ଭୁବନେଶ୍ୱର, : ଦୀର୍ଘକାଳୀନ ସମ୍ପତ୍ତି ସୃଷ୍ଟି କରିବା ଲାଗି ସରକାର କରୁଥିବା ବ୍ୟୟକୁ ପୁଞ୍ଜି ବ୍ୟୟ କୁହାଯାଏ, ଯାହାର ଦୀର୍ଘକାଳୀନ ଲାଭ ମିଳିଥାଏ । ସେହି ବ୍ୟୟ କରୁଥିବା ଦେଶର ଶ୍ରେଷ୍ଠ ପାଞ୍ଚଟି ରାଜ୍ୟ ଭିତରେ ଓଡ଼ିଶା ରହିଛି । ବ୍ୟାଙ୍କ ଅଫ୍ ବରୋଦାର ଏକ ରିପୋର୍ଟ ଅନୁସାରେ ୨୦୨୫- ୨୬ରେ ୨୬ଟି ରାଜ୍ୟ ପୁଞ୍ଜି ବ୍ୟୟ ଆକାରରେ ୧୦.୨ ଲକ୍ଷ କୋଟି
ଟଙ୍କା ବ୍ୟୟ କରିବେ । ସେଥିରୁ ପ୍ରାୟ ୫୦ ହଜାର କୋଟି ଟଙ୍କା ଶ୍ରେଷ୍ଠ ପାଞ୍ଚଟି ରାଜ୍ୟ ବ୍ୟୟ କରିବେ । ସେଥିରୁ ୧୬.୯ ପ୍ରତିଶତ ରାଶି ଉତ୍ତରପ୍ରଦେଶ, ୧୦.୯ ପ୍ରତିଶତ ମହାରାଷ୍ଟ୍ର, ୮.୧ ପ୍ରତିଶତ ଗୁଜରାଟ, ୭.୫ ପ୍ରତିଶତ ମଧ୍ୟପ୍ରଦେଶ ଓ ୬.୪ ପ୍ରତିଶତ ଓଡ଼ିଶା ବ୍ୟୟ କରିବ । ରିପୋର୍ଟ ଅନୁଯାୟୀ, ୨୦୨୪- ୨୫ରେ ରାଜ୍ୟ ଗୁଡ଼ିକ ୮,୭୧,୫୧୪ କୋଟି ଟଙ୍କାର ପୁଞ୍ଜି
ବ୍ୟୟ କରିଥିଲେ । ୨୦୨୬-୨୭ରେ ସେମାନେ ୧୦,୧୬,୬୫୨ କୋଟି ଟଙ୍କା ବ୍ୟୟ କରିବାକୁ ବଜେଟରେ ଘୋଷଣା କରିଛନ୍ତି । ଏହି ଦୁଇ ଆର୍ଥିକ ବର୍ଷରେ ଓଡ଼ିଶାର ପୁଞ୍ଜି ବ୍ୟୟ ଯଥାକ୍ରମେ ୫୫, ୩୯୨ କୋଟି ଟଙ୍କା ଓ ୬୫,୦୧୨ କୋଟି ଟଙ୍କା ରହିଛି । ପୂର୍ବବର୍ଷ ତୁଳନାରେ ଓଡ଼ିଶା ପ୍ରାୟ ୧୦ ହଜାର କୋଟି ଟଙ୍କା ଅଧିକ ବ୍ୟୟ କରିବାକୁ ବଜେଟରେ ଘୋଷଣା କରିଛି । ବିଭିନ୍ନ ରାଜ୍ୟର ବଜେଟ୍ ତଥ୍ୟକୁ ନେଇ ପ୍ରସ୍ତୁତ କରାଯାଇଥିବା ଏହି ରିପୋର୍ଟରେ ଉଲ୍ଲେଖ ରହିଛି ଯେ ରାଜ୍ୟଗୁଡ଼ିକର ମୋଟ୍ ରାଜସ୍ୱ ପ୍ରାପ୍ତି ୨୦୨୫-୨୬ରେ ୪୯.୭ ଲକ୍ଷ କୋଟି ଟଙ୍କା ରହିବ । ଏଥିରେ ନିଜସ୍ୱ ଅଣ ଟିକସ ରାଜସ୍ୱରେ ଓଡ଼ିଶାର ଭାଗ ସର୍ବାଧିକ ୧୪.୫ ପ୍ରତିଶତ ରହିଛି । ଓଡ଼ିଶା ପଛକୁ ମହାରାଷ୍ଟ୍ର, ତେଲେଙ୍ଗାନା, ତାମିଲନାଡୁ ଓ ରାଜସ୍ଥାନ ରହିଛନ୍ତି । ୨୦୨୫- ୨୬ରେ ଅନୁଦାନ ରାଶି ପାଇବାକୁ ଥିବା ଶ୍ରେଷ୍ଠ ପାଞ୍ଚଟି ରାଜ୍ୟ ଭିତରେ ଓଡ଼ିଶା ରହିଛି । ମୋଟ୍ ରାଶିରୁ ଓଡ଼ିଶାକୁ ୬.୪ ପ୍ରତିଶତ ମିଳିବ । ସର୍ବାଧିକ ଅନୁଦାନ ଉତ୍ତରପ୍ରଦେଶ, ବିହାର, ମହାରାଷ୍ଟ୍ର ଓ ଧ୍ୟପ୍ରଦେଶକୁ ପ୍ରଦାନ କରାଯିବ । ଦେଶରେ ଓଡ଼ିଶା ସମେତ ୧୩ଟି ରାଜସ୍ୱ ବଳକା ରାଜ୍ୟ ରହିଛି । ଅନ୍ୟ ରାଜ୍ୟଗୁଡ଼ିକ ହେଉଛି ମଧ୍ୟପ୍ରଦେଶ, ଗୁଜରାଟ, ଛତିଶଗଡ଼, ଝାଡ଼ଖଣ୍ଡ, ସିକିମ୍, ମେଘାଳୟ ଓ ଉତ୍ତରପ୍ରଦେଶ । ରାଜ୍ୟଗୁଡ଼ିକର ଯେଉଁ ପ୍ରତିବଦ୍ଧ ଖର୍ଚ୍ଚ ରହିଛି, ସେଥିରେ ପେନ୍ସନ୍ ଉପାଦାନରେ ଓଡ଼ିଶା, ତେଲେଙ୍ଗାନା, ହିମାଚଳପ୍ରଦେଶ, ନାଗାଲ୍ୟାଣ୍ଡ ଓ ବିହାର ଶ୍ରେଷ୍ଠ ପାଞ୍ଚଟି ରାଜ୍ୟ ମଧ୍ୟରେ ରହିଛି । ରିପୋର୍ଟରେ କୁହାଯାଇଛି ଯେ ରାଜ୍ୟଗୁଡ଼ିକର ୮୯.୬ ପ୍ରତିଶତ ନିଜସ୍ୱ ଟିକସ ଜିଏସ୍ଟି, ବିକ୍ରି କର ଓ ଅବକାରୀ ଟିକସରୁ ଆସୁଛି ।
ପୁଞ୍ଜି ବ୍ୟୟରେ ଓଡ଼ିଶା ପଞ୍ଚମ ଶ୍ରେଷ୍ଠ
Prev Post