ଭୁବନେଶ୍ୱର, 23/7: ବୁଧବାର ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଓଡ଼ିଶା ଉଠା ଜଳ ସେଚନ ନିଗମ (ଓଏଲ୍ଆଇସି)ର ୨୦୯ତମ ନିର୍ଦ୍ଦେଶକ ମଣ୍ଡଳୀ ପରିଷଦ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ଯେଉଁସବୁ ବ୍ଲକରେ ୩୫ ପ୍ରତିଶତରୁ କମ୍ ଜଳସେଚନ କ୍ଷମତା ରହିଛି, ସେସବୁ ଅଂଚଳରେ ଅଧିକ ଜଳସେଚନ ପାଇଁ ପଦକ୍ଷେପ ନିଆଯିବା ସହ ୯ ଲକ୍ଷ ହେକ୍ଟରକୁ ନୂଆ ଜଳସେଚନ ସାମର୍ଥ୍ୟ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଓଏଲଆଇସି ତରଫରୁ ୫ ବର୍ଷିଆ ମାଷ୍ଟର ପ୍ଲାନ୍ ଉପସ୍ଥାପନ କରାଯାଇଥିଲା । ଆହୁରି ମଧ୍ୟ ବୈଠକରେ ୧୦,୩୮୦ଟି ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ (କ୍ଲିପ୍ସ) ଏବଂ ୧,୫୦,୫୦୦ଟି ଗଭୀର ବୋରକୂପ ସ୍ଥାପନ ସହିତ ସେସବୁର ନିରନ୍ତରତା ଭିତ୍ତିରେ କାର୍ଯ୍ୟକ୍ଷମ ହେବା ଲକ୍ଷ୍ୟରେ ସୌରଶକ୍ତି ଦ୍ୱାରା ପରିଚାଳିତ ହେବା ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ନିର୍ଦ୍ଦେଶକ ମଣ୍ଡଳୀ ପରିଷଦ ଓଏଲଆରସିର କାର୍ଯ୍ୟ ପରିଚାଳନା ବୃଦ୍ଧି ପାଇଥିବା ଅନୁଭବ କରିଥିଲେ । ଉନ୍ନୟନ କମିଶନର ତଥା ବୋର୍ଡର ଅଧ୍ୟକ୍ଷା ଓଏଲଆଇସିକୁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ, ଉଦ୍ୟାନ କୃଷି ଓ ଅନ୍ୟ ବିଭାଗ ସହିତ ସମ୍ମିଳିତ ପ୍ରୟାସରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ନିଗମର କାର୍ଯ୍ୟ ନିରନ୍ତରତା ଭିତ୍ତିରେ ଲକ୍ଷ୍ୟ ରଖି କରାଯିବା, ଶକ୍ତିର ଉପଯୁକ୍ତ ବ୍ୟବହାର, ଫସଲ ବିବିଧିକରଣ, ମହିଳା କୃଷକ ସଶକ୍ତିକରଣ ଓ ବୈଷୟିକ ଜ୍ଞାନ କୌଶଳର ଉପଯୋଗ କରି ଓଏଲଆରସି ପରିଚାଳନାରୁ ଆହୁରି ସୁଦୃଢ଼ କରିବାକୁ ଉନ୍ନୟନ କମିଶନର ଗୁରୁତ୍ୱ ଦେଇଛନ୍ତି ।