ପାରାଦୀପ, : ଉତ୍କଳ ଦିବସ ପରିପ୍ରେକ୍ଷୀରେ ଓଡ଼ିଆ ପକ୍ଷ ପାଳନ ଅବସରରେ ପାରାଦୀପ ପୌରପାଳିକା ପକ୍ଷରୁ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ନେତୃତ୍ୱରେ ସମୁଦ୍ର ବେଳାଭୂମିରେ ରବିବାର ସକାଳେ ଏକ ସାମୁହିକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାରାଦୀପ ଗ୍ରୀନ ଟ୍ରଷ୍ଟ, ମହାବିଦ୍ୟାଳୟ ଏନସିସି ଆଲୁମୁନି ଆସୋସିଏସନ,ଏନସିସି କ୍ୟାଡେଟ, କଳିଙ୍ଗ ମହିଳା ଶକ୍ତି, ସତ୍ତଭିକ ଫାଉଣ୍ଡେସନ ପ୍ରମୁଖ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ସଂଗଠନର ସଦସ୍ୟ ଓ ସଦସ୍ୟାମାନେ ବହୁ ସଂଖ୍ୟାରେ ଯୋଗଦେଇ ସମୁଦ୍ର ବେଳାଭୂମିରେ ସଫେଇ କରିଥିଲେ । ମହାବିଷୁବ ପଣା ସଂକ୍ରାନ୍ତି ମହୋତ୍ସବ ୨୦୨୫ ଅବସରରେ ପୌରପାଳିକା ପକ୍ଷରୁ ଦୁଇଦିନିଆ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି ପରିପ୍ରେକ୍ଷୀରେ ରବିବାର ସକାଳେ ବେଳାଭୂମିର ସୌନ୍ଦର୍ଯ୍ୟ ଓ ସ୍ୱଚ୍ଛତା ରକ୍ଷା ପାଇଁ ସାମୁହିକ ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଅପରାହ୍ନରେ ବେଳାଭୂମି ଠାରେ ଢୋଲ, ମହୁରୀ, ତେଲିଙ୍ଗୀ ବାଜା, ଖୋଳ ଓ ଝାଞ୍ଜ ପାରମ୍ପରିକ ବାଦ୍ୟ, ସଂକୀର୍ତ୍ତନ ପରିବେଷିତ ହୋଇଥିବା ବେଳେ ବୈଦିକ ପୂଜା ଅନୁଷ୍ଠିତ ହୋଇଥିଲା । ସେହିପରି ଖାଦ୍ୟ ପ୍ରତିଯୋଗିତାରେ ସମସ୍ତ ପ୍ରତିଯୋଗୀ ଓଡ଼ିଆ ପାରମ୍ପରିକ ପୋଷାକ ପରିଧାନ କରି ବେଲ ପଣା, ଦହି ପଣା,
ଲେମ୍ବୁ ସରବତ, ପୋଡ଼ପିଠା, ଆରିଷା ପିଠା, ବାମ୍ଫ ମଣ୍ଡା ପିଠା, ମାଣ୍ଡିଆ ପିଠା, କାକରା ଓ ଛଣା ମଣ୍ଡା, ଦହିବରା- ଆଳୁଦମ, ଚକୁଳି ଓ ବାଡିଆ ଡାଲମା, ବରା-ଆଳୁଦମ, ମୁଢି ଖାସି ମାଂସ ଚକୁଳି ଖାସି ମାଂସ ଇତ୍ୟାଦି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ସନ୍ଧ୍ୟାରେ ଆୟୋଜିତ ଉଦଘାଟନୀ ସଭାରେ ପାରମ୍ପରିକ ଓଡିଶୀ, ସମ୍ବଲପୁରୀ, ଲୋକନୃତ୍ୟ ଇତ୍ୟାଦି ପ୍ରଦର୍ଶିତ ହୋଇଥିଲା । ତେବେ ସୋମବାର ବାଲିଯାତ୍ରା ପଡିଆରେ ପଣା ସଂକ୍ରାନ୍ତି ମହୋତ୍ସବର ବହୁବିଧ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗଦେବାକୁ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ସାଧାରଣରେ ନିମନ୍ତ୍ରଣ କରିଛନ୍ତି । ତେବେ ପାରାଦୀପ ପୌରପାଳିକା ଓ ପୌରାଧ୍ୟକ୍ଷ ଶ୍ରୀ ବିଶ୍ୱାଳଙ୍କ ଏପରି ଉଦ୍ୟମକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି ।
Next Post