ପୁରୀ,୨୨ା୧୧ : ଗୁରୁବାରଠାରୁ ଆରମ୍ଭ ହେଉଛି ପଞ୍ଚୁକ । ପଞ୍ଚୁକର ପାଞ୍ଚ ଦିନରେ ମହାପ୍ରଭୁଙ୍କ ଚିତ୍ତାକର୍ଷକ ୫ଟି ବେଶ ଦର୍ଶନ କରି ହବିଷ୍ୟାଳି ଓ ସାଧାରଣ ଭକ୍ତ କାର୍ତ୍ତିକ ମାସକୁ ବିଦାୟ ଦେବେ । ବିଶ୍ୱାସ ରହିଛି, ମାସସାରା ବ୍ରତ ରଖି ଯେତିକି ପୁଣ୍ୟ ମିଳିଥାଏ । ପଞ୍ଚୁକ ପାଞ୍ଚଦିନ ବ୍ରତ ରଖିଲେ ଅଧିକ ପୁଣ୍ୟ ମିଳିଥାଏ । ତେଣୁ ଗୁରୁବାର ବଡ଼ ଏକାଦଶୀଠାରୁ ଶ୍ରୀକ୍ଷେତ୍ରରେ ପଞ୍ଚୁକ ପାଞ୍ଚଦିନ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ, ମନ୍ଦିର ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ମଙ୍ଗଳବାର ଜିଲ୍ଲାପାଳ ସମର୍ଥ ବର୍ମା, କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ ଏବଂ ଏସ୍ପି ଡ. କନୱର ବିଶାଲ ସିଂ ପ୍ରସ୍ତୁତିର ସ୍ଥିତି ପରଖିଛନ୍ତି । ମନ୍ଦିର ଭିତରେ ଏବଂ ବାହାରେ ବୁଲି ଦର୍ଶନ ବ୍ୟବସ୍ଥା କିପରି ଶୃଙ୍ଖଳିତ ହେବ ଏବଂ ଶ୍ରଦ୍ଧାଳୁମାନେ ଭଲ ଅନୁଭୂତି ନେଇ ଫେରିବେ ତା’ ଉପରେ ବିଶେଷ ନଜର ଦେଇଛନ୍ତି । ଶ୍ରୀମନ୍ଦିରକୁ ଏବେ ପ୍ରତିଦିନ ୮୦ ହଜାରରୁ ୧ ଲକ୍ଷ ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ଆସୁଛନ୍ତି । କାର୍ତ୍ତିକ ଶେଷ ପାଞ୍ଚଦିନ ଏହି ସଂଖ୍ୟା ଢେର ବୃଦ୍ଧି ପାଇବ । ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପାଶ୍ୱର୍ ଶ୍ରୀକୃଷ୍ଣ ସିନେମା ଗଳି ନିକଟରେ ୪ଟି ଏବଂ ଦୋଳବେଦୀ କୋଣ ନିକଟରେ ୮ଟି ଏହିପରି ମୋଟ ୧୨ଟି ଅସ୍ଥାୟୀ ଶୌଚାଳୟ ନିର୍ମାଣ କରାଯିବ । ସେହିପରି ବଡ଼ଦାଣ୍ଡରେ ସିଂହଦ୍ୱାରଠାରୁ ମାର୍କେଟ୍ ଛକ ପର୍ଯ୍ୟନ୍ତ ସମସ୍ତ ଉଠାଦୋକାନ ବନ୍ଦ ରହିବ । ପଞ୍ଚୁକ ସମୟରେ ୪୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ବର୍ତ୍ତମାନ ଯେଉଁ ବ୍ୟାରିକେଡ୍ ରହିଛି, ତାହା ମରୀଚିକୋଟ ଛକ ପର୍ଯ୍ୟନ୍ତ ଲମ୍ବିବ ବୋଲି ଜଣାପଡ଼ିଛି । ବରିଷ୍ଠ ନାଗରିକ, ମହିଳା ଓ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ । ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଭକ୍ତମାନେ ମରୀଚିକୋଟ ଛକଠାରୁ ଅସ୍ଥାୟୀ ବ୍ୟାରିକେଡରେ ପ୍ରବେଶ କରି ସିଂହଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବେ । ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମରୀଚିକୋଟ ଛକଠାରୁ ସିଂହଦ୍ୱାର ଆଡକୁ କୌଣସି ଗାଡ଼ି ଛଡାଯିବ ନାହିଁ । କେବଳ ଭକ୍ତ ଏବଂ ଜନସାଧାରଣ ପାଦରେ ଚାଲି ଚାଲି ଯିବେ । କେବଳ ଯାତ୍ରୀବାହୀ ବସ୍ ସହର ଭିତରକୁ ଆସିବ । ଟୁରିଷ୍ଟ ବସ୍ ମାଳତୀପାଟପୁର କିମ୍ବା ତାଳବଣିଆ ଆଡ଼କୁ ଡାଇଭର୍ସନ କରାଯିବ । କାର ଏବଂ ବାଇକ୍ ଜଗନ୍ନାଥ ବଲ୍ଲଭ ପାର୍କିଂକୁ ଛଡ଼ାଯିବ । ଏହି ପାର୍କିଂ ଫୁଲ୍ ହୋଇଯିବା ପରେ ମେଡିକାଲ ଛକଠାରୁ ଗାଡ଼ିଗୁଡ଼ିକ ଡାଇଭର୍ସନ କରଯାଇ ଶରଧାବାଲି କିମ୍ବା ବ୍ଲୁ ଫ୍ଲାଗ ପାର୍କିଂକୁ ପଠାଯିବ ।