ଭୁବନେଶ୍ୱର : ପିଲାମାନଙ୍କୁ ଗୁଣାତ୍ମକ ତଥା ନୂତନ ଜ୍ଞାନକୌଶଳ ସାଙ୍ଗକୁ ଶିକ୍ଷାର ଉନ୍ନତିକରଣ ମାଧ୍ୟମରେ ଶିକ୍ଷାଦାନ ପାଇଁ ରାଜ୍ୟ ସରକାରଙ୍କ ୫-ଟି ଉପକ୍ରମରେ ଚାଲିଥିବା ସ୍କୁଲ ରୂପାନ୍ତରଣ କାର୍ଯ୍ୟର ପ୍ରଥମ ପର୍ଯ୍ୟାୟ ଆଜି ଶେଷ ହୋଇଛି । ଆଜି ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ଜରିଆରେ ୬ ଜିଲ୍ଲାର ୨୪୦ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟକ୍ରମକୁ ଲୋକାର୍ପଣ କରିଛନ୍ତି । ଅନୁଗୋଳର ୯୦ ହାଇସ୍କୁଲ,ଯାଜପୁର ୬୪, ଢେଙ୍କାନାଳ ୪୧, ବରଗଡ଼ ୨୨, କୋରାପୁଟ ୧୭ ଓ ଗଜପତି ଜିଲ୍ଲାର ୫ ହାଇସ୍କୁଲ ନୂଆ ରୂପରେ ସଜେଇ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଟେକ୍ନୋଲୋଜି ସ୍କୁଲକୁ ଅଧିକ ସ୍ମାର୍ଟ କରିଛି । ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ସହର ଓ ଗାଁ ସ୍କୁଲ ମଧ୍ୟରେ ଥିବା ତଫାତ୍କୁ ଦୂର କରିଛି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୧୦୭୮ ସ୍କୁଲ ରୂପାନ୍ତରଣ ସରିଛି । ମୁଁ ଚାହେଁ ମୋ ରାଜ୍ୟର ପିଲା ସବୁ କ୍ଷେତ୍ରରେ ଆଗୁଆ ହୁଅନ୍ତୁ । ସ୍କୁଲ ହେଉଛି ଆମର ବଡ଼ ପରିଚୟ ।
ସରକାରୀ ସ୍କୁଲରେ ପାଠପଢ଼ି ପିଲାମାନେ ଡାକ୍ତର, ଇଞ୍ଜିନିୟର ହୁଅନ୍ତୁ । ସେଥିପାଇଁ ସରକାର ୧୫ ପ୍ରତିଶତ ସିଟ୍ ସଂରକ୍ଷିତ ରଖିଛନ୍ତି । ନୂତନ ଜ୍ଞାନକୌଶଳ ସହ ଯୋଡିହୋଇ ପିଲାମାନେ ଜୀବନର ସବୁ ଆହ୍ୱାନକୁ ସାମ୍ନା କରିବା ସ୍କୁଲ ରୂପାନ୍ତରଣର ମୂଳଲକ୍ଷ୍ୟ । ମାତୃଭୂମି ଓ ପରିବାର ପରେ ସ୍କୁଲ ହେଉଛି ପିଲାମାନଙ୍କର ବଡ଼ ପରିଚୟ । ମୋର ପୂରା ବିଶ୍ୱାସ, ତୁମେମାନେ ଭଲ ପାଠପଢ଼ି ରାଜ୍ୟର ଗୌରବ ବୃଦ୍ଧି କରିବ । ଏହି କାର୍ଯ୍ୟକ୍ରମରେ ୫ଟି ଜିଲ୍ଲାର ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ବିଦ୍ୟାଳୟ ରୂପାନ୍ତର ସଂପର୍କରେ ନିଜର ମନ କଥା ଓ ଭବିଷ୍ୟତର ଲକ୍ଷ୍ୟ ସଂପର୍କରେ କହିଥିଲେ । କୋରାପୁଟର ତପସ୍ୱିନୀ ମହାପାତ୍ର, ଗଜପତିରି ମର୍ଣ୍ଣିକା ରାଇତା, ଢେଙ୍କାନାଳର ଶୁଭସ୍ମିତା ସାହୁ, ଅନୁଗୁଳର ଶ୍ରେୟାଂସା ପ୍ରଧାନ, ବରଗଡର ସ୍ମୃତିରେଖା ସାହୁ ଓ ଯାଜପୁରର ରଶ୍ମିରେଖା ମିଶ୍ର ପ୍ରମୁଖ ଛାତ୍ରଛାତ୍ରୀ ଆଲୋଚନାରେ ଭାଗ ନେଇ କହିଥିଲେ ଯେ ସ୍କୁଲ ରୂପାନ୍ତରଣ ଆମ ସମସ୍ତଙ୍କ ପାଇଁ ଗର୍ବ ଆଣିଛି ଏବଂ ସରକାରୀ ସ୍କୁଲରେ ପାଠ ପଢିବାର ଗୌରବ ଆଜି ଆମେ ଅନୁଭବ କରୁଛୁ । ସରକାରୀ ସ୍କୁଲ ପିଲାମାନଙ୍କ ପାଇଁ ଉଚ୍ଚଶିକ୍ଷାରେ ପନ୍ଦର ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିବାରୁ, ସେମାନେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ ।
କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ମନ୍ତ୍ରୀ ସୁଶାନ୍ତ ସିଂହ, ମନ୍ତ୍ରୀ ସମୀର ରଞ୍ଜନ ଦାଶ, ମନ୍ତ୍ରୀ ଜଗନ୍ନାଥ ସାରକା, ମନ୍ତ୍ରୀ ପଦ୍ମିନୀ ଦିଆନ ଓ ସାଂସଦ ମହେଶ ସହୁ ପ୍ରମୁଖ ଉଦ୍ବୋଧନ ଦେଇ ବିଦ୍ୟାଳୟ ରୂପାନ୍ତର କାର୍ଯ୍ୟକ୍ରମର ଉଚ୍ଚପ୍ରଶଂସା କରିଥିଲେ ଏବଂ ଏହା ପିଲାମାନଙ୍କ ପାଇଁ ବିପୁଳ ସୁଯୋଗ ସୃଷ୍ଟି କରିଛି ବୋଲି ମତ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି)ଭି.କେ. ପାଣ୍ଡିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ରୂପାନ୍ତରଣ କାର୍ଯ୍ୟକ୍ରମ ଶେଷ ହୋଇଥିବାରୁ ଏଥିସହ ସଂଶ୍ଲିଷ୍ଟ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ୨୦୨୨ ମାର୍ଚ୍ଚ ସୁଦ୍ଧା ଦ୍ୱିତୀୟ ପର୍ଯ୍ୟାୟରେ ୩୩୦୦ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ପୂରଣ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ସୂଚନାଯୋଗ୍ୟ ଯେ ପ୍ରଥମ ପର୍ଯ୍ୟାୟ ରୂପାନ୍ତରଣ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ୫-ଟି ସଚିବ ଶ୍ରୀ ପାଣ୍ଡିଆନ ବିଭିନ୍ନ ସ୍କୁଲର ବିକାଶ ସହ ସଶ୍ଲିଷ୍ଟ ଥିବା ୯୦୦୦ ବ୍ୟକ୍ତି ବିଶେଷଙ୍କ ସହିତ ୭୦୦୦ ମିନିଟ ଭିଡିଓ କନ୍ଫରେନ୍ସିଂ ଯୋଗେ ଆଲୋଚନା କରି ଯୋଜନାକୁ ଚୂଡାନ୍ତ ରୂପ ଦେଇଥିଲେ । ସ୍କୁଲର ପୁରାତନ ଛାତ୍ର ଭାବରେ ଯାଜପୁରରେ ବିରଜା ହାଇସ୍କୁଲରେ ଉପସ୍ଥିତ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ କୁମାର ଘଡାଇ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମକୁ ଏକ ଐତିହାସିକ ଉଦ୍ୟମ ଭାବରେ ବର୍ଣ୍ଣନା କରିଥିଲେ ଏବଂ ଏହାସହ ସଫଳ କାର୍ଯ୍ୟକାରିତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଓ କାର୍ଯ୍ୟକୁ ସୁନ୍ଦର ଭାବରେ ଆଗେଇ ନେଇଥିବା ୫-ଟି ସଚିବଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମ ଏକ ସମୃଦ୍ଧ ଓଡିଶାର ସ୍ୱପ୍ନକୁ ସାକାର କରିବ ବୋଲି ମତପୋଷଣ କରିଥିଲେ ।
ସରକାରୀ ସ୍କୁଲରେ ପାଠ ପଢି ଆଇଏଏସ ଓ ଆଇପିଏସ୍ ହୋଇଥିବା ଶକ୍ତି ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରି ଧଳ ଏବଂ ଗୁଇନ୍ଦା ବିଭାଗର ଡିଆଇଜି ଅନୂପ ସାହୁ ସେମାନଙ୍କ ସ୍କୁଲ ଜୀବନର ଅନୁଭୂତି ବଖାଣିବା ସହିତ ଦୃଢ ସଂକଳ୍ପ, ଉଚ୍ଚାକାଂକ୍ଷା ଓ କଠିନ ପରିଶ୍ରମ ଦ୍ୱାରା ହିଁ ଜୀବନରେ ସଫଳତା ହାସଲ କରାଯାଇପାରେ ବୋଲି ପିଲାମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫-ଟି ସ୍କୁଲ ରୂପାନ୍ତରଣ ଉପରେ ନଲେଜ ପେପର ଉନ୍ମୋଚନ କରିଥିଲେ । ଏଥିରେ ରୂପାନ୍ତରିତ ସ୍କୁଲ ମାନଙ୍କର ରକ୍ଷଣାବେକ୍ଷଣ ଓ ପରିଚାଳନା ସଂପର୍କରେ ବିଶେଷ ନିର୍ଦ୍ଦେଶାବଳୀ ସନ୍ନିବେଶିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଉପବାଚସ୍ପତିଙ୍କ ସମେତ ବିଭିନ୍ନ ଜିଲ୍ଲାର ବିଧାୟକଗଣ, ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀଗଣ ଯୋଗ ଦେଇଥିଲେ । ଉନ୍ନୟନ କମିଶନର ପ୍ରଦୀପ ଜେନା ସ୍ୱାଗତ ଭାଷଣ ଦେଇଥିଲେ ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।