ସପ୍ତମ ଜିଲ୍ଲା ପରିଷଦ ଏବଂ ଦିଶା କମିଟି ବୈଠକ

Seventh District Council and Disha Committee Meeting

0 102

ଛତ୍ରପୁର, 18/7: ୭ମ ଜିଲ୍ଲା ପରିଷଦ ବୈଠକ ଓ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ପର୍ଯ୍ୟାଲୋଚନା କମିଟି ବୈଠକ ଶୁକ୍ରବାର ଛତ୍ରପୁର ଜିଲ୍ଲା ପରିଷଦ କାର୍ଯ୍ୟାଳୟର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମତ୍ସ୍ୟ ଓ ପଶୁପାଳନ, ପ୍ରାଣୀ ସମ୍ପଦ ବିଭାଗ, ଆସ୍କା ସାଂସଦ ଅନିତା ସୁଭଦର୍ଶନି ପଟ୍ଟନାୟକ, ବ୍ରହ୍ମପୁର ସାଂସଦ ଡ଼ ପ୍ରଦୀପ କୁମାର ପାଣିଗ୍ରାହୀ, ଜିଲ୍ଲା ପରିଷଦ ଉପାଧକ୍ଷା ଏସ ରଜେଶ୍ୱରୀ ଦୋରା, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରାୟ, ଆସ୍କା ବିଧାୟକ ସରୋଜ କୁମାର ପାଢ଼ୀ, ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା ଓ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧୁମିତା ମଞ୍ଚାସିନ ଥିଲେ । ପ୍ରାରମ୍ଭରେ ବନ୍ଦେ ଉକ୍ରଳ ଜନନୀ ଗାନ କରାଯାଇ ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟର ମୃତ୍ୟୁବରଣ କରିଥିବା ଛାତ୍ରୀ ସୌମ୍ୟାଶ୍ରୀଙ୍କ ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ପ୍ରଥମେ ଜିଲ୍ଲାପାଳ ଶ୍ରୀ ପରିଡ଼ା ସ୍ୱାଗତ ଭାଷଣରେ ସରକାରଙ୍କ ସମସ୍ତ ଯୋଜନା ଗୁଡିକ ଲୋକଲୋଚନକୁ ଆଣି ସେଗୁଡିକ କାର୍ଯ୍ୟକାରୀ କରିବା ପାଇଁ ପରାମର୍ଶ ଦେଇଥିଲେ । ମଞ୍ଚାସିନ ଅତିଥି ବୃନ୍ଦ ଗଞ୍ଜାମ ଜିଲ୍ଲାର ଉନ୍ନତି ପ୍ରତି ଧ୍ୟାନ ଦେବା, ସରକାର ଓ ଜନପ୍ରତିନିଧି ମିଳିମିଶି କାମ କରିବା, ରାଜ୍ୟ ଓ କେନ୍ଦ୍ର ଯୋଜନାକୁ ଗୁରୁତ୍ୱ ଦେବା, ରେଲୱେ, ସଡ଼କ, ଯୁବକ ଓ ଯୁବତୀଙ୍କ ନିଯୁକ୍ତି ପ୍ରତି ଧ୍ୟାନ ଦେବା, ଶିଳ୍ପର ବିକାଶ, ଗଞ୍ଜାମ ଜିଲ୍ଲାକୁ ସରସ, ସୁନ୍ଦର ଓ ବିକଶିତ ଜିଲ୍ଲାରେ ପରିଣତ କରିବା ପାଇଁ ଗୁରୁତ୍ୱ ଦେବା ବୋଲି କହିଥିଲେ । ଉକ୍ତ ବୈଠକରେ ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ବିଭାଗ ତଥା ଗ୍ରାମ୍ୟ ଜଳ ଯୋଗାଣ ପରିମଳ, ଗ୍ରାମ୍ୟ ଉନ୍ନୟନ ବିଭାଗ, ରାସ୍ତା ଓ କୋଠାବାଡ଼ି, କୃଷି ଓ କୃଷକ ସଶକ୍ତି କରଣ, ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଖାଦ୍ୟ ଯୋଗାଣ, ଜଳ ସେଚନ ପ୍ରକଳ୍ପ, ଉଦ୍ୟାନ, ଓଡ଼ିଶା ଜୀବିକା ମିଶନ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ, ବିଦ୍ୟୁତ ବିଭାଗ, ମୃତ୍ତିକା ସଂରକ୍ଷଣ, ଜଙ୍ଗଲ ଓ ପରିବେଶ, ପାନୀୟ ଜଳ ଓ ପରିମଳ, ଶ୍ରମ ଓ ନିଯୁକ୍ତି, ପରିବହନ ଓ ଅବକାରୀ ପ୍ରଭୁତି ବିଷୟକୁ ନେଇ ଜିଲ୍ଲା ପରିଷଦ ସଭ୍ୟ, ସଭ୍ୟା, ବ୍ଲକ ଅଧ୍ୟକ୍ଷ, ଅଧ୍ୟକ୍ଷା ଓ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ହୋଇଥିଲା । ଜିଲ୍ଲା ପରିଷଦ ସଦସ୍ୟ ଓ ସଦସ୍ୟା ନିଜ ନିଜ ଅଞ୍ଚଳର ଯାହା ସବୁ ଅସୁବିଧା ରହିଛି ସେହି ବିଷୟରେ ଆଲୋଚନା ହୋଇଥିଲା । ମତ୍ସ୍ୟ ଓ ପ୍ରାଣୀ ସମ୍ପଦ, ଜଙ୍ଗଲ, ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ଉପରେ ଆଲୋଚନା କରାଯାଇଥିଲା । ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ ଓ ଯୋଜନା ଗୁଡିକ ତୃଣମୂଳ ସ୍ତରରେ ପହଞ୍ଚାଇବା ନିମନ୍ତେ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ପ୍ରତି ଗ୍ରାମକୁ ବିଦ୍ୟୁତ ସେବା ଯୋଗାଇଦେବା ନିମନ୍ତେ ପରାମର୍ଶ ଦିଆଯାଇଥିଲା । ଦୁର୍ଗମ ଅଞ୍ଚଳକୁ ସଡକ ବ୍ୟବସ୍ଥାର ସୁବିଧା କରାଯିବାପାଇଁ କୁହାଯାଇଥିଲା । ଏହି ବୈଠକରେ ଗଞ୍ଜାମ ଜିଲ୍ଲା ପରିଷଦର ସମସ୍ତ ସଦସ୍ୟ ସଦସ୍ୟା, ବ୍ଲକ ଅଧ୍ୟକ୍ଷ ଅଧ୍ୟକ୍ଷା, ଜନ ପ୍ରତିନିଧି, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.