରେଲରେ ପହେଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ କେବଳ ନିର୍ଦୋଷ ଲୋକଙ୍କ ଉପରେ ନୁହେଁ, ବରଂ ମାନବତା ଓ କଶ୍ମୀରିୟତ ଉପରେ ସିଧାସଳଖ ପ୍ରହାର ଥିଲା । ପାକିସ୍ତାନଙ୍କ ଏହି ଷଡଯନ୍ତ୍ର ଭାରତରେ ଦଙ୍ଗା ଭଡ଼କେଇବା ଓ କଶ୍ମୀରର ପରିଶ୍ରମୀ ଲୋକମାନଙ୍କ ଜୀବିକା ଉପରେ ଆଘାତ କରିବା ପାଇଁ ଚେଷ୍ଟା ଥିଲା । କିନ୍ତୁ ଜମ୍ମୁକଶ୍ମୀରର ଲୋକମାନେ ଯେପରି ଏକତା ଓ ସାହସ ସହିତ ଏହାର ଜବାବ ଦେଇଛନ୍ତି, ତାହା ସମଗ୍ର ଦେଶ ଓ ବିଶ୍ୱ ପାଇଁ ଏକ ସ୍ପଷ୍ଟ ବାର୍ତ୍ତା । ସେ କହିଛନ୍ତି ଯେ, ଏହା ସେହି ଆତଙ୍କବାଦ ଯାହା ଘାତିରେ ଥିବା ବିଦ୍ୟାଳୟକୁ ଜଳାଇଦେଇଥିଲା, ହସ୍ପିଟାଲ ଉପରେ ଆକ୍ରମଣ କରିଥିଲା ଓ ଦୁଇ ପିଢ଼ିର ଭବିଷ୍ୟତକୁ ଧ୍ୱଂସ କରିଥିଲା । ଏବେ ଜମ୍ମୁକଶ୍ମୀରର ଯୁବକମାନେ ଆତଙ୍କବାଦକୁ ଦୃଢ଼ ଜବାବ ଦେବାର ସଂକଳ୍ପ ନେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କଟର ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ୪୬ ହଜାର କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ବିଭିନ୍ନ ବିକାଶ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି । ସେ କହିଛନ୍ତି ଯେ, ପହେଲଗାମ ଆକ୍ରମଣ ରାଜ୍ୟର ବିକାଶ ବାତାବରଣକୁ କେବେ ବୁଡାଇ ଦେଇପାରିବ ନାହିଁ । ବିକାଶ ପଥରେ ଆସିଥିବା ପ୍ରତ୍ୟେକ ବାଧାକୁ ପ୍ରଥମେ ‘ମୋଦି’ ସାମ୍ନା କରିବ । ସେ କହିଛନ୍ତି ଯେ, ଆଜି ଜମ୍ମୁ-କଶ୍ମୀରର ଯୁବକମାନେ ବଡ଼ ସ୍ୱପ୍ନ ଦେଖୁଛନ୍ତି ଓ ସେଗୁଡ଼ିକୁ ପୂରଣ ମଧ୍ୟ କରୁଛନ୍ତି । ବଜାର, ମଲ୍ ଓ ସିନେମା ହଲ୍ଗୁଡ଼ିକ ପୁନଃ ଜୀବନ୍ତ ହେଉଛି । ଲୋକମାନେ ଚାହାଁନ୍ତି ଯେ, କଶ୍ମୀର ପୁଣିଥରେ ଫିଲ୍ମ ଶୁଟିଂ ଓ ଖେଳର କେନ୍ଦ୍ର ହେଉ । ପର୍ଯ୍ୟଟନ କେବଳ ଲୋକମାନଙ୍କୁ ଏକତ୍ର କରେ ନାହିଁ, ବରଂ ଚାକିରି ସୃଷ୍ଟି କରେ । କିନ୍ତୁ ପାକିସ୍ତାନ, ଯିଏକି ମାନବତା ଓ ପର୍ଯ୍ୟଟନ ଉଭୟର ବିରୋଧୀ ଅଟେ, ସେ କଶ୍ମୀରର ପର୍ଯ୍ୟଟନ ଓ ଗରିବ ଲୋକମାନଙ୍କ ଜୀବିକାକୁ ଟାର୍ଗେଟ କରୁଛି । ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନକୁ କଡା ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି, “ଆଜି ୬ ଜୁନ । ଏହି ଦିନ ସହ ଏକ ବିଶେଷ ସଂଯୋଗ ରହିଛି । ଆଜିର ଦିନରେ ଠିକ୍ ଏକ ମାସ ପୂର୍ବରୁ, ଏହି ରାତିରେ ହିଁ ପାକିସ୍ତାନୀ ଆତଙ୍କବାଦୀମାନଙ୍କ ଉପରେ ସଙ୍କଟ ପଡିଥିଲା । ଏବେ ପାକିସ୍ତାନ ଯେତେବେଳେ ‘ଅପରେସନ ସିନ୍ଦୂର’ ନାମ ଶୁଣିବ, ସେତେବେଳେ ତାର ଲଜ୍ଜାଜନକ ହାର ମନେପଡିବ । ପାକିସ୍ତାନୀ ସେନା ଓ ଆତଙ୍କବାଦୀମାନେ କେବେ ଚିନ୍ତା କରିନଥିଲେ ଯେ ଭାରତ ପାକିସ୍ତାନ ଭିତରକୁ ପଶି ଏଭଳି ଭାବେ ଆତଙ୍କବାଦୀମାନେ ଉପରେ ଆକ୍ରମଣ କରିପାରିବ । ବର୍ଷଧରି ଯେଉଁ ଆତଙ୍କର ମହଲା ଗଢିଥିଲେ, ସେଗୁଡ଼ିକ କେବଳ କିଛି ମିନିଟ୍ରେ ଧ୍ୱଂସ ହୋଇଗଲା ।” ସେ କହିଛନ୍ତି ଯେ, ଚିନାବ ଓ ଅଞ୍ଜି ପୋଲ୍ ଭାରତର ଇଞ୍ଜିନିୟରିଂ ଶକ୍ତିର ପ୍ରତୀକ । ଏହି ପୋଲ୍ଗୁଡ଼ିକ ଦୁର୍ଗମ ପାହାଡ଼ ଅଞ୍ଚଳରେ ତିଆରି ହୋଇଛି ଓ ବର୍ତ୍ତମାନ ସେଗୁଡ଼ିକ ପର୍ଯ୍ୟଟନ, ବ୍ୟବସାୟ ଓ ସ୍ଥାନୀୟ ଉଦ୍ୟୋଗ ପାଇଁ ମେରୁଦଣ୍ଡ । ଉଧମପୁର-ଶ୍ରୀନଗରବାରାମୁଲା ରେଲ ପ୍ରକଳ୍ପ ଏବେ ଜମ୍ମୁ-କଶ୍ମୀରର ଏକ ନୂଆ ପରିଚୟ ଓ ଭାରତର ଏକ ନୂଆ ଶକ୍ତିର ପ୍ରତୀକ ହୋଇଯାଇଛି । ଜମ୍ମୁ-କଶ୍ମୀରକୁ ଦୁଇଟି ନୂଆ ବନ୍ଦେ ଭାରତ ଟ୍ରେନ୍ ଓ ୪୬ ହଜାର କୋଟି ଟଙ୍କାର ବିକାଶ ପ୍ରକଳ୍ପ ମିଳିଛି, ଯାହା ଏହି ଅଞ୍ଚଳକୁ ଏକ ନୂଆ ଗତି ଦେବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏବେ ଜମ୍ମୁ ଓ ଶ୍ରୀନଗରରେ ଆଇଆଇଟି, ଆଇଆଇଏମ୍, ଏମ୍ସ ଓ ଏନଆଇଟି ପରି ପ୍ରତିଷ୍ଠିତ ସଂସ୍ଥାଗୁଡ଼ିକ ଉପସ୍ଥିତ ଅଛନ୍ତି । ଗତ ପାଞ୍ଚ ବର୍ଷରେ ସାତଟି ନୂଆ ମେଡିକାଲ କଲେଜ ଆରମ୍ଭ କରାଯାଇଛି ଓ ଏମ୍ବିବିଏସ୍ ସିଟ୍ର ସଂଖ୍ୟା ୫୦୦ ରୁ ବଢି ହେବାକୁ ୧୩୦୦ ହୋଇଯାଇଛି । ସେ ଏହାମଧ୍ୟ ଘୋଷଣା କରିଛନ୍ତି ଯେ, ଜିଲ୍ଲାକୁ ଶିଘ୍ର ଏକ ନୂଆ ମେଡିକାଲ କଲେଜ ମିଳିବ, ଯାହାଦ୍ୱାରା ସ୍ୱାସ୍ଥ୍ୟ ସୁବିଧା ଆହୁରି ଉନ୍ନତ ହେବ ।
