ନୂଆଦିଲ୍ଲୀରେ ପ୍ରେସ କନ୍‌ଫରେନ୍‌ସରେ ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ

Chief Minister's address to the media at a press conference in New Delhi

0 96

ନୂଆଦିଲ୍ଲୀ/ଭୁବନେଶ୍ୱର, : ଜିଏସଟି ସ୍ଲାବକୁ ନେଇ ମୋଦି ସରକାରଙ୍କ ନିଷ୍ପତ୍ତି ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀରେ ପ୍ରେସମିଟ କରିଛନ୍ତି । ସାଧାରଣ ଜନତାଙ୍କ ଉପରୁ ଟିକସ ବୋଝ ହ୍ରାସ କରିବା ଲାଗି ଆଜିର ବୈଠକରେ ବ୍ୟାପକ ଆଲୋଚନା ପରେ ଅନେକ ଦ୍ରବ୍ୟ ଓ ସେବା ଉପରୁ ଜିଏସଟି ହାର କମାଇବା ଓ କେତେକ ଦ୍ରବ୍ୟ ଓ ସେବାକୁ କର ମୁକ୍ତ କରିବା ପରି ଯୁଗାନ୍ତକାରୀ ନିଷ୍ପତ୍ତି ନିଆଯାଇଛି । ଜିଏସ୍‌ଟିର ଏହି ଐତିହାସିକ ସଂସ୍କାର, ଏକ ମୁକ୍ତ ଏବଂ ସ୍ୱଚ୍ଛ ଅର୍ଥନୀତି ସୃଷ୍ଟି କରିବ, ଅନୁପାଳନ ବୋଝ ହ୍ରାସ କରିବ ଏବଂ କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ଉପକୃତ କରିବ ଏବଂ ଦେଶରେ ବାଣିଜ୍ୟ ବ୍ୟବସାୟକୁ ପ୍ରୋତ୍ସାହନ ଦେବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ମୁଖ୍ୟମନ୍ତ୍ରୀ କହିଛନ୍ତି କେନ୍ଦୁପତ୍ର ଉପରୁ ଜିଏସଟି ହ୍ରାସ ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରିବା ଆମ ରାଜ୍ୟ ତଥା ଦେଶର ଲକ୍ଷ ଲକ୍ଷ କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ଏକ ଆନନ୍ଦର ବିଷୟ । ଏହାଦ୍ୱାରା କେନ୍ଦୁପତ୍ରର ବିକ୍ରି ବଢିବ ଓ କେନ୍ଦୁପତ୍ର ତୋଳାଳିଙ୍କ ଉପାର୍ଜନ ବଢିବା ସହ ସେମାନେ ଉଚିତ ମୂଲ୍ୟ ପାଇବେ । ଏହାଦ୍ୱାରା ରାଜ୍ୟର ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା କେନ୍ଦୁପତ୍ର ତୋଳାଳିମାନେ, କେନ୍ଦୁପତ୍ର କିଣୁଥିବା ସରକାରୀ ସଂସ୍ଥାମାନଙ୍କ ପାଖରୁ ସଠିକ ସମୟରେ ସଠିକ ମୂଲ୍ୟ ପାଇ ପାରିବେ । ଓଡିଶା ଏକ କୃଷିପ୍ରଧାନ ରାଜ୍ୟ ଅଟେ । ବିଭିନ୍ନ କୃଷି ପ୍ରକରଣ ଯଥା ଔଷଧ ସିଞ୍ଚନକାରୀ ଯନ୍ତ୍ର, ରୋଲର, ଯନ୍ତ୍ରପାତି, ଟ୍ରାକ୍ଟର ଓ ଏହାର ଅମଳ କାମରେ ଲାଗୁଥିବା ଯନ୍ତ୍ର, ସାର ପାଇଁ ବ୍ୟବହୃତ କଞ୍ଚାମାଲ ଉପରୁ ଜିଏସଟି ହ୍ରାସ ନିମନ୍ତେ ପଦକ୍ଷେପ । କୃଷକମାନଙ୍କ ଆର୍ଥିକ ବୋଝକୁ କମାଇବା ସହ କୃଷି ଉତ୍ପାଦନ ଲାଗି ହେଉଥିବା ଖର୍ଚ୍ଚ କମାଇବ । ଏହା ଗ୍ରାମୀଣ ଲୋକଙ୍କ ଆୟ ବଢାଇବ ଓ ଜାତୀୟ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବ । ଅନେକ ଜୀବନ ରକ୍ଷାକାରୀ ଔଷଧ ଉପରେ କର ହ୍ରାସ, ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତ ପରିବାରମାନଙ୍କ ଉପଯୁକ୍ତ ଚିକିତ୍ସାରେ
ସହାୟକ ହେବ । ଏହାବ୍ୟତୀତ ଦ୍ରବ୍ୟ ଓ ସେବାକର ହାରରେ ପରିବର୍ତ୍ତନ କରାଯାଇ ୧୨ ଓ ୨୮ ପ୍ରତିଶତ କର ହାରକୁ ଉଚ୍ଛେଦ କରାଯାଇ ଅଧିକାଂଶ ଦ୍ରବ୍ୟ ଓ ସେବା ଉପରେ ୫ ଓ ୧୮ ପ୍ରତିଶତ ହାରରେ କର ଆଦାୟ କରିବାର ନିଷ୍ପତ୍ତି ସ୍ୱାଗତ ଯୋଗ୍ୟ । ଔଷଧ, ଦୁଗ୍ଧ-ଜାତ ଦ୍ରବ୍ୟ, ପ୍ରକ୍ରିୟାକୃତ ଖାଦ୍ୟ ସହିତ ସାଧାରଣ ଲୋକ ବ୍ୟବହାର କରୁଥିବା ଅନ୍ୟ ପ୍ରାୟ ୧୫୦ରୁ ଅଧିକ ସାମଗ୍ରୀ ଯଥା ୨୫୦୦ ଟଙ୍କାରୁ କମ ମୂଲ୍ୟର ବସ୍ତ୍ର ସାମଗ୍ରୀ ଓ ଜୋତା, ସଂରକ୍ଷିତ କରାଯାଇଥିବା ମାଛ, ମାଂସ, ଚିଙ୍ଗୁଡି, କଙ୍କଡା, ଛତୁ, ଜାମ, ଜେଲୀ, ଫଳରସ, ପ୍ୟାକ ହୋଇଥିବା ନମକିନ୍‌, ଭୁଜିଆ, ମିକ୍ସର, ସୋୟା ବଡି, ବିରି ଓ ମୁଗ, ମଧୁମେହ ରୋଗୀଙ୍କ ଖାଦ୍ୟ, ଗାଲିଚା, ଥର୍ମୋମିଟର, ଟୁଫପେଷ୍ଟ, ଟିଭି, ଛତା, ବାସନ କୁସନ, ସିଲାଇ ମେସିନ, ସାଇକେଲ, ପାନିଆ, ମୁଣ୍ଡ କଣ୍ଟା, ସାମ୍ପୂ, କେଶ ତୈଳ ଆଦି ଉପରୁ କର ହ୍ରାସ ହୋଇଛି । ଯାହା ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତ ପରିବାରର ଖର୍ଚ୍ଚ ହ୍ରାସ କରିବାରେ ସହାୟକ ହେବ ଏବଂ ସେମାଙ୍କର ଜୀବନ ଧାରଣର ମାନରେ ଉନ୍ନତି ଘଟିବ । ପ୍ୟାକ ହୋଇଥିବା ଛେନା ବା ପନିର, ପେନସିଲ୍‌, ରବର, ମ୍ୟାପ୍‌କୁ କର ମୁକ୍ତ କରାଯିବ । ବ୍ୟାପକ କର ହାର ସଂଶୋଧନର ଏକ ଅଂଶ ଭାବରେ ୧୫୦ରୁ ଅଧିକ ସାମଗ୍ରୀ ଉପରେ ଜିଏସଟି ହାର ହ୍ରାସ କରିବାକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ଦୁଇ ସ୍ଲାବ୍‌ ଟିକସ ଢାଞ୍ଚା ଉପରେ ଜିଏସଟି ପରିଷଦ ବିଚାର ବିମର୍ଷ କରି ନିଷ୍ପତ୍ତି ନେଇଛି । ଲୋକପ୍ରିୟ ତଥା ପ୍ୟାକ ହୋଇଥିବା ଜଳଖିଆ ସାମଗ୍ରୀ ଏବଂ ମିଠ ମିଠା ସାମ୍ୟ ମଗ୍ରୀ ଉପରେ ଜିଏସଟି ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରିବାକୁ କେନ୍ଦ୍ର ଦେଇ ଥିବା ପ୍ରସ୍ତାବ ଅନୁମୋଦିତ ହୋଇଛି । ସିମେଣ୍ଟ ଉପରେ ଜିଏସଟି ହାର ୨୮%ରୁ ୧୮%କୁ ହ୍ରାସ, ନିର୍ମାଣ ଶିଳ୍ପ, ଓ ସାଧାରଣ ଲୋକଙ୍କ ପାଇଁ ଏକ ବଡ଼ ମାଇଲଖୁଣ୍ଟ ହେବ । ଷ୍ଟାଟ ଅଫ୍ ବ୍ୟବସାୟମାନଙ୍କ ନିମନ୍ତେ ପଞ୍ଜୀକରଣ ପ୍ରକ୍ରିୟାକୁ ଅଧିକ ସରଳ ଓ ସହଜ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ବିଭିନ୍ନ ତଥ୍ୟକୁ ବିଶ୍ଳେଷଣ କରି ଆବେଦନକାରୀଙ୍କୁ ଆବେଦନର ତିନି ଦିନ ମଧ୍ୟରେ ସ୍ୱତଃ ପଞ୍ଜୀକରଣ ପ୍ରଦାନ କରାଯିବ । ଯେଉଁ ଆବେଦନକାରୀମାନଙ୍କର ଆକଳନ ଅନୁସାରେ ସେମାନଙ୍କର ମାସିକ କାରବାରରେ ସମୂହଟିକସର ପରିମାଣ ଅନ୍ୟ ବ୍ୟବସାୟୀ ସଂସ୍ଥାମାନଙ୍କୁ ୨.୫ ଲକ୍ଷ ଟଙ୍କାରୁ ଅଧିକ ନଥିବ, ସେମାନଙ୍କୁ ଏକ ବିକଳ୍ପ ସରଳ ପଞ୍ଜିକରଣ ବ୍ୟବସ୍ଥାରେ ସାମିଲ କରାଯିବ ଓ ତିନି ଦିନ ମଧ୍ୟରେ ସ୍ୱତଃ ପଞ୍ଜିକରଣ ପ୍ରଦାନ କରାଯିବ । ଛୋଟ କାର, ଦୁଇ ଚକିଆ ଏବଂ ତିନି ଚକିଆ ଗାଡି ଉପରେ ଟିକସ ୨୮ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କରାଯିବା ଯୋଗୁଁ ନିମ୍ନ ମଧ୍ୟବିତ୍ତ ବର୍ଗ ଲୋକ ଏଥିରୁ ଅଧିକ ଉପକୃତ ହେବେ । ସେହିପରି ଏକ ବିକଶିତ ଭାରତ ଗଠନ ଲାଗି ଉଦ୍ଦିଷ୍ଟ ଏହି ସଂସ୍କାର ପ୍ରକ୍ରିୟାକୁ ଓଡିଶାବାସୀ ପୂର୍ଣ୍ଣ ସମର୍ଥନ ଜଣାଉଛନ୍ତି । ମୁଁ ଓଡିଶାର ଜନସାଧାରଣଙ୍କ ତରଫରୁ ଏଥିଲାଗି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଓ ଜିଏସଟି ପରିଷଦକୁ କୃତଜ୍ଞତା ପ୍ରଦାନ କରୁଛି ।

Leave A Reply

Your email address will not be published.