ବାଲି ବୋଝେଇ ଟ୍ରାକ୍ଟର ସହ ସ୍କୁଟି ଧକ୍କା, ୨ ମୃତ; ଜଣେ ଗୁରୁତର

ମାଲକାନଗିରି: ମାଲକାନଗିରି ଜିଲ୍ଲା ବାଲିମେଳା-ଜୟପୁର ମୁଖ୍ୟ ରାସ୍ତାର ସୋମନାଥପୁର ସ୍କୁଲ ଛକ ନିକଟରେ ସ୍କୁଟି ଓ ବାଲି ବୋଝେଇ ଟ୍ରାକ୍ଟର ମଧ୍ୟରେ ଭୟାବହ ଧକ୍କା ହେବାରୁ ଦୁଇ ଜଣଙ୍କ ଜୀବନ ଯାଇଛି। ଏଥିରେ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇ କୋରାପୁଟ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ତାର୍ଲାକୋଟା ପଞ୍ଚାୟତ ମହୁଲଫୁଟ ଗ୍ରାମର ରାଜୁ ଖିଲ (୧୮), ରାଜେଶ ଖେମୁଡ଼ୁ ଏବଂ ସେମାନଙ୍କ ସମ୍ପର୍କୀୟ ମାମୁଁ କୁମ ଖରା (୪୫) ଗୋଟିଏ ସ୍କୁଟିରେ ଘରକୁ ଫେରୁଥିବା ସମୟରେ ସୋମନାଥପୁର ସ୍କୁଲ ଛକ ନିକଟରେ ଏକ ବାଲି ବୋଝେଇ ଟ୍ରାକ୍ଟର ସହ ଧକ୍କା ହୋଇଥିଲା। ଏଥିରେ ରାଜୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଗୁରୁତର କୁମ ଖରା ଓ ରାଜେଶଙ୍କୁ ଉଦ୍ଧାର କରି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ କୁମ ଖରାଙ୍କ ମୃତ୍ୟୁ ହୋଇଥିଲା। ରାଜେଶଙ୍କ ଗୋଟିଏ ଗୋଡ଼ ଭାଙ୍ଗିଯାଇଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପରେ ଟ୍ରାକ୍ଟର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଏନେଇ ମୃତକଙ୍କ ପରିବାର ପକ୍ଷରୁ ଓର୍କେଲ ଥାନାରେ ଅଭିଯୋଗ କରାଯିବା ସହ ନ୍ୟାୟ ଓ କ୍ଷତିପୂରଣ ଦାବି କରାଯାଇଛି। ପୋଲିସ ୩୩୨/୨୬ ନମ୍ବରରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଏନେଇ ଓର୍କେଲ ଥାନାଧିକାରୀ ରିଗାନ କିଣ୍ଡୋ ସୂଚନା ଦେଇଛନ୍ତି।

Comments (0)
Add Comment