ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ଓ ଲଦାଖରେ ପ୍ରବଳ ଶୀତ ଆରମ୍ଭ ହେବା ମାତ୍ରେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା ପାଇଁ ଭାରତୀୟ ସେନା ଜୋଜିଲା ପାସ୍ ନିକଟରେ ୧୧, ୫୦୦ ଫୁଟ ଉଚ୍ଚତାରେ “ଫୋର୍ଜ ଥଣ୍ଡରଷ୍ଟୋର୍ମ’ ତୋପ ମୁତୟନ କରିଛି । ଧ୍ରୁବ କମାଣ୍ଡ ନାମରେ ପରିଚିତ ଉତ୍ତର କମାଣ୍ଡ ଅଧୀନରେ ଥିବା ସେନାର ଆର୍ଟିଲାରୀ ରେଜିମେଣ୍ଟ ପକ୍ଷରୁ ଏସବୁର ମୁତୟନ କରାଯାଇଛି । ଶୀତଋତୁରେ ଚୀନ ଓ ପାକିସ୍ତାନୀ ସୈନ୍ୟଙ୍କ ଅନୁପ୍ରବେଶ ଆଶଙ୍କାକୁ ରୋକିବାକୁ ଏପରି ପଦକ୍ଷେପ ନିଆଯାଇଛି ।ଏହି ତୋପ ମୁତୟନ ସହ ରେଜିମେଣ୍ଟ ପକ୍ଷରୁ ଲଦାଖର ବିପଦପୂର୍ଣ୍ଣ ପର୍ବତରେ ଥିବା ଜୋଜିଲା ପାସ୍ ନିକଟରେ ଅଭ୍ୟାସ କରାଯାଇଛି । ଲଦାଖର ପ୍ରବଳ ଥଣ୍ଡାରେ ସେନାକୁ ପ୍ରସ୍ତୁତ ରଖିବାକୁ ଏହି ଅଭ୍ୟାସ କରାଯାଇଛି । ଏହି ଅଭ୍ୟାସ ବେଳେ ଟାର୍ଗେଟ ନିର୍ଦ୍ଧାରଣ କରିବା ପାଇଁ ଥର୍ମାଲ ଇମେଜିଂ ପର୍ଯ୍ୟବେକ୍ଷଣ ଉପକରଣ ଏବଂ ଏକ ଭିଜନ ଡାଏଲ ବ୍ୟବହାର କରାଯାଇଥିଲା । ଅଧିକାରୀମାନେ ସୈନିକମାନଙ୍କୁ ଆକ୍ସନ ପ୍ଲାନ ବିଷୟରେ ଅବଗତ କରାଇଥିଲେ । ଫିଲ୍ଡ ବନ୍ଧୁକର ଉଚ୍ଚତା ନିର୍ଦ୍ଧାରିତ ଲକ୍ଷ୍ୟ ଅନୁଯାୟୀ କ୍ୟାଲିବ୍ରେଟ୍ କରାଯାଇଥିଲା । ୧୯୪୭-୪୮ ର ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଜୋଜିଲା ପାସ୍ ପାକିସ୍ତାନୀ ଆକ୍ରମଣକାରୀଙ୍କ ହାତକୁ ଯାଇଥିଲା ଏବଂ ଲେହର ସୁରକ୍ଷା ପାଇଁ ଏହାକୁ ପୁଣି ଦଖଲ କରିବା ଗୁରୁତ୍ୱପୂର୍ଣ୍ଣ ଥିଲା । ଜୋଜିଲା ପାସ୍କୁ ଦଖଲ କରିବା ପାଇଁ ଭାରତୀୟ ସେନା ଅପରେସନ୍ ବାଇସନ୍ ଆରମ୍ଭ କରିଥିଲା ।