ରାଧାପାଦ ଦର୍ଶନ କଲେ ଲକ୍ଷ ଲକ୍ଷ ଭକ୍ତ

Lakhs of devotees saw Radhapad

0 194

ପୁରୀ,୨୧ା୧୧ : ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁ ଆଜି ସାକ୍ଷୀଗୋପିନାଥ ମନ୍ଦିରକୁ ଯାଇ ରାଧାପାଦ ଦର୍ଶନ କରିବାର ସୁଯୋଗ ପାଇଛନ୍ତି । କାର୍ତ୍ତିକ ଶୁକ୍ଳ ନବମୀ ତିଥିରେ ଉତ୍ସବ ମୁଖର ହୋଇଉଠିଛି ସାକ୍ଷୀଗୋପିନାଥ ମନ୍ଦିର । ବର୍ଷକରେ ଗୋଟିଏ ଦିନ ଅର୍ଥାତ ଅଁଳା ନବମୀରେ ଶ୍ରୀରାଧାଙ୍କୁ ଓଡ଼ିଆଣି ବେଶରେ ସଜ୍ଜିତ କରାଯାଇଥାଏ । ଶ୍ରୀରାଧା ଓଡ଼ିଆଣି ବେଶରେ ସଜ୍ଜ୍‌ିତ ହେଲେ ଦର୍ଶନାର୍ଥୀମାନେ ତାଙ୍କ ପାଦ ଦର୍ଶନର ସୁଯୋଗ ପାଇଥାନ୍ତି । କାର୍ତ୍ତିକ ମାସରେ ହବିଷ୍ୟ କରୁଥିବା ବ୍ରତ ଚାରିଣୀ ଓ ସାଧାରଣ ଭକ୍ତମାନେ ନଟବର ବେଶରେ ସାକ୍ଷୀ ଗୋପିନାଥ ଓ ଓଡିଆଣୀ ବେଶରେ ଶ୍ରୀରାଧାଙ୍କୁ ଦର୍ଶନ କରିଥିଲେ । ନୀତି ନିର୍ଘଣ୍ଟ ଅନୁଯାୟୀ ଗତକାଲି ରାତି ଗୋଟାଏରେ ମନ୍ଦିରର ଦ୍ୱାର ଫିଟିଥିଲା । ରାତି ସାଢେ ଗୋଟାଏରୁ ମଙ୍ଗଳଆଳତି, ମଇଲମ୍‌, ଅବକାଶ ଆଦି ନୀତି ଶେଷ ହେବା ପରେ ସିଂହାରୀସେବକମାନେ ଶ୍ରୀରାଧାଙ୍କୁ ଭଣ୍ଡାରଘରୁ ଅଣାଯାଇଥିବା ସ୍ୱର୍ଣ୍ଣ ଅଳଙ୍କର ସଜ୍ଜିତ କରାଇଥିଲେ । ଶ୍ରୀରାଧା ଓଡ଼ିଆଣୀ ବେଶରେ ସ୍ୱର୍ଣ୍ଣ କରିଟି, ଅଁଳାମାଳି, ହରିଡ଼ାମାଳି, ବାଘନଖିମାଳି, ଡେ଼ଉଁରିଆ, ମାଳ, କମରପଟି, ଦ୍ରାବିଡ଼ଚନ୍ଦ୍ର, ମୟୁରବସାଗୁଣା, ତାବିଜ, ସେବତୀହାର, ପାଦପଦ୍ମ, ପାଉଁଜି ଓ ଝୁଣ୍ଟିଆ ଆଦି ଆଭୁଷଣ ପରିଧାନ କରିଥିଲେ । ସାକ୍ଷୀଗୋପୀନାଥଙ୍କୁ ନଟବର ବେଶରେ ସଜ୍ଜ୍‌ିତ କରାଯାଇଥିଲା । ଭୋର ସାଢେ ୫ଟାରେ ସେବାୟତ ଓ ମନ୍ଦିର କର୍ମଚାରୀମାନେ ଦର୍ଶନ କରିବା ପରେ ଆରମ୍ଭ ହୋଇଥିଲା ସାହାଣମେଲା ଦର୍ଶନ । ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଶୃଙ୍ଖଳିତ ଦର୍ଶନ ପାଇଁ ନିର୍ମିତ ବ୍ୟାରିକେଡ଼ ମଧ୍ୟରେ ସିଂହଦ୍ୱାର ଦେଇ ମନ୍ଦିରରେ ଭକ୍ତମାନେ ପ୍ରବେଶ କରିଥିଲେ । ଦର୍ଶନ ପରେ ଶ୍ରଦ୍ଧାଳୁମାନେ ଉତ୍ତରଦ୍ୱାର ଦେଇ ପ୍ରସ୍ଥାନ କରିଥିଲେ । ପାନୀୟ ଜଳ ଓ ପାର୍କିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବାବେଳେ ମନ୍ଦିର ବାହାରେ ସିସି ଟିଭି ଲଗାଯାଇଥିଲା । ଜିଲ୍ଲା ପୁଲିସ ପକ୍ଷରୁ ଯାତ୍ରୀ ସମାଗମକୁ ଦୃଷ୍ଟିରେ ରଖି ଟ୍ରାଫିକ୍‌ ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି଼ କରାଯାଇଥିଲା । ସୁରକ୍ଷା ଦାୟିତ୍ୱରେ୨୦ପ୍ଲାଟୁନ୍‌ ଫୋର୍ସ,୬ଜଣ ଡ଼ିଏସ୍‌ପି ପାହ୍ୟାର ଅଧିକାରୀ ଓ ୫୦ଜଣ ଅଫିସର ନିୟୋଜିତ ହୋଇଥିଲେ । ଦୁଇଜଣ ଅତିରିକ୍ତ ଏସ୍‌ପି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ ।

Leave A Reply

Your email address will not be published.