ୱାଶିଂଟନ, ୨ା୮ : ରୁଷ ଓ ଆମେରିକା ମଧ୍ୟରେ ତେଜିବାରେ ଲାଗିଛି କଳି । ଏହା କେଉଁ ମୁହୂର୍ତ୍ତରେ ସାମରିକ ଯୁଦ୍ଧର ରୂପ ନେବା ଆଶଙ୍କା ପ୍ରକାଶ ପାଇଛି । ପ୍ରଥମେ ଟାରିଫ ଯୁଦ୍ଧ ଆରମ୍ଭ କରିଥିବା ଆମେରିକା ସିଧାସଳଖ ରୁଷକୁ ଟାର୍ଗେଟ କରିଥିଲା । ରୁଷ ସହ ଭାରତ ବ୍ୟବସାୟ କରୁଥିବାରୁ ଆମେରିକା ଖୋଲା ଧମକ ଦେଇଥିଲା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଡେଡ୍ ଇକୋନୋମି ବୟାନର ଜବାବରେ ରୁଷ ଡେଡ୍ ହ୍ୟାଣ୍ଡ ଶବ୍ଦର ପ୍ରୟୋଗ କରିଥିଲା । ବାସ୍ ଏଥିରେ ଉତକ୍ଷିପ୍ତ ହୋଇ ଟ୍ରମ୍ପ ଶୁକ୍ରବାର ରାତିରେ ରୁଷ ସୀମାକୁ ଆଣବିକ ଯୁଦ୍ଧାସ୍ତ୍ର ସମ୍ପନ୍ନ ଦୁଇଟି ବୁଡ଼ା ଜାହାଜ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଏବେ ରୁଷ ପକ୍ଷରୁ ଏହାର ଜବାବ ଦିଆଯାଇଛି । ଆମେରିକାର ଦୁଇଟି ବୁଡ଼ା ଜାହାଜକୁ ନିୟନ୍ତ୍ରଣ କରିବାକୁ ରୁଷ ପାଖରେ ଏକାଧିକ ଆଣବିକ ବୁଡ଼ା ଜାହାଜ ରହିଥିବା ମସ୍କୋ ସଂସଦ ଡୁମାର ଜଣେ ବରିଷ୍ଠ ସଦସ୍ୟ କହିଛନ୍ତି । ରୁଷର ବରିଷ୍ଠ ସାଂସଦ ଭିକ୍ଟର ଭୋଡୋଲାଟସ୍କାଏ କହିଛନ୍ତି, ଆମେରିକା ତୁଳନାରେ ବିଶ୍ୱର ସବୁ ସାଗରରେ ରୁଷର ଆଣବିକ ବୁଡ଼ା ଜାହାଜର ସଂଖ୍ୟା ଯଥେଷ୍ଟ ଅଧିକ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେଉଁ ଅଞ୍ଚଳରେ ବୁଡ଼ା ଜାହାଜ ମୁତୟନ କରିବାକୁ କହିଛନ୍ତି, ତାହା ସେମାନଙ୍କ ଅଧୀନରେ ରହିଛି । ତେଣୁ ଆମେରିକା ନେତାଙ୍କ ବୁଡ଼ା ଜାହାଜ ବୟାନ ଉପରେ ରୁଷ ପକ୍ଷରୁ କୌଣସି ପ୍ରତିକ୍ରିୟା ଦେବାର କୌଣସି ଆବଶ୍ୟକ ନାହିଁ । ରୁଷର ପୂର୍ବତନ ରାଷ୍ଟ୍ରପତି ତଥା ରୁଷ ସୁରକ୍ଷା ପରିଷଦର ଉପାଧ୍ୟକ୍ଷ ଡିମିଟ୍ରି ମେଡଭେଡେଭ ଅତ୍ୟନ୍ତ ଉତ୍ତେଜନା ସୃଷ୍ଟିକାରୀ ବୟାନ ଦେଇଥିବା ଅଭିଯୋଗ କରି ଟ୍ରମ୍ପ ଆମେରିକା ବୁଡ଼ା ଜାହାଜକୁ ଉପଯୁକ୍ତ ଅଞ୍ଚଳରେ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଥିବା ଶୁକ୍ରବାର ତାଙ୍କ ଟ୍ରୁଥ ସୋଶାଲ ପୋଷ୍ଟରେ ସୂଚନା ଦେଇଥିଲେ । ରୁଷ ସାଂସଦ କହିଛନ୍ତି, ୨ ଆମେରିକା ବୁଡ଼ା ଜାହାଜକୁ ଚାଲିବାକୁ ଦିଆଯାଉ । ସେମାନେ ବହୁ ସମୟ ହେଲା ବନ୍ଧକ ଅବସ୍ଥାରେ ରହିଥିଲେ । ରୁଷ ଓ ଆମେରିକା ମଧ୍ୟରେ ଗୋଟିଏ ମୌଳିକ ବୁଝାମଣା ଶେଷ ହେବା ଦରକାର । ଏହାଦ୍ୱାରା ପୂରା ବିଶ୍ୱ ଶାନ୍ତ ହେବ ଓ ତୃତୀୟ ବିଶ୍ୱ ଯୁଦ୍ଧ ଆରମ୍ଭ ହେବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିବ । ଅନ୍ୟପକ୍ଷରେ ରୁଷର ବିଶ୍ୱ ବ୍ୟାପାର ମ୍ୟାଗାଜିନର ମୁଖ୍ୟ ସମ୍ପାଦକ ଫୟୋଡର ଲୁକୟାନଭୋ ଏବେ ଟ୍ରମ୍ପ ଆଣବିକ ବୁଡ଼ା ଜାହାଜ ବୟାନକୁ ଗୁରୁତ୍ୱର ସହ ନେବାର ଆବଶ୍ୟକତା ନଥିବା କହିଛନ୍ତି । ସେ କହିଛନ୍ତି, ଟ୍ରମ୍ପ ନିଜସ୍ୱ ଚ୍ୟାନେଲ ଚଳାଇଛନ୍ତି ଓ ନିଜ ଇଚ୍ଛାରେ ବୟାନ ଦେଉଛନ୍ତି । ଏକଥା ସମସ୍ତେ ଜାଣିଛନ୍ତି । ମୁଁ ଭାବୁଛି ଆମେରିକାର ସଶସ୍ତ୍ର ବଳ ଓ ନୌସେନା ତାଙ୍କର ଏହି ବୟାନରେ ଆଶ୍ଚର୍ଯ୍ୟ ହୋଇଥିବେ । ଯଦି ବାକ ଯୁଦ୍ଧ ଜାରି ରହିବ ଓ ଟ୍ରମ୍ପ ଏହା ଭିତରେ ବୁଡ଼ି ରହିବେ, ତା’ହେଲେ ସମ୍ଭବତଃ ସେ କିଛି ପଦକ୍ଷେପ ନେବ । ମୋ ମତ ହେଲା ଏଯାଏ ଟ୍ରମ୍ପ କେବଳ ଭାଷଣ ମାରିଛନ୍ତି । ଏହାକୁ ଗୁରୁତ୍ୱର ସହ ନେବାର କୌଣସି ଆବଶ୍ୟକ ନାହିଁ ।