ସ୍ପଷ୍ଟ ଚିହ୍ନିତ ହେଲା ଲଘୁଚାପ କ୍ଷେତ୍ର : ଆଗାମୀ ୩ ଦିନ ଯାଏଁ ବିଜୁଳି-ଘଡଘଡି ସହ ବର୍ଷା

0 68

ଭୁବନେଶ୍ୱର,: ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି ବଙ୍ଗୋପସାଗର ସୃଷ୍ଟି ହୋଇଥିବା ଲଘୁଚାପ । ଗତକାଲିର ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହୋଇ ଆଜି ଦକ୍ଷିଣପଶ୍ଚିମ ପାଶ୍ୱର୍ବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏହା ଆଗାମୀ ୨୪ ଘଣ୍ଟା ଯାଏଁ ନିଜର ତୀବ୍ରତା ବଜାୟ ରଖିବା ସହ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଉତ୍ତର ଉତ୍ତରପଶ୍ଚିମ ଦିଗରେ ଗତିକରିବାର ସମ୍ଭାବନା ରହିଛି । ପରବର୍ତ୍ତୀ ୨୪ ଘଣ୍ଟାରେ ଗତିର ଦିଗ ପରିବର୍ତ୍ତନ ସହ ଉତ୍ତର ଉତ୍ତରପୂର୍ବ ଦିଗରେ ଗତିକରି କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଧୀରେ ଧୀରେ ଦୁର୍ବଳ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଓଡ଼ିଶାରେ ଆଗାମୀ ୩ ଦିନ ଯାଏଁ ବର୍ଷା ଘଡଘଡି ବିଜୁଳି ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ସଞ୍ଜୀବ ଦ୍ୱିବେଦୀ କହିଛନ୍ତି ବାଦଲମୟ ଆକାଶ ପାଇଁ ଖରାର ପ୍ରକୋପ ଟିକେ କମ୍ ରହିଛି । ଆଜି ଉପକୂଳ ଓଡ଼ିଶା ସହ ମୟୂରଭଞ୍ଜ କେଉଁଝର ଜିଲ୍ଲାର ବିଚ୍ଛିନ୍ନ ଅଞ୍ଚଳରେ ଘଡଘଡି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି । ସୁନ୍ଦରଗଡ଼ ଅନୁଗୁଳ ରାୟଗଡ଼ା ଢେଙ୍କାନାଳ କୋରାପୁଟ ଜିଲ୍ଲା ମାନଙ୍କରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଲଘୁଚାପ ଦକ୍ଷିଣ ପଶ୍ଚିମ ଦିଗରେ ଗତି କରି ୯ ତାରିଖ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିବ । ଏହା ଉତ୍ତର ଦିଗକୁ ଗତି କରି ୧୦ରେ ଓଡ଼ିଶା ଉପକୂଳଠାରୁ ଦୂରରେ ସମୁଦ୍ରରେ ରହିବ । ୯ ଓ ୧୦ ତାରିଖରେ ଏହା ଅବପାତର ରୂପ ନେବାର ସମ୍ଭାବନା ରହିଛି । ଯଦିଓ ଏହି ଲଘୁଚାପର ପ୍ରଭାବ ସିଧା ଓଡ଼ିଶା ଉପରେ ପଡ଼ିବ ନାହିଁ; କିନ୍ତୁ ଏହା ଦ୍ୱାରା ରାଜ୍ୟକୁ ସାମୁଦ୍ରିକ ପବନ ବହିବ ଓ ଏହା ପଶ୍ଚିମା ବାୟୁ ସହିତ ମିଶିବ । ଏହା ପ୍ରଭାବରେ ଉପକୂଳ ଓଡ଼ିଶା ଓ ସଂଲଗ୍ନ ଜିଲ୍ଲାମାନଙ୍କରେ ମଝିରେ ମଝିରେ କାଳବୈଶାଖୀ ଜନିତ ବର୍ଷା ହେବ । ୧୦ ତାରିଖରେ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା, ୧୩ ତାରିଖରୁ ୧୫ ତାରିଖ ମଧ୍ୟରେ ଉତ୍ତରଉପକୂଳ ଓ ସଂଲଗ୍ନ ଯାଜପୁର, କେନ୍ଦୁଝର, ମୟୂରଭଞ୍ଜରେ ସ୍ୱଳ୍ପ ଓ କେତେକ ସ୍ଥାନରେ ମଧ୍ୟମ ବର୍ଷା, ୧୬ ଓ ୧୭ରେ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ସ୍ୱଳ୍ପ ବର୍ଷା ହୋଇପାରେ । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର ଓ ମୟୂରଭଞ୍ଜରେ ଅପେକ୍ଷାକୃତ ଅଧିକ ବର୍ଷା ହେବା ବେଳେ ଦକ୍ଷିଣ ଆଭ୍ୟନ୍ତରୀଣରେ କାଁ ଭାଁ ବର୍ଷା ହୋଇପାରେ । ୯ରେ ତାପମାତ୍ରା ୧ ଡିଗ୍ରୀରୁ ୨ ଡିଗ୍ରୀ ଅନେକ ସ୍ଥାନରେ ବଢ଼ି ୧୦ରେ ଅଳ୍ପ କେତେକ ସ୍ଥାନରେ କମିବ । ବଲାଙ୍ଗିର, କଳାହାଣ୍ଡି, ସୋନପୁର ଓ ସୁନ୍ଦରଗଡ଼ରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ । ତେବେ ୧୪ରୁ ସାରା ରାଜ୍ୟରେ ତାପମାତ୍ରା କମିପାରେ । ସୁନ୍ଦରଗଡ଼ ସମେତ ଉତ୍ତର ପଶ୍ଚିମ ଓଡ଼ିଶାରେ ସବୁଠାରୁ ଅଧିକ କମିବ । ଉପକୂଳରେ ଗୁଳୁଗୁଳି ବଡ଼ିବା ସହ ୧୩ ଓ ୧୪ରେ ଉତ୍ତର ଉପକୂଳ ଓ ସଂଲଗ୍ନ ଅଞ୍ଚଳର ଗୋଟିଏ ଦୁଇଟି ସ୍ଥାନରେ କୁଆପଥର ପଡ଼ିପାରେ ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି ।

Leave A Reply

Your email address will not be published.