ରଥଯାତ୍ରା ପ୍ରସ୍ତୁତିର ଅନୁଧ୍ୟାନ କଲା ମନ୍ତ୍ରୀ କମିଟ

0 130

ପୁରୀ, : ନିକଟ ହୋଇ ଆସିଲାଣି ଚଳିତ ବର୍ଷର ରଥଯାତ୍ରା । ସମସ୍ତ କାର୍ଯ୍ୟକୁ ଚୁଡାନ୍ତ ରୂପ ଦେବାକୁ ସରକାର, ପ୍ରଶାସନ ଓ ସେବାୟତମାନେ ତତ୍ପର । ରଥଯାତ୍ରା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ମନ୍ତ୍ରୀ କମିଟି ଗୁରୁବାର ରଥଯାତ୍ରା ପ୍ରସ୍ତୁତିର ଅନୁଧ୍ୟାନ କରିବା ସହିତ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ରଥଯାତ୍ରାକୁ ଆସିବାକୁଥିବା ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ତଥା ସୁରକ୍ଷିତ ଭାବେ ଦର୍ଶନ କରିପାରିବେ । ସୁଖଦ ଅନୁଭୂତି ନେଇ ଫେରିବେ ସେଥି ପାଇଁ ପ୍ରତ୍ୟେକ ଉତ୍ତରଦାୟୀ ଭାବେ କାର୍ଯ୍ୟ କରିବାକୁ ରଥଯାତ୍ରା ପାଇଁ ଗଠିତ ମନ୍ତ୍ରୀସ୍ତରୀୟ କମିଟି ପରାମର୍ଶ ଦେଇଛି । ଗୁରୁବାର ପୂର୍ବାହ୍ନରେ ଉପ ମୁଖ୍ୟମନ୍ତ୍ରୀ ତଥା ରଥଯାତ୍ରା ପାଇଁ ଗଠିତ ମନ୍ତ୍ରୀସ୍ତରୀୟ କମିଟିର ଅଧ୍ୟକ୍ଷ ପ୍ରଭାତୀ ପରିଡା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଏବଂ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ପ୍ରମୁଖ ସ୍ଥାନୀୟ ସ୍ୱତନ୍ତ୍ର ସର୍କିଟ ହାଉସ ଠାରେ ପହଞ୍ଚିବା ପରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସେମାନଙ୍କୁ ସ୍ୱାଗତ କରି ରଥଯାତ୍ରା ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଇଥିଲେ । ପରେ ପରେ ଉପ ମୁଖ୍ୟମନ୍ତ୍ରୀ କମିଟିର ଅନ୍ୟ ସଦସ୍ୟ ତଥା ମନ୍ତ୍ରୀମାନେ ରଥଖଳା ପରିଦର୍ଶନ କରି ରଥ ନିର୍ମାଣର ଅଗ୍ରଗତି ଅନୁଧ୍ୟାନ କରିଥିଲେ । ଏହା ପରେ ସିଂହଦ୍ୱାର ଓ ଶ୍ରୀମନ୍ଦିର ପରିଦର୍ଶନ କରିବା ସହ ଅତିଥିମାନଙ୍କ ବସିବା ବ୍ୟବସ୍ଥାର ତଦାରଖ କରିଥିଲେ । ଏହାପରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା ସମୀକ୍ଷା ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢ଼ୀ ସମସ୍ତଙ୍କୁ ସ୍ୱାଗତ କରି ରଥଯାତ୍ରା ନିତୀକାନ୍ତି ସମ୍ପର୍କରେ ସୂଚନା ଦେଇଥିଲେ । ଏଥିସହ ନିର୍ଦ୍ଧାରିତ ସମୟ ମଧ୍ୟରେ ନୀତି ସମ୍ପନ୍ନ ପାଇଁ ସେବାୟତମାନଙ୍କ ସହ ହୋଇଥିବା ଆଲୋଚନା ସମ୍ପର୍କରେ ମଧ୍ୟ ଅବଗତ କରାଇଥିଲେ । ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ସ୍ୱାସ୍ଥ୍ୟ ବ୍ୟବସ୍ଥା ସମ୍ପର୍କରେ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା.ମହାପାତ୍ର ସ୍ୱଚ୍ଛତା, ଡ୍ରେନ ସଫା, ଆଲୋକ ବ୍ୟବସ୍ଥା ସମ୍ପର୍କରେ ଏବଂ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ଜେନା ପରିବହନ ବ୍ୟବସ୍ଥା, ପାର୍କିଂ ସ୍ଥଳ, ୨୦୦ଅଟୋରେ ମାଗଣାରେ ଯାତ୍ରୀ ପରିବହନ ବ୍ୟବସ୍ଥା ତଥା ଯାତ୍ରୀମାନଙ୍କ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ । ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ପାଢ଼ୀ ସମସ୍ତଙ୍କୁ ଖଣ୍ଡୁଆ ପାଟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପରେ ପରେ ଉଚ୍ଚସ୍ତରୀୟ ମନ୍ତ୍ରୀ କମିଟି ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ସ୍ୱାସ୍ଥ୍ୟ ବ୍ୟବସ୍ଥାର ଅନୁଧ୍ୟାନ କରିବା ସହ ବିଭିନ୍ନ ପରାମର୍ଶମାନ ଦେଇଥିଲେ । ମନ୍ତ୍ରିସ୍ତରୀୟ କମିଟିର ସଦସ୍ୟମାନେ ଗୁଣ୍ଡିଚା ମନ୍ଦିର ମଧ୍ୟ ପରିଦର୍ଶନ କରିଥିଲେ । ଅପରାହ୍ନରେ ସର୍କିଟ ହାଉସଠାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଶ୍ରୀମତୀ ପରିଡା ଏଥିରେ ଅଧ୍ୟକ୍ଷତା କରି ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା, ସୂଚନା କେନ୍ଦ୍ର ଗୁଡିକ ସଠିକ ପରିଚାଳନା କରିବା, ଯାତ୍ରୀମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବା, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ପାନୀୟ ଜଳ ଯୋଗାଣ, ରାସ୍ତା ମରାମତି, ସୁରକ୍ଷା ବ୍ୟବସ୍ଥା, ଶାନ୍ତି ଶୃଙ୍ଖଳା ରକ୍ଷା, ଟ୍ରାଫିକ ନିୟନ୍ତ୍ରଣ, ଦୂରଦର୍ଶନ ମାଧ୍ୟମରେ ରଥଯାତ୍ରାର ସିଧା ପ୍ରସାରଣ ଆଦି ସମ୍ପର୍କରେ ସମୀକ୍ଷା କରିବା ସହ କାର୍ଯ୍ୟତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ରଥ ନିର୍ମାଣ କାର୍ଯ୍ୟ ବେଶ ଅଗ୍ରଗତି କରିଛି ଓ ନିର୍ଦ୍ଧାରିତ ସମୟ ପୂର୍ବରୁ ସରିବାର ଆଶା ରହିଛି । ସେହିପରି ଅନ୍ୟାନ୍ୟ କାର୍ଯ୍ୟକୁ ପ୍ରଶାସନ ତ୍ୱରାନ୍ୱିତ କରିଛି । ମହାପ୍ରଭୁଙ୍କ ରଥଯାତ୍ରା ମହାପ୍ରଭୁ ନିଜେ କରାନ୍ତି । ସମସ୍ତଙ୍କ ସହଯୋଗ ଓ ସମନ୍ୱୟରେ ଚଳିତ ରଥଯାତ୍ରା ଶୃଙ୍ଖଳିତ ହେବ ଓ ସମସ୍ତ ଶ୍ରଦ୍ଧାଳୁମାନେ ଅତିଥି ଦେବୋ ଭାବର ପରମ୍ପରାରେ ଏକ ସୁଖଦ ଅନୁଭୂତି ନେଇ ଘରକୁ ଫେରିବେ ବୋଲି ଉପ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ । ଆଜିର ସମୀକ୍ଷା ବୈଠକରେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଦୟାଲ ଗଙ୍ଗୱର, ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶି, ଆଇନ ବିଭାଗ ପ୍ରମୁଖ ସଚିବ ମାନସ ରଞ୍ଜନ ବାରିକ, କେନ୍ଦ୍ରାଞ୍ଚଳ ଆଇଜି ପ୍ରବୀଣ କୁମାର, ଆଇଜି (ଟ୍ରେନିଂ) ଅନୁପ କୁମାର ସାହୁ, ଏସପି ବିନୀତ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଡଃ ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟୋକଲ) ନିଳମାଧବ ଭୋଇ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଉପ ଜିଲ୍ଲାପାଳ ରାଜ କିଶୋର ଜେନା ଓ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.