ପାରାଦୀପ, : ପାରାଦୀପର ପ୍ରମୁଖ ପରିବା ମାର୍କେଟରେ ଭୁଶୁଡି ପଡିଛି ପରିମଳ ବ୍ୟବସ୍ଥା । କୁଢ଼ କୁଢ଼ ଅଳିଆ, ଆବର୍ଜନା ସାଙ୍ଗକୁ ପରିବା ବ୍ୟବସାୟର ପ୍ରମୁଖ ମାର୍କେଟରେ ପାଣି ଜମିରହିବା ଫଳରେ ଦୁର୍ଗନ୍ଧରେ ଫାଟି ପଡୁଛି ପରିବା ମାର୍କେଟ । ଯାହାଦ୍ୱାରା ବ୍ୟବସାୟୀମାନଙ୍କ ବ୍ୟବସାୟ ପ୍ରଭାବିତ ହେଉଥିବା ନେଇ ଅଭିଯୋଗ ଆଣିଛନ୍ତି ପରିବା ବ୍ୟବସାୟୀ । ଏନେଇ ପାରାଦୀପ ପୌରପ୍ରଶାସନକୁ ବାରମ୍ବାର ଅଭିଯୋଗ ଆଣିଥିଲେ ମଧ୍ୟ ଏହାର କିଛି ସୁଫଳ ମିଳୁନାହିଁ । ପାରାଦୀପ ମୁନିସିପାଲିଟି ସହିତ ପାରାଦୀପର ସମସ୍ତ ଶିଳ୍ପସଂସ୍ଥା ଏବଂ ଆଖପାଖ ଅଞ୍ଚଳବାସି ପାରାଦୀପ ପରିବା ମାର୍କେଟ ଉପରେ ନିର୍ଭର କରିଥାନ୍ତି । ହେଲେ ଏହି ପ୍ରମୁଖ ପରିବା ମାର୍କେଟରେ ପାଣି ଜମିରହିବା ଫଳରେ ହେଉଥିବା ଦୁର୍ଗନ୍ଧ ଏବଂ ଅଳିଆ ଆବର୍ଜନାକୁ ନେଇ ଗ୍ରାହକ ମୁହଁ ଫେରାଇ ଚାଲିଯାଉଛନ୍ତି । ବର୍ତ୍ତମାନ ସମୟରେ ରାଜ୍ୟରେ ଯେଉଁଭଳି ଝାଡାବାନ୍ତି ବ୍ୟାପୁଛି, ପରିବା ମାର୍କେଟର ପରିମଳ ବ୍ୟବସ୍ଥାକୁ ଦେଖି ବ୍ୟବସାୟୀ ଏବଂ ଗ୍ରାହକ ଭୟଭୀତ ହୋଇପଡିଛନ୍ତି । ଦୁଇକଡରେ ପରିବା ପିଣ୍ଡି ରହିଥିବା ବେଳେ ମଝିରେ ଜମି ରହିବା ପାଣି କାରଣରୁ ମଶା, ମାଛି, ଦାଆଁସ ପ୍ରଭାବରେ ରାତି ତ ଦୂରର କଥା ଦିନରେ ବ୍ୟବସାୟୀମାନେ ଇତସ୍ତତ ହୋଇପଡୁଛନ୍ତି । ପାରାଦୀପବାସୀଙ୍କ ପରିବା ଚାହିଦା ପୂରଣ କରୁଥିବା ମୁଖ୍ୟ ପରିବା ମାର୍କେଟର ପରିମଳ ବ୍ୟବସ୍ଥା ପ୍ରତି ଯଥାଶୀଘ୍ର ସ୍ଥାନୀୟ ପ୍ରଶାସନ ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ପରିବା ବ୍ୟବସାୟୀମାନେ ବିଭିନ୍ନ ଦୁରାରୋଗ୍ୟରେ ପୀଡିତ ହେବାର ଆଶଙ୍କା ସୃଷ୍ଟି ହୋଇଥିବା ବେଳେ ଯଦି ଏଥିରେ ପ୍ରଶାସନ ଟାଳଟୁଳ ନୀତି ଅବଲମ୍ବନ କରନ୍ତି ତେବେ ବ୍ୟବସାୟୀମାନେ କ୍ଷତିଗ୍ରସ୍ଥ ହେବାନେଇ ଅଭିଯୋଗ ଆଣିଛନ୍ତି ଉଭୟ ଗ୍ରାହକ ଓ ବ୍ୟବସାୟୀ ।