ବାଲେଶ୍ୱର/ଭଦ୍ରକ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭର୍ଚୁଆଲ ମାଧ୍ୟମରେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ବାଲେଶ୍ୱରର ୨୦ ଲକ୍ଷ ଲୋକ ଏହି ସୁବିଧା ପାଇଥିବା ବେଳେ ଭଦ୍ରକର ୧୧ ଲକ୍ଷରୁ ଅଧିକ ଲୋକ ସ୍ମାର୍ଟ କାର୍ଡ ପାଇବେ । ଏହା ସହିତ ରାଜ୍ୟର ୨୧ଟି ଜିଲ୍ଲାର ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଏହି ଅବସରରେ ବାଲେଶ୍ୱର ପାଇଁ ମୁଖ୍ୟମନ୍ତ୍ରୀ ୧୫୦୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମସ୍ତଙ୍କ ପାଖରେ ଭଲ ପିଇବା ପାଣି ପହଞ୍ଚାଇବା ଆମର ଏକ ମୁଖ୍ୟ ଲକ୍ଷ୍ୟ । ବାଲେଶ୍ୱରର ୬ଟି ବ୍ଲକ୍ରେ ୯୦୦ କୋଟିରୁ ଅଧିକ ଟଙ୍କା ବିନିଯୋଗରେ ମେଗା ପାଇପ ପାଣି ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି । ଏହାଦ୍ୱାରା ୬୬୦ଟି ଗାଁର ୬.୫୦ ଲକ୍ଷ ଲୋକ ଭଲ ପିଇବା ପାଣି ପାଇପାରିବେ । ମାଛ ଉତ୍ପାଦନରେ ବାଲେଶ୍ୱର ଏକ ଆଗୁଆ ଜିଲ୍ଲା ବୋଲି ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,ଜିଲ୍ଲାର ମତ୍ସ୍ୟଜୀବୀମାନଙ୍କ ସୁବିଧା ପାଇଁ ବସ୍ତାଠାରେ ୨୦ ଏକର ଜମିରେ ୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏକ ବଡ ହୋଇସେଲ ମାଛ ବଜାର କରାଯିବ । ଏହାଦ୍ୱାରା ବାଲେଶ୍ୱର ସହିତ କେନ୍ଦ୍ରାପଡା ଓ ଜଗତସିଂହପୁରର ମତ୍ସ୍ୟଜୀବୀମାନେ ଉପକାର ପାଇପାରିବେ । ଏହାପରେ ମାଛ ବିକିବା ପାଇଁ ସ୍ଥାନୀୟ ମତ୍ସ୍ୟଜୀବୀମାନଙ୍କୁ ଆଉ ଦିଘା ମାଛ ମାର୍କେଟ ଉପରେ ନିର୍ଭର କରିବାକୁ ପଡିବ ନାହିଁ । ପ୍ରଥମେ ମୁଖ୍ୟମନ୍ତ୍ରୀ ବ୍ୟାସକବି ଫକୀରମୋହନ ଓ କବିବର ରାଧାନାଥ ରାୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଓଡିଶାର ଭାଷା ଓ ସାହିତ୍ୟର ଗୌରବ ବୃଦ୍ଧି କ୍ଷେତ୍ରରେ ଏହି ଦୁଇ ମହାରଥୀଙ୍କ ଅବଦାନ ବିଷୟରେ ଆଲୋକପାତ କରିଥିଲେ ।
ସେହିପରି ସ୍ୱାଧୀନତା ସଂଗ୍ରାମରେ ବାଲେଶ୍ୱରର ସ୍ୱତନ୍ତ୍ର ଅବଦାନ ବିଷୟରେ ସ୍ମରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବାଲେଶ୍ୱର ଜିଲ୍ଲା କୃଷି, ଶିଳ୍ପ, ପର୍ଯ୍ୟଟନ ସବୁ କ୍ଷେତ୍ରରେ ଆଗୁଆ । ଆମର ୮୦ କିଲୋମିଟର ବେଳାଭୂମି କେବଳ ବାଲେଶ୍ୱରରେ ଅଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ ଧାନ, ପାନ, ମୀନ ପାଇଁ ବାଲେଶ୍ୱର ଜଣାଶୁଣା । ବାଲେଶ୍ୱରରେ ୬୦୦ ମିଶନ ଶକ୍ତିର ମା’ମାନେ ମାଛ ଚାଷରେ ସାମିଲ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିଥିଲେ । ଏହାସହିତ ବିଭିନ୍ନ ସରକାରୀ ଯୋଜନାରେ ମଧ୍ୟ ସେମାନେ ସହଭାଗୀ ହୋଇଛନ୍ତି ଏବଂ ସେମାନଙ୍କୁ ଅଧିକ କାମ ଦେବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଥିଲେ । ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଭଦ୍ରକ ଜିଲ୍ଲା ପାଇଁ ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ଯୋଜନା ଆରମ୍ଭ କରି ପ୍ରଥମେ ବନ୍ଦେ ଉକ୍ରଳ ଜନନୀର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ ସ୍ମରଣ କରିଥିଲେ ଏବଂ ଇରମ ମାଟିକୁ ପ୍ରଣାମ ଜଣାଇଥିଲେ । ଭଦ୍ରକ ପାଇଁ ୩୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପରଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ସେଠାରେ ଜିଲ୍ଲା ମୁଖ୍ୟାଳୟ ପାଇଁ ଏକ ୩୦୦ ଶଯ୍ୟାବିଶିଷ୍ଟ ହସ୍ପିଟାଲ ବିଲ୍ଡିଂର ଭିତ୍ତି ରଖିଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଭଦ୍ରକ ଜିଲ୍ଲାରେ ୯୫୦ କୋଟି ଟଙ୍କାରେ ଦୁଇଟି ମେଗା ପାଇପ ପାଣି ପ୍ରକଳ୍ପ କାମ ଜାରି ରହିଛି । ଏହାଦ୍ୱାରା ୭ ଲକ୍ଷରୁ ଅଧିକ ଲୋକ ଉପକାର ପାଇବେ । ଭଦ୍ରକରେ ମିଶନ ଶକ୍ତିର ମା’ମାନେ ଭଲ କାମ କରୁଛନ୍ତି ବୋଲି ପ୍ରକାଶ କରି ସେ କହିଲେ ଯେ ସରକାରଙ୍କ ବିଭିନ୍ନ ଯୋଜନାରେ ସହଭାଗୀ ହୋଇଛନ୍ତି । ଚଳିତ ବର୍ଷ ସେମାନେ ୨୪୫ କୋଟି ଟଙ୍କା ଋଣ ସୁବିଧା ପାଇପାରିଛନ୍ତି । ମିଶନ ଶକ୍ତି କାର୍ଯ୍ୟକ୍ରମ କେବଳ ମା’ ମାନଙ୍କର ନୁହେଁ, ସାରା ସମାଜରେ ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନ ଆଣିବ ବୋଲି ସେ କହିଥିଲେ । ସ୍ମାର୍ଟ ହେଲଥ୍ କାର୍ଡ ଦ୍ୱାରା ଆମର ଗରିବ ଲୋକମାନଙ୍କ ଚିନ୍ତା ଦୂର ହୋଇଛି । ଏଥିରେ ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ ଏବଂ ରାଜ୍ୟର ୭୭ ପ୍ରତିଶତ ଲୋକ ଚିକିତ୍ସାର ବୋଝରୁ ମୁକ୍ତି ପାଇବେ । ସ୍ୱାସ୍ଥ୍ୟସେବା ପାଇଁ ଅନେକ ସମସ୍ୟାରୁ,ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ଲୋକମାନେ ସ୍ୱାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ । ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ସେ କହିଥିଲେ ।
ସେ କହିଥିଲେ ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ଚାଷୀ ହେଉ ବା ମୂଲିଆ ବା ରିକ୍ସା ବାଲା -ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଥିଲେ । ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ମତବ୍ୟକ୍ତ କର ସେ କହିଥିଲେ ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂଠାରୁ ଆରମ୍ଭ କରି ଟ୍ରିଟମେଣ୍ଟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି । ଏହି କାର୍ଯ୍ୟକ୍ରମରେ ବାଲେଶ୍ୱରରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବାଲେଶ୍ୱର ବିଧାୟକ ସ୍ୱରୂପ ଦାସ ପ୍ରମୁଖ ଯୋଗ ଦେଇଥିବା ବେଳେ ଭଦ୍ରକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସାଂସଦ ମଞ୍ଜୁଲତା ମଣ୍ଡଳ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଓ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେମାନେ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ୱ, ଦୂରଦୃଷ୍ଟି ଓ ଗରିବ ଲୋକଙ୍କ ପାଇଁ ତାଙ୍କର ପ୍ରତିବଦ୍ଧତା ଓଡିଶାରେ ଗରିବ ଲୋକମାନଙ୍କୁ ସୁରକ୍ଷିତ କରିବା ସହିତ ସାରା ଦେଶର କଲ୍ୟାଣ କ୍ଷେତ୍ରରେ ଆଦର୍ଶ ସୃଷ୍ଟି କରିପାରିଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଯୋଜନା କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ଏହା ଗରିବ ଲୋକଙ୍କ ଦୁଃଖ ଦୂର କରିବା କ୍ଷେତ୍ରରେ ଏକ ମୁଖ୍ୟ ସାହାରା ହେବ ବୋଲି ସେମାନେ ମତବ୍ୟକ୍ତ କରିଥିଲେ ।