ଗ୍ରାମ୍ୟ ବିକାଶ ହିଁ ଦେଶ ବିକାଶର ଆଧାର

204

ଭାରତର ଅଧିବାସୀ ମାନଙ୍କ ମଧ୍ୟରୁ ସତୁରୀ ପ୍ରତିଶତ ଗ୍ରାମାଚଂଳବାସୀ ଏବଂ ଭାରତର ୯୬ ପ୍ରତିଶତ ଭୂମି ଗ୍ରାମାଚଂଳ ଅନ୍ତର୍ଭୁକ୍ତ । କିନ୍ତୁ ସମସ୍ତେ ଜାଣନ୍ତି, ସ୍ୱାଧୀନତାର ଏତେ ବର୍ଷ ପରେ, ଗ୍ରାମାଚଂଳର ଉନ୍ନତି ନିମନ୍ତେ,ସରକାରଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ପ୍ରଣୀତ ହୋଇ ମଧ୍ୟ, ଏଯାବତ୍ ଗ୍ରାମାଚଂଳର କୌଣସି ଆଖିଦୃଷ୍ଟିଆ ଉନ୍ନତି ହୋଇପାରିନାହିଁ । ଶିକ୍ଷା, ସ୍ୱାସ୍ଥ,ଗମନାଗମନ,ପାନୀୟ ଜଳ,ବିଦ୍ୟୁତ କରଣ,ବାସଗୃହ ଓ ଅର୍ଥନୈତିକ ଅବସ୍ଥା,ପ୍ରତ୍ୟେକ କ୍ଷେତ୍ରରେ ଗ୍ରାମାଚଂଳର ବ୍ୟବସ୍ଥା ତୁଳନାତ୍ମକ ଭାବରେ ସହର ଠାରୁ ନ୍ୟୁନ । ସହରାଚଂଳ ଲୋକ ମାନଙ୍କର ମୁଣ୍ଡପିଛା ଆୟ ୯୮,୪୩୫ଥିବା ବେଳେ , ଗ୍ରାମାଚଂଳ ଅଧିବାସୀଙ୍କ ମୁଣ୍ଡପିଛା ଆୟ ୪୦,୯୨୫ । ମୁଖ୍ୟତଃ ଗ୍ରାମର ବାସିନ୍ଦା ମାନେ ,କୃଷି କାର୍ଯ୍ୟ ଉପରେ ନିର୍ଭର କରି ଜୀବିକାର୍ଜନ କରିଥାନ୍ତି । ଦେଶର ଅଧିକାଂଶ କୃଷିକ୍ଷେତ୍ର ଅଣଜଳସେଚିତ ହୋଇ ଥିବାରୁ, କୃଷକ ମାନେ ସାଧାରଣତଃ ବୃଷ୍ଟି ଜଳ ଉପରେ ନିର୍ଭର କରି, ଫସଲ କରିଥାନ୍ତି । ତେଣୁ ବର୍ଷର ତିନି ଚାରି ମାସ ଛାଡିଦେଲେ,ଅନ୍ୟ ସମୟ ଗୁଡିକ ସେମାନେ ବେକାର ରୁହନ୍ତି । ଏମାନଙ୍କୁ ଋତୁକାଳୀନ ବେକାରୀ କୁହାଯାଏ ।

ଦେଶର ଜଳବାୟୁ ପାଣିପାଗର ଅନିୟମିତତା, ତଥା କୃଷି ଉତ୍ପାଦକ ସହାୟକ ସାମଗ୍ରୀ ଯଥା- ସାର , ବିହନ, ପୋକମରା ଔଷଧର ଅହେତୁକ ମୂଲ୍ୟବୃଦ୍ଧି, କୃଷକ ମାନଙ୍କୁ ଧୀରେ ଧୀରେ କୃଷିକାର୍ଯ୍ୟ ପ୍ରତି ବିମୁଖ କରାଉଅଛି । ଯାହା ଫଳରେ ଗ୍ରାମାଚଂଳର ଯୁବକ ମାନେ କାର୍ଯ୍ୟ ଅନ୍ୱେଷଣରେ ସହରାଭିମୁଖୀ ହେଉଛନ୍ତି । ଦିନକୁ ଦିନ ଦାଦନ ଶ୍ରମିକ ସଂଖ୍ୟା ଅହେତୁକ ଭାବରେ ବୃଦ୍ଧି ପାଉଛି । ଅପର ପକ୍ଷରେ , ସରକାରୀ ଯୋଜନାରେ ଲୋକମାନେ ମାଗଣାରେ କିଛି ଖାଦ୍ୟ ସମଗ୍ରୀ ପାଇଗଲା ପରେ,ସେମାନଙ୍କର ଶ୍ରମ ପ୍ରତି ଆଗ୍ରହ ସୃଷ୍ଟି ହେଉ ନାହିଁ,ଯାହା ପରୋକ୍ଷ ଭାବରେ,କୃଷି କାର୍ଯ୍ୟରେ ବାଧା ସୃଷ୍ଟି କରୁଛି । ଯାହା କିଛି କୃଷିଜାତ ଦ୍ରବ୍ୟ ଉତ୍ପାଦିତ ହେଉଛି, ଉପଯୁକ୍ତ ଗମନାଗମନ ଓ ସଂରକ୍ଷଣର ସମସ୍ୟା ଯୋଗୁଁ, ତାହା ଠିକ୍ ଦରରେ ବିକ୍ରୟ ହୋଇ ପାରୁନାହିଁ । ଏବେବି କିଛି ଗ୍ରାମ ଅଛି ଯେଉଁଠିକି ଭଲ ରାସ୍ତାଟିଏ ନାହିଁ ଏବଂ ବିଦ୍ୟୁତ ସେବା ସେମାନଙ୍କ ପାଇଁ ସ୍ୱପ୍ନ । ସରକାର ଗ୍ରାମ୍ୟ ଉନ୍ନୟନ ତଥା ଦାରିଦ୍ର୍ୟ ଦୁରିକରଣର ଯେତେ ବଡ ବଡ ଯୋଜନା କଲେ ମଧ୍ୟ , ବାସ୍ତବ କ୍ଷେତ୍ରରେ ତାହା ରୁପାୟନ ହୋଇ ପାରୁନାହିଁ । ସରକାରଙ୍କର କାର୍ଯ୍ୟପାଳିକା ବିଭାଗର ଉଦାସୀନତା ହିଁ ଏହାର ମୁଖ୍ୟ କାରଣ ହୋଇପାରେ । ଭାରତୀୟ ଗ୍ରାମ୍ୟ ନିର୍ମାଣ ତ୍ୱରାନିତ ନହେଲେ, ଆମ ବିଶାଳ ଭାରତର ବିକାଶ ଅସମ୍ଭବ ବୋଲି, ଥରେ ଦୁରଦ୍ରଷ୍ଟା ଗାନ୍ଧିଜୀ ,ତାଙ୍କର ପ୍ରିୟ ଲେଖକ ମୁଲକରାଜ୍ ଆନନ୍ଦଙ୍କୁ କହିଥିଲେ । ଭାରତର ଆତ୍ମା ହେଉଛି ଗ୍ରାମ,ଏହା ଥିଲା ତାଙ୍କର ଉକ୍ତି ।ଗ୍ରାମାଚଂଳର ଦ୍ରୁତ ବିକାଶ ନିମନ୍ତେ, ଶିକ୍ଷା ସ୍ୱାସ୍ଥ ଏବଂ କୃଷିର ଉନ୍ନତି ହିଁ ଏକାନ୍ତ ଆବଶ୍ୟକ ବୋଲି ବିଶେଷଜ୍ଞ ଜି.ସାହା ମତବ୍ୟକ୍ତ କରିଥିଲେ । ତନ୍ମଧ୍ୟରୁ କୃଷି କାର୍ଯ୍ୟ ସର୍ବପ୍ରଥମେ ଏବଂ କୃଷିର ବ୍ୟାପକତା, ଅଭିବୃଦ୍ଧି ଓ ଆଧୁନିକୀକରଣକୁ ପ୍ରାଧାନ୍ୟ ଦିଆଯିବା ଉଚିତ୍ ।

କୃଷକ ଓ କୃଷିକାର୍ଯ୍ୟକୁ ପ୍ରୋତ୍ସାହିତ କରିବା ନିମନ୍ତେ,୧୯୫୨ ମସିହାରେ,ପ୍ରାଥମିକ ଗ୍ରାମ୍ୟ ଯୋଜନା ଭାବେ, ଏକ ଗୋଷ୍ଠୀ ଉନ୍ନୟନ ଯୋଜନାର ଶୁଭାରମ୍ଭ ହୋଇଥିଲା । ଏହି ଯୋଜନା ମାଧ୍ୟମରେ କୃଷକ ମାନଙ୍କୁ,ଉନ୍ନତ ମାନର ବିହନ, ରାସାୟନିକ ସାର ଓ ଔଷଧ,ଆଧୁନିକ କୃଷି ଯନ୍ତ୍ରପାତି ପ୍ରଭୁତି ରିହାତି ଦରରେ ଯୋଗାଇ ଦିଆ ଯିବା ସଙ୍ଗେ ସଙ୍ଗେ, ପଶୁପାଳନ ଏବଂ କ୍ଷୁଦ୍ର ଉଦ୍ୟୋଗ ସ୍ଥାପନା ପାଇଁ ମଧ୍ୟ କୃଷକ ମାନଙ୍କୁ ପ୍ରୋତ୍ସାହିତ କରାଯାଉଥିଲା । ଏସବୁକୁ ଆଖି ଆଗରେ ରଖି,୧୯୭୯ରେ “ଗ୍ରାମ୍ୟ ପୁନର୍ନିମାଣ ମନ୍ତ୍ରଣାଳୟ“ ଗଠିତ ହୋଇ,ଗ୍ରାମ୍ୟ ଉନ୍ନୟନ ପାଇଁ ଅଧିକ ଗୁରୁତ୍ୱ ଆରୋପ କରା ଯାଇଥିଲା । ଗ୍ରାମ ଗୁଡିକର ଭିତିଭୁମି ବିକାଶରେ ଅନେକ ଉନ୍ନତି ସାଧିତ ହୋଇଥିଲେ ବି,ଏପର୍ଯ୍ୟନ୍ତ ଗ୍ରାମାଚଂଳ ଲୋକ ମାନଙ୍କର ଆର୍ଥୀକ ରୋଜଗାରରେ ଅଭିବୃଦ୍ଧି ହୋଇନାହିଁ । ସରକାରଙ୍କ ଦ୍ୱାରା ଗ୍ରାମାଚଂଳର ଉନ୍ନତି କଳ୍ପେ ବହୁତ ଯୋଜନା ପ୍ରଣୟନ କରା ଯାଇଛି, ଏବେ ମଧ୍ୟ କରାଯାଉଛି । କିନ୍ତୁ ଏହାର ପ୍ରଭାବ କଣ ପଡିଛି, ଏହାଦ୍ୱାରା କେତେ ସଫଳତା ପ୍ରାପ୍ତି ହୋଇଛି? ତାହାହିଁ ବିଚାର୍ଯ୍ୟ ବିଷୟ ।୧୯୭୬ ମସିହାରେ ବିଶ୍ୱବ୍ୟାଙ୍କ ପ୍ରଥମତଃ ସମ୍ପୂର୍ଣ ଗ୍ରାମ୍ୟ ଉନ୍ନୟନ ଉପରେ ଏକ ପ୍ରସ୍ତାବ ଆଗତ କରିଥିଲା ଏବଂ ତତ୍କାଳୀନ ଅର୍ଥମନ୍ତ୍ରୀ ସି.ସୁବ୍ରନାରାୟଣମ୍ ଏହାକୁ ସର୍ବଭାରତୀୟ ବିଜ୍ଞାନ କଂଗ୍ରେସରେ ଆଗତ କରାଇ ଗୃହୀତ କରାଇଥିଲେ ।

ଉନ୍ନୟନ କାର୍ଯ୍ୟ ନିମନ୍ତେ,କେଉଁ ପ୍ରକଳ୍ପ ପାଇଁ କେତେ ଅର୍ଥ ମଞ୍ଜୁର କରାଯାଇ,ସେହି ପୁଞ୍ଜି କେଉଁ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ବିନିଯୋଗ କରା ଯାଉଛି ଏବଂ ତାହା କେତେଦୁର ଫଳପ୍ରଦ ହେଉଛି, ତାର ସଠିକ୍ ମୂଲ୍ୟାୟନରେ ତ୍ରୁଟି ରହୁଥିବା ଅନୁମେୟ । ଯୋଜନା ପ୍ରଣୟନ ଏବଂ ତାର ପ୍ରୟୋଗ କେବଳ କାଗଜ ପତ୍ରରେ ସୀମିତ ନରହି,ବାସ୍ତବ କ୍ଷେତ୍ରରେ ତାର କାର୍ଯ୍ୟକାରିତାର ସୁକ୍ଷ୍ମାତିସୁକ୍ଷ୍ମ ଅନୁଧ୍ୟାନ ଏକାନ୍ତ ଆବଶ୍ୟକ । ଅନେକ ଚିନ୍ତାଶୀଳ ବ୍ୟକ୍ତି ଏବଂ ବୁଦ୍ଧିଜିବୀ ମାନଙ୍କର ଗୋଟିଏ ମତ,ଗ୍ରାମର ଉନ୍ନତି ବିନା ଦେଶର ଉନ୍ନତି ଅସମ୍ଭବ ଓ କୃଷି ଏବଂ କୃଷକର ଉନ୍ନତି ବିନା ଗ୍ରାମର ଉନ୍ନତି ଅସମ୍ଭବ । ତେବେ ଆଜି ପ୍ରତ୍ୟେକ ଦିନ କୃଷକ ଆତ୍ମହତ୍ୟାର ଖବର,ସମ୍ବାଦ ପତ୍ରର ପୃଷ୍ଠା ମଣ୍ଡନ କରୁଛି କାହିଁକି? ଖାଦ୍ୟଦ୍ରବ୍ୟରେ ସ୍ୱାବଲମ୍ବୀ ହେବା ଦେଶର ପ୍ରଥମ ସଫଳତା । ତେଣୁ ସର୍ବ ପ୍ରଥମେ,କୃଷି ବିମୁଖ ଗ୍ରାମାଚଂଳର ଯୁବକ ମାନଙ୍କୁ କୃଷି କାର୍ଯ୍ୟ ପ୍ରତି ଆକୃଷ୍ଟ କରାଇବା ନିମନ୍ତେ,କେତେକ ଅତ୍ୟାବଶକୀୟ ପଦକ୍ଷେପ ଗ୍ରହଣ କରାଯାଉ । ସେମାନଙ୍କୁ ସମ୍ପୂର୍ଣ ମାଗଣା କିମ୍ବା ରିହାତି ଦରରେ ଉନ୍ନତ କିଷମର ବିହନ,ସାର ଓ ପୋକମରା ଔଷଧ ଯୋଗାଣ, ଜୈବିକ ଖତ ପ୍ରସ୍ତୁତି ନିମନ୍ତେ ଆବଶ୍ୟକ ସହାୟତା, ଅଣଜଳସେଚିତ ଜମିରେ ଜଳ ସେଚନ ନିମନ୍ତେ , ଉଠା ଜଳସେଚନ ପ୍ରକଳ୍ପ ସ୍ଥାପନା ପାଇଁ ଆର୍ଥିକ ସହାୟତା ତଥା କୃଷି କାର୍ଯ୍ୟ ପାଇଁ ନିଶୁଳ୍କ ବିଦ୍ୟୁତ ଯୋଗାଣ ଇତ୍ୟାଦି ସର୍ବନିମ୍ନ ସହାୟତା ପ୍ରଦାନ କଲେ, କୃଷି ବିମୁଖ ଗ୍ରାମାଚଂଳର ବେକାର ଯୁବକ ମାନଙ୍କର କୃଷି କାର୍ଯ୍ୟ ପ୍ରତି ଆଗ୍ରହ ସୃଷ୍ଟି ହେବାର ସମ୍ଭାବନା ଯଥେଷ୍ଟ ଅଧିକ । ଏକ ନିୟନ୍ତ୍ରିତ ବଜାର ତଥା କୃଷିଜାତ ଦ୍ରବ୍ୟର ସଂରକ୍ଷଣର ବ୍ୟବସ୍ଥା ଏହାକୁ ଅଧିକ ସୁଦୃଢ କରିପାରିବ । ଏହାଦ୍ୱାରା କର୍ମ ନିଯୁକ୍ତି ସୃଷ୍ଟି ହୋଇ, ବେକାରୀ ଦୁରୀକରଣ ତଥା ଉନ୍ନୟନ କ୍ଷେତ୍ରରେ ଅଭାବ ପୁରଣ ହୋଇ,ଗ୍ରାମ୍ୟ ଉନ୍ନୟନ ପରିକଳ୍ପନା ନିଶ୍ଚୟ ସଫଳ ହେବ,ଏହା ନିଃସନ୍ଦେହ ।

ପ୍ରଦୀପ୍ତ ଆଚାର୍ଯ୍ୟ
ଈଶାଣୀବ୍ରହ୍ମପୁର,କଟକ
ମୋ-୬୩୭୧୫୯୩୨୨୦

Comments are closed.