ମାଟି ମାଫିଆଙ୍କ ଭୂ-ସ୍ୱର୍ଗ ପାଲଟିଛି ବନ୍ଦର ନଗରୀ ପାରାଦ୍ୱୀପ

0 166

ପାରାଦୀପ,: ମାଟି ମାଫିଆଙ୍କ ଭୂ-ସ୍ୱର୍ଗ ପାଲଟିଛି ପାରାଦୀପ । ଏହି ମାଟି ମାଫିଆମାନେ ଆଇନ କାନୁନକୁ ଜଳାଞ୍ଜଳି ଦେଇ ରାତି ଦିନ ଏକ କରି ଦୈନିକ ଶହ ଶହ ଟ୍ରିପ ମାଟି ବାଲି ଉଠାଇ ବିକ୍ରି କରୁଛନ୍ତି । ପାରାଦ୍ୱୀପ ଅଞ୍ଚଳ ମାଟି ମାଫିଆଙ୍କର ଚରା ଭୁଇଁ ପାଲଟିଛି । ଯାହା ଫଳରେ ସରକାରଙ୍କର କୋଟି କୋଟି ଟଙ୍କାର ରାଜସ୍ୱ ହାନି ହେଉଛି । କେତେକ ମାଫିଆମାନେ ନାମକୁ ମାତ୍ର ତହସିଲ କାର୍ଯ୍ୟାଳୟରେ ୫୦ ସିଏମ ମାଟି ଉଠାଇବାକୁ ରୟାଲିଟୀ କାଟି ୧୦୦୦ ସିଏମ ମାଟି ଉଠାଉଛନ୍ତି । ସବୁଠାରୁ କୌତୁହଳର ବିଷୟ ଶିଳ୍ପ ଉଦ୍ଦେଶ୍ୟରେ ଇଡ଼ିକୋ ଅଧିଗ୍ରହଣ କରିଥିବା ଜମି ଉପରେ ମାଫିଆମାନଙ୍କ ଲୋଲୁପ ଦୃଷ୍ଟି ପଡିଛି । ସେମାନେ ବହୁ ଗୋଷ୍ଠୀରେ ବିଭକ୍ତ ହୋଇ ଏହି ଜମି ଉପରୁ ଦିନ ରାତି ହାଇୱା ଓ ଟ୍ରାକ୍ଟର ସାହାଯ୍ୟରେ ହଜାର ହଜାର ଟ୍ରିପ୍ ମାଟି ବାଲି ଉଠାଇ ଚୋରା ଚାଲାଣ କରୁଥିଲେ ବି ସୁଦ୍ଧା ରାଜସ୍ୱ ବିଭାଗ ଓ ଖଣି ବିଭାଗର ନିରବତାକୁ ନେଇ ପ୍ରଶ୍ନ ଉଠୁଛି । ଆହୁରି ମଧ୍ୟ ଏମାନେ ଗୋଟିଏ ପ୍ଲଟରୁ ମାଟି ଉଠାଇବା ନିମନ୍ତେ କ୍ୱିଚିତ ରାଜସ୍ୱ ଦାଖଲ କରି ଅନୁମତି ପ୍ରାପ୍ତ ହେବା ପରେ ଅନ୍ୟ ପ୍ଲଟରୁ ମାଟି ଉଠାଉଥିବାର ଲକ୍ଷ୍ୟ କରାଯାଉଛି । ତହସିଲ କାର୍ଯ୍ୟାଳୟ ଖୋଲିବା ମାତ୍ରେ ମାଟି ମାଫିଆମାନଙ୍କୁ ସାହାଯ୍ୟ କରୁଥିବା ଦଲାଲମାନେ ଦାୟିତ୍ୱରେ ଥିବା ସଂପୃକ୍ତ କିରାଣୀ ନିକଟରେ ଭିଡ ଜମାଉଛନ୍ତି । ତହସିଲର କେତେକ କର୍ମଚାରୀ ମାଫିଆ ମାନଙ୍କ ଠାରୁ ମୋଟା ଅଙ୍କର ଲାଞ୍ଚ ନେଇ ସେମାନଙ୍କୁ ଗଳା ବାଟର ସୂତ୍ର ବତାଇ ଦେଉଥିବା ନେଇ ସାଧାରଣରେ ଆଲୋଚନା ହେଉଛି । ଯେଉଁଭଳି ବର୍ତ୍ତମାନ ମାଟି ମାଫିଆ ମାନେ ସକ୍ରିୟ ହୋଇ ଉଠିଛନ୍ତି ଯଦି ତାଙ୍କର ଏହି ସକ୍ରୀୟତା ଜାରି ରହେ ଆଗାମୀ ଦୁଇ ବର୍ଷ ମଧ୍ୟରେ ଚାଷ ଜମି ଲୋପ ପାଇବା ସାଙ୍ଗକୁ କୁଜଙ୍ଗ ତହସିଲ ଅଞ୍ଚଳର ଅର୍ଦ୍ଧାଧିକ ଅଞ୍ଚଳ ଜଳ ଭାଗରେ ପରିଣତ ହେବା ନିଶ୍ଚିତ । ଏହା ସହ ପଥଚାରୀ ମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ବେଳେ ଆନେକ ଜୀବନ ଏହି ବାଲି ଆଉ ମାଟି ମାଫିଆଙ୍କ ଗାଡି ଚକା ତଳେ ଚାଲିଯାଉଛି । ଚୋରା ମାଟି ଚାଲାଣ କରୁଥିବା ମାଫିଆମାନଙ୍କ ପ୍ରତି କେବେ ହେଉଛି ପ୍ରଶାସନର କାର୍ଯ୍ୟାନୁଷ୍ଠାନ ତାହା ଉପରେ ରହିଛି ସମସ୍ତଙ୍କ ନଜର ।

Leave A Reply

Your email address will not be published.