ଏଣିକି ସିଆଇଏସଏଫ ହାତରେ ସଂସଦ ଭବନ ଦାୟିତ୍ୱ

Now the CISF is in charge of Parliament House

0 171

ନୂଆଦିଲ୍ଲୀ: ସଂସଦର ସୁରକ୍ଷାରେ ଗୁରୁତର ତ୍ରୁଟିକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ଯାହା ଏବେ ସରକାରକୁ ବେଶ୍‌ ସତର୍କ କରାଇଛି। ଏହି କ୍ରମରେ ସରକାର ସଂସଦ ପରିସରର ସୁରକ୍ଷା ଦାୟିତ୍ୱ ଏବେ ସିଆଇଏସଏଫକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୂଚନା ଅନୁଯାୟୀ, କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ ବୁଧବାର, ସିଆଇଏସଏଫକୁ ସଂସଦ ଭବନ ପରିସରର ସର୍ଭେ ପାଇଁ ନିର୍ଦ୍ଦେଶ ଦେଇଥିଲା। ଯାହାଦ୍ୱାରା ସଂସଦ ଭବନ ପରିସରରେ ସିଆଇଏସଏଫ ଏବଂ ତାହାର ଫାୟାର ୱିଙ୍ଗ, ନିୟୋଜିତ ପୂର୍ବରୁ ବ୍ୟାପକ ପ୍ରସ୍ତୁତି କରିପାରିବ। ବିଭିନ୍ନ ସରକାରୀ ସଂସ୍ଥାନର ସୁରକ୍ଷା କରୁଥିବା ସିଆଇଏସଏଫର ବିଶେଷଜ୍ଞ, ଯବାନ ଏବଂ ଅଧିକାରୀଙ୍କ ସହ ସଂସଦ ଭବନର ସୁରକ୍ଷା କରୁଥିବା ବର୍ତ୍ତମାନର ଟିମ୍‌ ଏହି ସପ୍ତାହରେ ସଂସଦ ଭବନର ସର୍ଭେ କରିବେ। ଏହି ନୂଆ ଯୋଜନା ଅନୁଯାୟୀ, ନୂଆ ଏବଂ ପୁରୁଣା ସଂସଦ ଭବନ ସହ ଅନ୍ୟ ସହଯୋଗୀ ବିଲ୍ଡିଂକୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅଣାଯିବ, ଯାହାର ଦାୟିତ୍ୱ ସିଆଇଏସଏଫ ସମ୍ଭାଳିବ। ସିଆଇଏସଫ ଯବାନଙ୍କ ସହ ହିଁ ବର୍ତ୍ତମାନର ସୁରକ୍ଷା ସର୍ଭିସ୍‌, ଦିଲ୍ଲୀ ପୋଲିସ ଏବଂ ସିଆରପିଏଫର ପାର୍ଲିଆମେଣ୍ଟ ଡ୍ୟୁଟି ଗ୍ରୁପ୍‌ର ଯବାନ ମଧ୍ୟ ମିଶି ସଂସଦ ଭବନର ସୁରକ୍ଷା କରିବେ। ସୂଚନାଥାଉକି, ଡିସେମ୍ବର ୧୩ ତାରିଖରେ ଦୁଇ ଯୁବକ ସୁରକ୍ଷାରେ ତ୍ରୁଟିର ଫାଇଦା ନେଇ ଲୋକସଭା ଭିତରକୁ ପ୍ରବେଶ କରିଥିଲେ। ଦୁଇ ଅଭିଯୁକ୍ତ ଲୋକସଭାରେ କ୍ୟାନିଷ୍ଟରେ ରଙ୍ଗୀନ ଧୂଆଁ ଛାଡ଼ି ଏବଂ ସରକାର ବିରୋଧୀ ନାରା ଲଗାଇଥିଲେ। ଏହା ବ୍ୟତୀତ ସଂସଦ ପରିସରରେ ମଧ୍ୟ ଜଣେ ବ୍ୟକ୍ତି ଏବଂ ଜଣେ ମହିଳା ଏଭଳି କରିଥିଲେ। ଯାହା ପରେ ସରକାର ସଂସଦ ପରିସରର ସୁରକ୍ଷା ସମୀକ୍ଷା ପାଇଁ ସିଆରପିଏଫର ଡାଇରେକ୍ଟର ଜେନେରାଲ ଅନୀଶ ଦୟାଲ ସିଂହଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ। ଏହି କମିଟିର ସୁପାରିଶ ଆଧାରରେ ସଂସଦ ସୁରକ୍ଷାକୁ ଆହୁରି ଦୃଢ଼ କରାଯିବ।

Leave A Reply

Your email address will not be published.