ମାଲକାନଗିରି : ଆଗାମୀ ଜନଗଣନା ୨୦୨୭ର ଦ୍ୱିତୀୟ ପର୍ଯ୍ୟାୟ ଅର୍ଥାତ୍ ଜନସଂଖ୍ୟା ଗଣନା କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି କ୍ରମରେ ଜିଲ୍ଲାର କ୍ଷେତ୍ର ପ୍ରଶିକ୍ଷକମାନଙ୍କର ଏକ ତିନିଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହେଉଛି ।ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ମନୋନୀତ ଅଧ୍ୟାପକ ଏବଂ ବ୍ଲକସ୍ତରୀୟ ଅଧିକାରୀମାନେ ଅଂଶଗ୍ରହଣ କରିଛନ୍ତି । ଜନସଂଖ୍ୟା ଗଣନାର ସମ୍ପୂର୍ଣ୍ଣ ପ୍ରକ୍ରିୟା, ନିୟମାବଳୀ, ତଥ୍ୟ ସଂଗ୍ରହ ପଦ୍ଧତି, ଜନଗଣନା ପ୍ରଶ୍ନାବଳୀ ଏବଂ ମୋବାଇଲ୍ ଆପ୍ଲିକେସନ୍ର ସଠିକ୍ ବ୍ୟବହାର ସମ୍ପର୍କରେ ପ୍ରଶିକ୍ଷକମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ଅବଗତ କରାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ଏଠାରୁ ତାଲିମ ନେବା ପରେ ଏହି କ୍ଷେତ୍ର ପ୍ରଶିକ୍ଷକମାନେ ନିଜ ନିଜ ବ୍ଲକସ୍ତରରେ ଗଣନାକାରୀ ଓ ପର୍ଯ୍ୟବେକ୍ଷକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବେ । ଏହି ପ୍ରଶିକ୍ଷଣ ଶିବିରକୁ କୁ ଜିଲ୍ଲାପାଳ ତଥା ଜିଲ୍ଲା ଜନଗଣନା ଅଧିକାରୀ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଶୁଭାରମ୍ଭ କରି କହିଛନ୍ତି ଯେ ଜନଗଣନା ହେଉଛି ଦେଶ ଓ ରାଜ୍ୟର ବିକାଶମୂଳକ ଯୋଜନା ପ୍ରସ୍ତୁତିର ମୂଳଦୁଆ । ପ୍ରତ୍ୟେକ ତଥ୍ୟ ଯେପରି ଶତପ୍ରତିଶତ ସଠିକ୍, ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ ଭାବେ ସଂଗୃହୀତ ହୁଏ, ସେଥିପାଇଁ କ୍ଷେତ୍ର ପ୍ରଶିକ୍ଷକମାନେ ଏହି ତାଲିମକୁ ଗୁରୁତ୍ୱର ସହ ଗ୍ରହଣ କରି ତୃଣମୂଳ ସ୍ତରରେ ଗଣନାକାରୀଙ୍କୁ ଦକ୍ଷ କରାଇବା ଆବଶ୍ୟକ ।ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ, ଜନଗଣନା ବିଭାଗର ଜିଲ୍ଲା ଦାୟିତ୍ୱରେ ଥିବା ଅଧିକାରୀ ଅକ୍ଷୟ ମୁଦଗଲ, ସହକାରୀ ଜିଲ୍ଲାପାଳ (ଜନଗଣନା) ମୁନା ତୁରୁକ ଏବଂ ମୁଖ୍ୟ ପ୍ରଶିକ୍ଷକ ଭାବେ ଡେପୁଟି କଲେକ୍ଟର ସ୍ୱୟଂ ସିଦ୍ଧ ରାଉତ ଓ ଡେପୁଟି କଲେକ୍ଟର ପଲ୍ଲବୀ ଖରା ପ୍ରମୁଖ ଉପସ୍ଥିତ ରହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି । ଜନଗଣନା କାର୍ଯ୍ୟକୁ ସଠିକ୍, ସ୍ୱଚ୍ଛ, ଶୃଙ୍ଖଳିତ ଓ ସଫଳତାର ସହ ସମ୍ପାଦନ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି।