ଭୁବନେଶ୍ୱର, ୬ା୧୦(ଡିକେ ନ୍ୟୁଜ): ଦିନକୁ ଦିନ ସଡ଼କ ଦୁର୍ଘଟଣାରେ ଯାଉଛି ଅନେକ ଧନଜୀବନ । ୧୦ ବର୍ଷରେ ସଡ଼କ ଦୁର୍ଘଟଣାରେ ରାଜ୍ୟରେ ପ୍ରାୟ ୪୫ ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରେ ୭୦ ପ୍ରତିଶତ ହେଉଛନ୍ତି ଯୁବକ ଓ ଘରର ଉପାର୍ଜନକାରୀ ସଦସ୍ୟ । ଗତବର୍ଷ ଜାନୁଆରୀରୁ ଜୁନ ଅର୍ଥାତ ପ୍ରଥମ ୬ ମାସ ତୁଳନାରେ ଚଳିତ ବର୍ଷ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ପ୍ରାୟ ୧୧ ପ୍ରତିଶତ ବଢିଛି । ରାସ୍ତା ନିର୍ମାଣ ଓ ମରାମତି ହେଉଥିବା ସ୍ଥାନଗୁଡ଼ିକରେ ନିର୍ମାଣକାରୀ ସଂସ୍ଥା ଦ୍ୱାରା ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଅଭାବରୁ ଦୁର୍ଘଟଣା ଘଟି କେବଳ ଗତବର୍ଷ ୫ଶହ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଟ୍ରାଫିକ୍ ନିୟମର ମଧ୍ୟ ଖୋଲାଖୋଲି ଉଲ୍ଲଂଘନ ହେଉଛି । ହାଇୱେ ପାଟ୍ରୋଲିଂର ପ୍ରତି ଟିମ୍ ଆନୁପାତିକ ଭାବେ ଦିନକୁ ୨ଟି ନିୟମ ଉଲ୍ଲଂଘନ କେସ୍ ଚିହ୍ନଟ କରୁଛି । ଅନ୍ୟପକ୍ଷରେ ଚଳିତ ବର୍ଷ ପ୍ରଥମ ୬ ମାସରେ ପୋଲିସ୍ ୫ ଲକ୍ଷ ୨୧ ହଜାର ୪୪୯ଟି ଟ୍ରାଫିକ ଉଲ୍ଲଂଘନ ମାମଲା ଚିହ୍ନଟ କରିଛି । ତେବେ ସେଥିମଧ୍ୟରୁ ମାତ୍ର ୨୩ ହଜାର ୨୯୪ ଜଣଙ୍କର ଡ୍ରାଇଭିଂ ଲାଇସେନ୍ସ ବାତିଲ ପାଇଁ ପରିବହନ ଅଧିକାରୀଙ୍କ ନିକଟକୁ ପଠାଯାଇଛି । ସେହିପରି ପ୍ରଥମ ୬ ମାସରେ ଆରଟିଓମାନେ ୧ ଲକ୍ଷ ୨୯ ହଜାର ୭୯୪ ଇ-·ଲାଣ ପଠାଇଛନ୍ତି । ସେଥିରୁ ମାତ୍ର ୨୪ ହଜାର ୬୨୯ ଡିଏଲ୍ ସସପେଣ୍ଡ କରାଯାଇଛି । ଅନ୍ୟ ଋତୁ ଅପେକ୍ଷା ଶୀତ ଦିନରେ ଅଧିକ ଦୁର୍ଘଟଣା ଘଟୁଥିବା ନଜରକୁ ଆସିଛି । ଶୀତ ରାତିରେ ଘନକୁହୁଡି ଯୋଗୁ ଦୁର୍ଘଟଣା ଘଟୁଥିବା ଜଣାପଡ଼ିଛି । ସଡ଼କ ଦୁର୍ଘଟଣା ହାର କିଭଳି କମିବ, ସେ ନେଇ ଖୋଦ୍ ସୁପ୍ରିମକୋର୍ଟ ମନିଟରିଂ କରୁଛନ୍ତି । କଡ଼ା ଚେକିଂ, ସଚେତନତା ଓ ଜରୁରିକାଳୀନ ସହାୟତା ଯୋଗାଇ ଦିଆଯାଇପାରିଲେ ଦୁର୍ଘଟଣା ଓ ଏଥିଜନିତ ମୃତ୍ୟୁସଂଖ୍ୟା କମିବ ବୋଲି ଆଶା କରାଯାଉଛି । ପିଲାମାନଙ୍କ ଡ୍ରାଇଭିଂ ଉପରେ ରୋକ ଲଗାଇବା, ରାସ୍ତା କାମ ·ଲିଥିବା ସ୍ଥାନରେ ଲାଇଟ୍ ଓ ସାଇନେଜ୍ ବ୍ୟବସ୍ଥା କରିବା, ବ୍ଳାକ ସ୍ପଟ୍ ଗୁଡ଼ିକରେ ଦୁର୍ଘଟଣା କମାଇବା ଲାଗି ପଦକ୍ଷେପ ନେବା, ଟ୍ରମା କେୟାର ସେଣ୍ଟର ପ୍ରସ୍ତୁତ ରଖିବା, ସ୍ୱତନ୍ତ୍ର ଆମ୍ବୁଲାନ୍ସ ବ୍ୟବସ୍ଥା, ଇଣ୍ଟେଲିଜେଣ୍ଟ ଟ୍ରାଫିକ ମ୍ୟାନଜମେଣ୍ଟ ସିଷ୍ଟମ୍ କାର୍ଯ୍ୟକାରୀ କରିବା ଭଳି ପଦକ୍ଷେପ ଉପରେ ଆଲୋଚନା ହୋଇଛି । ଯେତେ ସଚେତନତା ସୃଷ୍ଟି କରାଗଲେ ବି କେତେକ ଅମାନିଆଙ୍କ ବେପରୁଆ ଗାଡ଼ିଚାଳନା ଯୋଗୁ ଅନେକ ନିରୀହ ଜୀବନ ଯାଉଛି । ତେଣୁ ଆଇନକୁ କଡ଼ାକଡ଼ି କରି ଏମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ସଡ଼କ ଦୁର୍ଘଟଣା ହ୍ରାସ ହୋଇପାରନ୍ତା ବୋଲି ଅନେକ ବିଶେଷଜ୍ଞ ମତ ଦେଇଛନ୍ତି ।