ମହାପ୍ରଭୁଙ୍କ ବନକଲାଗି ନୀତି ସମ୍ପନ

0 112

ପୁରୀ,: ଚୈତ୍ର କୃଷ୍ଣ ପଞ୍ଚମୀ ତିଥିରେ ଶ୍ରୀ ମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ସମ୍ପନ୍ନ ହୋଇଛି । ଦତ୍ତମହାପାତ୍ର ସେବକମାନେ ଶ୍ରୀଜିଉମାନଙ୍କ ବନକଲଗି (ଶ୍ରୀମୁଖ ଶୃଙ୍ଗାର)
କରିଛନ୍ତି । ବୁଧବାର ଭୋର ୫ଟା ୩୦ରେ ଶ୍ରୀମନ୍ଦିରର ଦ୍ୱାର ଫିଟିଥିଲା । ୬ଟା ୨୦ରେ ଭିତରଶୋଧ ପରେ ସକାଳ ୬ଟା୩୦ରେ ହୋଇଥିଲା ମଙ୍ଗଳ ଆଳତି । ପରେ ପରେ ମଇଲମ, ତଡ଼ପ ଲାଗି, ରୋଷହୋମ ଆଦି ନୀତି ପରେ ଦିନ ୯ଟା ୨୫ସୁଦ୍ଧା ଶେଷ ହୋଇଥିଲା ଗୋପାଳ ବଲ୍ଲଭ ପୂଜା । ଦିନ ୧୦ଟା ୫୫ ସୁଦ୍ଧା ସକାଳ ଧୂପ, ମଧ୍ୟାହ୍ନ ୨ଟା ୫୫ ସୁଦ୍ଧା ମଧ୍ୟାହ୍ନ ଧୂପ ଆଦି ପାରମ୍ପରିକ ନୀତି ସମ୍ପନ୍ନ ହୋଇଥିଲା । ଅପରାହ୍ନ ୪ଟା ୨୫ ସୁଦ୍ଧା ଦୀତ୍ୱିୟ ଭୋଗମଣ୍ଡପ ପୂଜା ଶେଷ ହେବା ପରେ ଗଭା ମଇଲମ, ତଡ଼ପ ଲାଗି କରାଯାଇ ହୋଇଥିଲା ପହୁଡ଼ ଆଳତି । ଏହା ପରେ ଜୟ ବିଜୟ ଦ୍ୱାର ବନ୍ଦ କରାଯାଇଥିଲା ଓ ସନ୍ଧ୍ୟା ୫ଟା ୨୫ରେ ବନକଲାଗି ପାଇଁ ଦତ୍ତ ପ୍ରବେଶ କରିଥିଲେ । ହେଙ୍ଗୁଳ, ହରିତାଳ, କର୍ପୁର, କସ୍ତୁରୀ ଓ ପ୍ରାକୃତିକ କଳା ବ୍ୟବାହର କରି ଦତ୍ତମହାପାତ୍ର ସେବକମାନେ ରତ୍ନସିଂହାସନରେ ବିରାଜମାନ କରୁଥିବା ଶ୍ରୀଜିଉମାନଙ୍କ ବନକଲଗି (ଶ୍ରୀମୁଖ ଶୃଙ୍ଗାର)କରିଥିଲେ । ଜୟ ବିଜୟ ଦ୍ୱାର ବନ୍ଦ ହେବା ଠାରୁ ଏହି ନୀତି ଶେଷ ହେବା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା । ବନକଲାଗି ଶେଷକରି ଦତ୍ତମହାପାତ୍ର ସେବକମାନେ ବାହାରିବା ପରେ ମହାପ୍ରଭୁଙ୍କ ମହାସ୍ନାନ କରାଯାଇଥିଲା । ଏହାପରେ ସନ୍ଧ୍ୟା ଆଳତି, ସନ୍ଧ୍ୟା ଧୂପ, ବଡ଼ସିଂହାର ବେଶ, ବଡସିଂହାର ଭୋଗ ଓ ରାତ୍ର ପହୁଡ଼ ହୋଇଥିଲା ।

Leave A Reply

Your email address will not be published.