ବିଧାନସଭାରେ ମୋବାଇଲ୍ ପ୍ରବେଶ ଉପରୁ ହଟିଲା କଟକଣା

0 108

ଭୁବନେଶ୍ୱର, : ହଟିଲା ସାମ୍ବାଦିକଙ୍କ ମୋବାଇଲ କଟକଣା । ଯାହାପରେ ଧାରଣାରୁ ହଟିଛନ୍ତି ସାମ୍ବାଦିକ । ଏନେଇ ସାମ୍ୱାଦିକଙ୍କ ସହ
ଆଲୋଚନା କରିବା ପରେ ବାଚସ୍ପତି ଏହି ନିଷ୍ପତ୍ତି ନେଇଛନ୍ତି । ଏହାପରେ ସାମ୍ବାଦିକମାନେ ଧାରଣାରୁ ପ୍ରତ୍ୟାହୃତ ହୋଇଛନ୍ତି । ସାମ୍ବାଦିକମାନେ ପ୍ରେସ୍‌ ଗ୍ୟାଲେରୀକୁ ମୋବାଇଲ୍‌ ନେଇପାରିବେ, ହେଲେ କୌଣସି ଫଟୋ କିମ୍ବା ଭିଡ଼ିଓ ଉତ୍ତୋଳନ କରିପାରିବେନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ବାଚସ୍ପତି । ସୂଚନା ମୁତାବକ, ବୁଧବାର ସାମ୍ୱାଦିକଙ୍କ ପାଇଁ ଜାରି ହୋଇଥିଲା କଟକଣା । ସାମ୍ୱାଦିକମାନେ ବିଧାନସଭାକୁ ଆଉ ମୋବାଇଲ୍ ନେଇ ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା । କାରଣ ମଙ୍ଗଳବାର ରଣକ୍ଷେତ୍ର ପାଲଟିଥିଲା ବିଧାନସଭା । ସଂଘବଦ୍ଧ ହୋଇ ଠେଲାପେଲା ହେଲେ ଶାସକ ଓ ବିରୋଧୀ । କିଏ କାହା କଲାର ଧରି ଟାଣିଲା ତ ଆଉ କିଏ ଟେବୁଲ
ଉପରେ ଠିଆ ହୋଇ ଚିତ୍କାର କଲା । ତ ପୁଣି କିଏ କାଗଜ ଚିରି ଉଡ଼ାଇଲା । ବିଧାନସଭାରେ ବିରୋଧୀ- ଶାସକ ଦଳ ସଭ୍ୟ ମୁହାଁମୁହିଁ ହୋଇଥିଲେ । ସବୁ ସୀମା ଟପି ଯାଇଥିଲେ । ଉଭୟ ପଟୁ ହୋହଲ୍ଲାରେ ଗୃହ କମ୍ପି ଉଠିଥିଲା । ବିରୋଧୀ ଦଳ ରିପୋର୍ଟରଙ୍କ ଟେବୁଲ୍‌
ଓ ଚୌକିକୁ ପୂରା ଦଖଲକୁ ନେଇଗଲେ । ତାଙ୍କ ହେଡଫୋନ୍‌ ଛଡ଼ାଇ ନେଇ ତାଙ୍କୁ ବିଦା କରିଦେଲେ । ବାଚସ୍ପତିଙ୍କ ଟେବୁଲ୍‌ ବାଡ଼େଇଲେ । ମୁହଁ ସାମ୍ନାରେ ପ୍ଲାକାର୍ଡ, ପୋଷ୍ଟର ଦେଖାଇଲେ । ଏତେ କାଣ୍ଡ ସତ୍ତ୍ୱେ ବାଚସ୍ପତି ଗୃହ କାର୍ଯ୍ୟ ବନ୍ଦ ନକରି ଜାରି ରଖିଥିଲେ । ଫଳରେ ଉତ୍କ୍‌ଷିପ୍ତ କଂଗ୍ରେସ ବିଧାୟକମାନେ ଉତ୍ତର ରଖୁଥିବା ନଗର ଉନ୍ନୟନ ମନ୍ତ୍ରୀଙ୍କ ଆଡ଼କୁ ମାଡ଼ି ଅସିଥିଲେ । ଉତ୍ତର ଦେବାକୁ ବାରଣ କରିଥିଲେ । ବାସ୍ ଏତିକିରେ ତାତି ଉଠିଲେ ଶାସକ ଦଳ ସଦସ୍ୟମାନେ । ଝାମ୍ପି ପଡ଼ିଲେ ସେମାନଙ୍କ ଉପରକୁ । ଆରମ୍ଭ ହୋଇଗଲା ଖଣ୍ଡଯୁଦ୍ଧ, ଧସ୍ତାଧସ୍ତି । ବାଚସ୍ପତିଙ୍କ ମୁଲତବୀ ବି କାଟୁ କଲାନି । ବିଧାୟକମାନଙ୍କ ରାଗ ମୁଣ୍ଡକୁ ଚଢି ଯାଇଥିଲା । ମୁଲତବୀ ସତ୍ତ୍ୱେ ବେଶ୍ କିଛି ସମୟ ଧରି ଗୃହ ଭିତରେ ଉତ୍ତେଜନା ଥମିନଥିଲା । ଗଣତନ୍ତ୍ର ମନ୍ଦିରରେ ବିଧାୟକମାନଙ୍କ ଏଭଳି ବିଶୃଙ୍ଖଳିତ ଆଚରଣ କେହି ଜଣେ ରେକର୍ଡ କରିଥିଲା । ଯାହାର ଭିଡିଓ ଗଣମାଧ୍ୟମ ଏବଂ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିଲା । ଏହା ପରେ ବିଧାୟକମାନଙ୍କ ଏଭଳି ଆଚରଣ ପାଇଁ ନିନ୍ଦା କରାଗଲା । ଯାହାପରେ ବିଧାନସଭା ପ୍ରେସ୍ ଗ୍ୟାଲେରୀରେ ସାମ୍ବାଦିକଙ୍କୁ ମୋବାଇଲ୍ ନେଇ ଯିବା ଉପରେ ପ୍ରତିବନ୍ଧକ ଲଗାଇଥିଲେ ସରକାର । ଏହାକୁ ପ୍ରତିବାଦ କରି ସାମ୍ୱାଦିକମାନେ ପ୍ରେସ୍ ଗ୍ୟାଲେରୀକୁ ଯାଇ ନଥିଲେ ଏବଂ ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଥିଲେ ।

Leave A Reply

Your email address will not be published.