ପୁରୀ/ଭୁବନେଶ୍ୱର, : କେନ୍ଦ୍ର ରେଳ ଏବଂ ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଭି. ସୋମାନ୍ନା ରବିବାର ପୁରୀ ରେଳ ଷ୍ଟେସନରେ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ରୂପାନ୍ତରଣ କରାଯାଉଥିବା ପୁନଃବିକାଶ କାର୍ଯ୍ୟ ନୀରିକ୍ଷଣ କରିଛନ୍ତି । ସେ ରେଳ ଭିତ୍ତିଭୂମିର ଆଧୁନିକୀକରଣ ପାଇଁ ଭାରତ ସରକାରଙ୍କ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରି ଉଲ୍ଲେଖ କରିଛନ୍ତି ଯେ ୨୦୨୫ ରେଳ ବଜେଟରେ ଓଡ଼ିଶାକୁ ୧୦,୫୯୯ କୋଟି ମିଳିଛି – ଯାହା ୨୦୦୯-୧୪ ତୁଳନାରେ ୧୨.୫ ଗୁଣ ବୃଦ୍ଧି । ବର୍ତ୍ତମାନ, ରାଜ୍ୟର ୫୯ ଷ୍ଟେସନକୁ ୨,୩୭୯ କୋଟି ଟଙ୍କା ବ୍ୟୟରେ ପୁନଃବିକାଶ କରାଯାଉଛି ଏବଂ ପ୍ରାୟ ୮୦,୦୦୦ କୋଟିରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପ ରାଜ୍ୟରେ ଚାଲୁ ରହିଛି । ଶ୍ରୀ ସୋମାନ୍ନା ଆଲୋକପାତ କରିଥିଲେ
ଯେ ଗତ ଦଶନ୍ଧି ମଧ୍ୟରେ, ଏହି ଅଞ୍ଚଳରେ ରେଳ ଭିତ୍ତିଭୂମି ଅଭୂତପୂର୍ବ ଅଭିବୃଦ୍ଧି ପାଇଛି । ଯେଉଁଥିରେ ନୂତନ ରେଳ ଲାଇନ ନିର୍ମାଣ, ଟ୍ରାକ୍ ଦୋହରୀକରଣ ଏବଂ ଯାତ୍ରୀ ସୁବିଧା ବୃଦ୍ଧିରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି – ଯାହା ପୂର୍ବ ବର୍ଷଗୁଡ଼ିକର ଅଗ୍ରଗତିକୁ ବହୁ ପଛରେ ପକାଇଛି । ବନ୍ଦେ ଭାରତ ଏକ୍ସପ୍ରେସ ଭଳି ଆଧୁନିକ ଟ୍ରେନର ପ୍ରଚଳନ ବିଷୟରେ ମଧ୍ୟ ଉଲ୍ଲେଖ କରି କହିଛନ୍ତି ଯେ ବର୍ତ୍ତମାନ ଓଡ଼ିଶାର ପ୍ରମୁଖ ଅଂଶକୁ ବନ୍ଦେ ଭାରତ ଏକ୍ସପ୍ରେସ ସଂଯୋଗ କରୁଛି ଏବଂ ଆଞ୍ଚଳିକ ସଂଯୋଗୀକରଣ ଏବଂ ବିକାଶକୁ ଆହୁରି ବୃଦ୍ଧି କରୁଛି । ରେଳ ରାଷ୍ଟ୍ର ମନ୍ତ୍ରୀ ଆଲୋକପାତ କରିଥିଲେ ଯେ ରୂପାନ୍ତରିତ ପୁରୀ ଷ୍ଟେସନରେ ‘ୱାନ ଷ୍ଟେସନ ୱାନ ପ୍ରଡକ୍ଟ\’ ଷ୍ଟଲ ଉପଲବ୍ଧ କରାଯାଇ ସ୍ଥାନୀୟ ପ୍ରଡକ୍ଟକୁ ପ୍ରୋତ୍ସାହନ ଦିଆଯିବା ସହ ଏଥିରେ ଉନ୍ନତ ପ୍ରବେଶ, ଆଧୁନିକ ପ୍ରତୀକ୍ଷା ହଲ୍, ଲିଫ୍ଟ/ଏସ୍କେଲେଟର, ଏକଜିକ୍ୟୁଟିଭ୍ ଲାଉଞ୍ଜ, ସ୍ଥାନୀୟ ବୈଶିଷ୍ଟ୍ୟ ଏବଂ କିଓସ୍କ ସମେତ ବିଶ୍ୱସ୍ତରୀୟ ସୁବିଧା ପ୍ରଦାନ କରିବ ।
ଶ୍ରୀ ସୋମନ୍ନାଙ୍କ ସହିତ ପୂର୍ବ ତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ବିଏସ୍ ରାଜକୁମାର, ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଏଚ୍ଏସ୍ ବାଜୱା ଏବଂ ମୁଖ୍ୟ ପ୍ରଶାସନିକ ଅଧିକାରୀ/ନିର୍ମାଣ ଏଜି ଶ୍ରୀନିବାସଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ତାଙ୍କ ଗସ୍ତ ସମୟରେ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାରତୀୟ ରେଳପଥକୁ ରୂପାନ୍ତରଣ କରିବାର ଦୃଷ୍ଟିକୋଣ ସହିତ ସମନ୍ୱୟ ରଖି ତୀର୍ଥଯାତ୍ରୀ, ପର୍ଯ୍ୟଟକ ଏବଂ ସ୍ଥାନୀୟ ଯାତ୍ରୀଙ୍କ ପାଇଁ ଯାତ୍ରା ଅଭିଜ୍ଞତାକୁ ବୃଦ୍ଧି କରିବା ପାଇଁ ଏହି ପୁନଃବିକାଶର ଲକ୍ଷ୍ୟ ରଖାଯାଇଛି ।