ପୁରୀ, ୯ା୭: ରଥଯାତ୍ରା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସତ୍ତେ୍ୱ ନିଳାଦ୍ରୀ ବିଜେ ଦିନ ମେଘନାଦ ପାଚେରୀ ଡେଇଁ ୪ ଜଣ ଯୁବକ ଶ୍ରୀମନ୍ଦିରରେ ପ୍ରବେଶ କରିବା ଭିଡିଓ ଏବେ ଭାଇରାଲ ହୋଇଛି । ଦକ୍ଷିଣଦ୍ୱାର ନିକଟସ୍ଥ ମେଘନାଦ ପାଚେରୀ ଉପରେ ଚଢି ଚାରିଜଣ ଯୁବକ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବାର ଦୃଶ୍ୟ ଭିଡିଓରେ ଦେଖିବାକୁ ମିଳିଛି । ଶ୍ରୀମନ୍ଦିର ବାହାରେ ଓ ଭିତରେ ମାଳମାଳ ସୁରକ୍ଷାକର୍ମୀ ନିଯୁକ୍ତଥିବା ସତ୍ତେ୍ୱ ସମସ୍ତ ସୁରକ୍ଷାକୁ ଭେଦ କରି ମେଘନାଦ ପାଚେରୀ ଉପରେ ଚଢି ଶ୍ରୀମନ୍ଦିର ଭିତରକୁ ଚାରିଜଣ ଯୁବକ କିପରି ପ୍ରବେଶ କଲେ ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଶ୍ରୀମନ୍ଦିର ଦକ୍ଷିଣଦ୍ୱାର ଠାରେ ଗଦା ହୋଇଥିବା ଅଳିଆ ଉପରେ ଚଢି ମେଘନାଦ ପାଚେରୀ ଡେଇଁ ଏହି ଯୁବକମାନେ ଶ୍ରୀମନ୍ଦିର ଭିତରକୁ ଯାଇଥିବାର ଦୃଶ୍ୟ ଭାଇରାଲ ହେବାରେ ଲାଗିଛି । ଫଳରେ ଏହା ପୋଲିସ ବିଭାଗର ଚରମ ବିଫଳତାକୁ ପଦାରେ ପକାଇବା ସହ ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରଥଯାତ୍ରା ପାଇଁ ପୁରୀରେ ଏଆଇ ସର୍ଭେ ସାଙ୍ଗକୁ ଆକାଶ ମାର୍ଗରୁ ତୀକ୍ଷ୍ମ ନଜର ରଖାଯାଇଛି । ଏଆଇ କ୍ୟାମେରା ନଜରରେ ଶ୍ରୀକ୍ଷେତ୍ରକୁ ରଖାଯାଇଛି । ସୁରକ୍ଷାରେ ଆଣ୍ଟି ଡ୍ରୋନ୍, ଆଣ୍ଟି ସାବୋଡେଜ ଓ ଡଗସ୍କାଡ ଟିମ ସାଙ୍ଗକୁ ୨୦୫ ପ୍ଲାଟୁନ ଫୋର୍ସଙ୍କ ସହ ୮ କମ୍ପାନୀ କେନ୍ଦ୍ରୀୟ ଫୋର୍ସଙ୍କୁ ନିୟୋଜିତ କରାଯାଇଥିବା ଖୋଦ ପୋଲିସ ମହାନିର୍ଦ୍ଦେଶକ ସୂଚନା ଦେଇଥିଲେ । ତେବେ ଏଭଳି ସୁରକ୍ଷା ବ୍ୟବସ୍ଥା ସତ୍ତେ୍ୱ ୪ ଜଣ ଯୁବକ କିଭଳି, କେଉଁ ଉଦ୍ଦେଶ୍ୟରେ ପ୍ରାଚୀର ଚଢି ଭିତରକୁ ଗଲେ ଓ ସୁରକ୍ଷାକର୍ମୀ ଏନେଇ ଅବଗତ ଥିଲେକି ନାହିଁ ତାହାର ଉପଯୁକ୍ତ ତଦନ୍ତ ପାଇଁ ସାଧାରଣରେ ଦାବି ହୋଇଛି । ସୁରକ୍ଷା ବ୍ୟବସ୍ଥାରେ ଅବହେଳା ପାଇଁ ଦାୟୀ ଅଧିକାରୀ ଓ କର୍ମଚାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି । ଅନ୍ୟପକ୍ଷରେ ଶ୍ରୀମନ୍ଦିର ସୁରକ୍ଷା ନେଇ ପ୍ରଶ୍ନ ଉଠିବା ପରେ ମେଘନାଦ ପାଚେରୀ କଡ଼ରେ କିଏ ମାଟି ପକାଇଥିଲା ତାହାର ତଦନ୍ତ ହେବ ବୋଲି ଏସପି ପିନାକ ମିଶ୍ର କହିଛନ୍ତି । ତଦନ୍ତ ପରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି । ସେହିପରି ଘଟଣାକୁ ଗୁରୁତର ଭାବେ ନିଆଯାଉଥିବା ଜିଲ୍ଲାପାଳ ଚଞ୍ଚଳ ରାଣା କହିଛନ୍ତି ।