ପ୍ରଦୀପ ଜେନାଙ୍କୁ ଓଇଆରସି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଲେ ରାଜ୍ୟ ସରକାର

0 112

ଭୁବନେଶ୍ୱର, : ରାଜ୍ୟ ସରକାରଙ୍କ ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି । ପ୍ରଦୀପ ଜେନାଙ୍କୁ ରାଜ୍ୟ ସରକାର ନିଯୁକ୍ତ କରିଛନ୍ତି । ଆଇଏଏସ୍‌ ଅଧିକାରୀ ସୁରେଶ ମହାପାତ୍ରଙ୍କ ପରେ ଏହି ପଦ ଖାଲି ପଡ଼ିଥିଲା । ନବୀନ ପଟ୍ଟନାୟକଙ୍କ ଶାସନ ସମୟରେ ପ୍ରଦୀପ କୁମାର ଜେନା ହେଲେ ଦ୍ୱିତୀୟ ମୁଖ୍ୟ ଶାସନ ସଚିବ, ଯାହାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା । ପୂର୍ବରୁ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ଦୁଇ ଥରରେ ଏକ ବର୍ଷ ପାଇଁ ବୃଦ୍ଧି କରାଯାଇଥିଲା । ଶ୍ରୀ ଜେନା ୨୦୨୩ ମାର୍ଚ୍ଚ ମାସରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ତାଙ୍କ ଠାରୁ ବରିଷ୍ଠ ଆଇଏଏସ୍ ଅଧିକାରୀ ଓଡ଼ିଶା କ୍ୟାଡରରେ ଥିଲେ ମଧ୍ୟ ରାଜ୍ୟ ସରକାର ଶ୍ରୀ ଜେନାଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲେ । ନିଜ କାର୍ଯ୍ୟଦକ୍ଷତା ପାଇଁ ବହୁ ସମୟରେ ସେ ଚର୍ଚ୍ଚାରେ ରହି ଆସିଛନ୍ତି । ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ସେ ଦକ୍ଷତାର ସହ ଦାୟିତ୍ୱ ତୁଲାଇ ଆସିଛନ୍ତି । ଆଇଏଏସ୍‌ ଅଧିକାରୀ ପ୍ରଦୀପ କୁମାର ଜେନା ଜଣେ ଦକ୍ଷ ପ୍ରଶାସକ ଭାବେ ବେଶ୍‌ ଜଣାଶୁଣା ଥିଲେ । ୧୯୬୪ ମସିହାରେ ଜନ୍ମିତ ପ୍ରଦୀପ କୁମାର ଜେନା ଆଇଏଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପ୍ରଶିକ୍ଷଣ ପରେ ୧୯୯୧ ମସିହାରେ ପ୍ରଥମେ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ର ଉପଜିଲ୍ଲାପାଳ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ପରେ ସେଠାରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଓ ଜିଲ୍ଲାପାଳ ଭାବେ ଦାୟିତ୍ୱ ତୁଲାଇଥିଲେ । ପରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଭାବେ ତାଙ୍କୁ ବଦଳି କରାଯାଇଥିଲା । ୧୯୯୯ ମସିହାର ମହାବାତ୍ୟା ସମୟରେ ସେ କଟକ ଜିଲ୍ଲାପାଳ ଭାବେ ଅବସ୍ଥାପିତ ହୋଇଥିଲେ । ମହାବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟକୁ ସୁଚାରୁରୂପେ ତୁଲାଇଥିବାରୁ ପ୍ରଦୀପ ଜେନା ରାଜ୍ୟ ଓ ଜାତୀୟ ସ୍ତରରେ ଉଚ୍ଚପ୍ରଶଂସିତ ହୋଇଥିଲେ । ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଓ ଲୋକାଭିମୁଖୀ କାର୍ଯ୍ୟ କରିବାରେ ତାଙ୍କର ବହୁ ସୁନାମ ରହିଛି । କୃଷି ନିର୍ଦ୍ଦେଶକ ପଦରେ ଥାଇ ଚାଷୀମାନଙ୍କ ପାଇଁ ଅନେକ ସୁଦୂର ପ୍ରସାରୀ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । ସେହିପରି କୋଭିଡ୍‌ ମହାମାରୀ ସମୟରେ ସାରା ରାଜ୍ୟ ସଂଗ୍ରାମ କରୁଥିବାବେଳେ ସ୍ୱତନ୍ତ୍ର ରିଲିଫ୍ କମିସନର ପଦରେ ରହି ପ୍ରଦୀପ କୁମାର ଜେନା ଗୁରୁଦାୟିତ୍ୱ ତୁଲାଇଥିଲେ ।

Leave A Reply

Your email address will not be published.