ପାରଳାଖେମୁଣ୍ଡି, : ଗଜପତି ଜିଲ୍ଲାର କାଶୀନଗର ବ୍ଲକ ଅନ୍ତର୍ଗତ ଅଲଡା ଗ୍ରାମ ଠାରେ ବ୍ୟାପକ ଭାବେ ଚୋରା ଦେଶୀ ମଦ ବିକ୍ରିକୁ ବିରୋଧ କରି ଏକ ରାଲିରେ ସହସ୍ରାଧିକ ମହିଳା ଅଲଡା ଗ୍ରାମ ମଦ ବିରୋଧୀ ନାରା ଦେଇ ପରିକ୍ରମା କରିଥିଲେ । କିଛି ବରିଷ୍ଠ ଗ୍ରାମବାସୀଙ୍କ କହିବା ଅନୁଯାଇ ଅଲଡା ଗ୍ରାମର ବିଭିନ୍ନ ଗଳି କନ୍ଦି ଅବାଧ ଦେଶୀ ମଦ ବିକ୍ରି ହେଉଛି ଯାହାକି ସ୍କୁଲକୁ ଯିବା ଛାତ୍ରମାନେ ମଧ୍ୟ ମଦ୍ୟପାନ କରି ଏଣେ ତେଣେ ବୁଲୁଥିବା ଦୃଷ୍ଟିକୁ ଆସୁଛି । ବିଶେଷ କରି ଚୋରା ମଦ ବିକ୍ରିକୁ ରୋକିବାରେ କାଶୀନଗର ଅବକାରୀ ବିଭାଗ ସମ୍ପୂର୍ଣ ରୂପେ ଅସଫଳ ହୋଇ ସ୍ଥାଣୁ ହୋଇ ରହିଥିବା ଦେଖି ଅଲଡା ଗ୍ରାମର କିଛି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏକତ୍ରିତ ହୋଇ ଅଲଡା ଗ୍ରାମବାସୀମାନଙ୍କୁ ମଦ୍ୟ ପାନ ଠାରୁ ଦୂରରେ ରହି ଅଲଡା ଗ୍ରାମକୁ ନିଶା ମୁକ୍ତ କରିବା ଲକ୍ଷ ନେଇ ଏକ ବିଶାଳ ସଚେତନ ରାଲି ମା’ମାଉସୀ ଏକ ହେବା ମଦ ବ୍ୟବସାୟ ବନ୍ଦ କରିବା ନାରା ଦେଇ ଇନ୍ଦିରା କଲୋନୀ ଠାରୁ ବାହାରି ଲମତାଗୁଡା ଓ ଭାଲିଆ ଗୁଡା ଦେଇ ଅଲଡା ଗ୍ରାମ ଭିତରେ ମଧ୍ୟ ପରିକ୍ରମା କରି ଚୋରା ମଦ କାରବାର କରୁଥିବା ବ୍ୟକ୍ତି ବିଶେଷଙ୍କୁ ମଦ ବିକ୍ରି ଠାରୁ ନିବୃତ ରହିବା ପାଇଁ ବାର୍ତ୍ତା ଦେଇଥିଲେ । ଏହି ରାଲି ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ କାଶୀନଗର ଥାନା ଅଧିକାରୀ ସୁନୀଲ କୁମାର ବେହେରାଙ୍କ ନିର୍ଦ୍ଦେଶନାରେ ପୋଲିସମାନେ ମୁତୟନ ହୋଇଥିଲେ ।