ପୁରୀ, : ଆଗାମୀ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ଲାଗି ବିଭିନ୍ନ ବିଭାଗ ମଧ୍ୟରେ ସୁସମନ୍ୱୟର ଏକ ମକ ଡ୍ରିଲ ଅନୁଷ୍ଠିତ ହୋଇଯାଇଛି । ଟାଉନ ଥାନା ପରିସରର ସମନ୍ୱିତ ନିୟନ୍ତ୍ରଣ କକ୍ଷ (ଇଣ୍ଟିଗ୍ରେଟେଡ କମାଣ୍ଡ ଓ କଣ୍ଟ୍ରୋଲ କେନ୍ଦ୍ର)ରେ ଅନୁଷ୍ଠିତ ଏହି ମକ ଡ୍ରିଲରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା କହିଥିଲେ ଚଳିତ ରଥଯାତ୍ରାକୁ ଦୁର୍ଘଟଣା ମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବ ବର୍ଷ ତୁଳନାରେ ଚଳିତବର୍ଷ ଅଧିକ ଜନ ଗହଳି ଆଶା କରାଯାଉଛି । ତେଣୁ ଯାତ୍ରୀଙ୍କ ସୁବିଧା ଓ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି । ସମସ୍ତ କାର୍ଯ୍ୟକୁ ବିଭିନ୍ନ ବିଭାଗ ସଠିକ ଭାବେ ପରିଚାଳନା କରୁଛନ୍ତି । ତାହାର ଏକ ବାସ୍ତବ ବ୍ୟବସ୍ଥାର ଅନୁଧ୍ୟାନ ପାଇଁ ଆଜିର ଏହି ମକ ଡ୍ରିଲର ପରିକଳ୍ପନା । ପୂର୍ବରୁ ଏହା ମଧ୍ୟ କରାଯାଇଥିଲା । ଏହି ମକ ଡ୍ରିଲ ଦ୍ୱାରା ଆମେ ସଶକ୍ତ ହେବା ସହ କାର୍ଯ୍ୟକୁ ଖୁବ୍ ଭଲ ଭାବେ ପରିଚାଳନା କରିବାର ଅଭିଜ୍ଞତା ହାସଲ କରିବା ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା କହିଥିଲେ । ସମସ୍ତ ବିଭାଗ ତାଙ୍କର ଦାୟିତ୍ୱକୁ ବୁଝିବା ଓ ଅନ୍ୟବିଭାଗ ସହ ସମନ୍ୱୟ ରଖି କାର୍ଯ୍ୟ କରିବା ଲକ୍ଷ୍ୟରେ ଏହି ମକ ଡ୍ରିଲ ବେଶ ସହାୟକ ହେବ । ଶ୍ରୀକ୍ଷେତ୍ର ଆସିବାକୁ ଥିବା ଶ୍ରଦ୍ଧାଳୁମାନେ ଯେପରି ଏକ ସୁଖଦ ଅନୁଭୂତି ନେଇ ଫେରିବେ ତାହା ଆମମାନଙ୍କ ଦାୟିତ୍ୱ ବୋଲି ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟୋକଲ) ନିଳମାଧବ ଭୋଇ କହିଥିଲେ । ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ଉପଜିଲ୍ଲାପାଳ ରାଜ କିଶୋର ଜେନା, ଅତିରିକ୍ତ ଏସପି ସୌମ୍ୟ ରଞ୍ଜନ ମଲ୍ଲିକ, ଏନଡିଆରଏଫ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ନବୀନ ଏସ ରାଣା ଓ ସିଡିଏମଓ ଡା ଅକ୍ଷୟ ଶତପଥୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ପ୍ରାରମ୍ଭିକ ସୂଚନା ଦେଇଥିଲେ । ମୁଣ୍ଡୁଳୀ ଏନଡିଆରଏଫ ଥାର୍ଡ ବାଟାଲିୟନର କାର୍ଯ୍ୟକର୍ତ୍ତା, ଓଡ୍ରାଫ, ଅଗ୍ନିଶମ, ସ୍ୱାସ୍ଥ୍ୟ ବିଭାଗ ସମେତ, ଅନ୍ୟାନ୍ୟ ବିଭାଗ ଅଧିକାରୀମାନଙ୍କ ସହିତ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାମାନେ ମକ ଡ୍ରିଲ ପରିଚାଳନା କରିଥିଲେ । ରଥଯାତ୍ରା ସମୟରେ କୌଣସି ଘଟଣା ଦୁର୍ଘଟଣା ଘଟିଲେ କିପରି ତାହାର ସଫଳ ମୁକାବିଲା ତ୍ୱରାନ୍ୱିତ ଭାବେ କରାଯାଇ ପାରିବ ତାହାର କୌଶଳ ପ୍ରଦର୍ଶନ କରାଯାଇ ସଚେତନ କରାଯାଇଥିଲା । ଓସଡାମାର ଡିଜିଏମ ସୁନିଲ କୁମାର ସାହୁ ମାର୍ଗଦର୍ଶିକା ଅନୁସାରେ ମକଡ୍ରିଲ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର ମନୀଷା ଷଡ଼ଙ୍ଗୀ, ସହକାରୀ କଲେକ୍ଟର ପଞ୍ଚାନନ ପରିଜା ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲା ଜରୁରୀ ବିଭାଗ ଡିପିଓ ସୁକାନ୍ତ କୁମାର ଦାଶ, ଆଦିତ୍ୟ କୁମାର ବରାଳ, ରାମକୃଷ୍ଣ ବଡଜେନା, ରଞ୍ଜନ କୁମାର ବେହେରା, ଅଶୋକ କୁମାର ମଲ୍ଲିକ, ରୂପଶ୍ରୀ ପଣ୍ଡା, ସୁଶ୍ରୀ ସଂଗୀତା ମହାପାତ୍ର, ମମତା ବାରିକ, ସଞ୍ଜୟ ମହାପାତ୍ର, ସୁମନ ମହାପାତ୍ର, ବିଶ୍ୱ ଭୂଷଣ ଦାଶ ଓ ପ୍ରଭାକର ବେହେରା ପ୍ରମୁଖ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ ।