ରାୟଗଡା,11/7: କିଛିଦିନ ତଳେ କାଶୀପୁରରେ ସମାନ ଜାତିରେ ବିବାହ ହୋଇନଥିବାରୁ ପୁଅ ପିଲାର ବଂଶକୁ ପ୍ରାୟଶ୍ଚିତ ପାଇଁ ସମୂହ ମୁଣ୍ଡନ ସହ ଭୋଜି ଦେବାକୁ ପଡିଥିଲା । ଏବେ ପ୍ରେମୀ ଯୁଗଳଙ୍କୁ କରାଯାଉଛି ହଳ । ରାୟଗଡା ଜିଲ୍ଲାରେ ଏଭଳି ଅନ୍ଧବିଶ୍ୱାସରେ ଅଦ୍ଭୁତ ପ୍ରଥା ପାଳନ ହେଉଛି । ପ୍ରେମ ପାଇଁ ପ୍ରେମୀ ଯୁଗଳଙ୍କୁ ବଳଦ ବଦଳରେ ବିଲରେ ହଳ କରାଯିବା ଭଳି ନୃଶଂସ ତଥା ଅମାନବୀୟ କାର୍ଯ୍ୟ କରାଯାଇଛି । ପରମ୍ପରା ନାମରେ ବସୁଛି ଗାଁରେ କଙ୍ଗାରୁକୋର୍ଟ । ଦିଆଯାଉଛି ଶାସ୍ତି । ଗୋଟିଏ ବଂଶର ହୋଇଥିବାରୁ ମାହାଙ୍ଗା ପଡିଲା ପ୍ରେମ । ପ୍ରେମୀ ଯୁଗଳଙ୍କୁ ବିଲରେ ହଳ କରିବା ପରେ ଗାଁରୁ ତଡା ଖାଇଲେ । ଏବେ ଉଭୟଙ୍କ ପତ୍ତା ମିଳୁ ନାହିଁ । ଏପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ରାୟଗଡ଼ା ପୁଅ ଝିଅ ହଳ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ୍ ହେବାରେ ଲାଗିଛି । ସୂଚନା ମୁତାବକ ପ୍ରେମୀ ଯୁଗଳଙ୍କୁ ଗ୍ରାମ ଦେବୀଙ୍କ ପାଖରେ ପୂଜାପାଠ କରାଇବା ପରେ ବଳଦ ସ୍ଥାନରେ ଗୋଟିଏ ପୁଅ ଓ ଝିଅକୁ କନ୍ଧରେ ଯୁଆଳି ପକେଇ କ୍ଷେତରେ ହଳ କରି ବାକୁ ବାଧ୍ୟ କରାଯାଉଛି । ଉଭୟଙ୍କ ଅନିଛା ସତ୍ତେ୍ୱ ଧମକଚମକ ଦେଇ ହଳ କରାଉଛନ୍ତି ଗାଁ ଲେକେ । ଅନୁସନ୍ଧାନରୁ ଜଣା ପଡିଛି ଯେ ଗାଁ କୁଟୁମ୍ବଙ୍କ ନିଷ୍ପତ୍ତି ଅନୁସାରେ ଉଭୟଙ୍କୁ ଦଣ୍ଡ ଦିଆଯାଇ ଗାଁରୁ ତଡି ଦିଆଯାଇଛି । ଏମାନଙ୍କ ଭୁଲ ଥିଲା ଉଭୟ ଗୋଟିରେ ବଂଶର ସମ୍ପର୍କରେ ଆତା (ପିଉସୀ ନାନୀ) ଓ ଭଣଜା ଅଟନ୍ତି । ଆଦିବାସୀ ପରମ୍ପରା ଅନୁଯାୟୀ ଗୋଟିଏ ବଂଶ (କୁଡା)ର ହୋଇଥିଲେ ବିବାହ ବନ୍ଧନରେ ଆବଦ୍ଧ ହୋଇପାରିବେ ନାହିଁ । କାରଣ ସମ୍ପର୍କରେ ସେମାନେ ଭାଇ ଭଉଣୀ କିମ୍ବା ଆତା (ପିଉସୀ ନାନୀ) ଭଣଜା ହୋଇଥାନ୍ତି । ଯାହାକି ଗୋଟିଏ ରକ୍ତର ସମ୍ପର୍କ । ତେଣୁ ବିବାହ ହୋଇ ପାରିବ ନାହିଁ । କଞ୍ଜାମାଯୋଡ଼ି ଗାଁର ଲାକ ସାରକା ଓ କୋଡ଼ିଆ ସାରକାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା । ଦିନେ ଉଭୟଙ୍କୁ ଏକତ୍ରିତ ବା ଗାଁ ଲେକେ ଦେଖି ଥିଲେ । ଏହାକୁ ନେଇ ଗାଁ କୁଟୁମ୍ବ ବୈଠକ ବସି ଉଭୟଙ୍କୁ ପରମ୍ପରା ମୁତାବକ ଏଭଳି ଦଣ୍ଡ ଶୁଣାଇଥିଲେ । କେବଳ ଏତିକିରେ ଦୋଷ ସୀମିତ ନଥିଲା । ଉଭୟଙ୍କୁ ଗାଁ ଛାଡ଼ିବାକୁ କୁହାଯାଇଥିଲା । ବର୍ତ୍ତମାନ୍ ପ୍ରେମୀ ଯୁଗଳ କେଉଁଠାରେ ଅଛନ୍ତି କାହାରି ନିକଟରେ ଉତ୍ତର ନାହିଁ । ରାୟଗଡାରେ ବଢୁଥିବା ଏଭଳି ଘଟଣା ଚିନ୍ତାର ବିଷୟ ହୋଇଛି ।