ପୁଞ୍ଜିନିବେଶ ପ୍ରସ୍ତାବଗୁଡ଼ିକୁ କାର୍ଯ୍ୟକାରୀ କରିବା ଉପରେ ସରକାର ଧ୍ୟାନ ଦେଉଛନ୍ତି

0 76

ଭୁବନେଶ୍ୱର,: ରାଜ୍ୟକୁ ଆସିଥିବା ପୁଞ୍ଜିନିବେଶ ପ୍ରସ୍ତାବଗୁଡ଼ିକୁ କାର୍ଯ୍ୟକାରୀ କରିବା ଉପରେ ସରକାର ଧ୍ୟାନ ଦେଉଛନ୍ତି । ପ୍ରକଳ୍ପ କାର୍ଯ୍ୟକାରିତାର ନିରୀକ୍ଷଣ କରିବା ଲାଗି ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । \”ଦି ୱିକ୍‌\’କୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି ଯେ ପ୍ରକଳ୍ପ ସ୍ଥାପନ ଲାଗି ନିବେଶକମାନଙ୍କୁ ଉତ୍ସାହିତ କରିବା ପାଇଁ ସେମାନଙ୍କୁ ଭିତ୍ତିଭୂମି ସହାୟତା, ବଜାର ଲିଙ୍କେଜ୍ ଓ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯାଉଛି । ଜମି ଅଧିଗ୍ରହଣ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଶିଳ୍ପ ପାଇଁ ଜମି ଅଧିଗ୍ରହଣ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଏକ ପ୍ରତିକ୍ରିୟାଶୀଳ ସରକାର ଭାବେ ଆମେ ତାହା ଭଲ ଭାବେ ବୁଝିଛୁ । ଏହି ପ୍ରକ୍ରିୟାକୁ
ସଂଗଠିତ କରିବା ଲାଗି ପଦକ୍ଷେପ ନେଉଛୁ । ଇଡ଼କୋ ଜରିଆରେ ଶିଳ୍ପ ପାଇଁ ଜମି ବ୍ୟାଙ୍କ ଗଠନ କରାଯାଇଛି । ଶିଳ୍ପ ସଂସ୍ଥା ଚାହୁଥିବା ଜମି ଯେଭଳି ପାଇପାରିବେ, ସେଥିପାଇଁ ମଧ୍ୟ ସେମାନଙ୍କ ସହ ଆଲୋଚନା କରାଯାଉଛି ବୋଲି ସେ କହିଛନ୍ତି । ପୂର୍ବ ଭାରତରେ ଏକ ପ୍ରଭାବଶାଳୀ ଅର୍ଥନେତିକ ଶକ୍ତି ଭାବେ ଓଡ଼ିଶାକୁ ଗଢ଼ି ତୋଳିବା ଲାଗି ସରକାରଙ୍କ ରହିଥିବା ଲକ୍ଷ୍ୟ ସମ୍ପର୍କରେ ସେ କହିଛନ୍ତି ଯେ ରାଜ୍ୟରେ ଥିବା ପ୍ରାକୃତିକ ସମ୍ବଳ ଓ ପ୍ରଗତିଶୀଳ ନୀତି ଓଡ଼ିଶାକୁ ଶିଳ୍ପାୟନରେ ପ୍ରତିଦ୍ୱନ୍ଦ୍ୱୀ ରାଜ୍ୟଗୁଡ଼ିକୁ ଅତିକ୍ରମ କରିବାର ଭଲ ସ୍ଥିତିରେ ରଖିଛି । ଭିତ୍ତିଭୂମି ଓ ମାନବ ସମ୍ବଳରେ ନିବେଶ ସହିତ ବ୍ୟବସାୟ ବାତାବରଣକୁ ସହଜ କରିବା ଉପରେ ଆମେ ଧ୍ୟାନ ଦେଉଛୁ ବୋଲି ସେ କହିଛନ୍ତି । ତେବେ, ଗତ ଫେବ୍ରୁଆରି ୨୮ରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଅକ୍ଷ୍ୟତାରେ ଖାରବେଳ ଭବନରେ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍‌ ଓଡ଼ିଶା ୨୦୨୫ରେ ସ୍ୱାକ୍ଷର ହୋଇଥିବା ଏମ୍‌ଓୟୁଗୁଡ଼ିକର କାର୍ଯ୍ୟକାରିତାକୁ ନେଇ ଏକ ସମୀକ୍ଷା ବେଠକ ଅନୁଷ୍ଠିତ ହୋଇଥିଲା । କନକ୍ଲେଭ ଆୟୋଜନର ଏକ ମାସ ପୂରଣ ଅବସରରେ ସେହି ବେଠକ ଆୟୋଜନ କରାଯାଇଥିଲା । ଉତ୍କର୍ଷ ଓଡ଼ିଶାରେ ସ୍ୱାକ୍ଷରିତ ହୋଇଥିବା ଏମ୍‌ଓୟୁଗୁଡ଼ିକ ସମ୍ପର୍କରେ ସଦ୍ୟତମ ସୂଚନା ପ୍ରଦାନ କରିବାକୁ ଶିଳ୍ପମନ୍ତ୍ରୀ ଶ୍ରୀ ସ୍ୱାଇଁ ଶିଳ୍ପ ବିଭାଗର ବରିଷ୍ଠ ଅଧିକାରୀ, ଇଡ଼କୋ ଓ ଇପିକଲ୍‌ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କର୍ତ୍ତୃପକ୍ଷଙ୍କ ବେଠକରେ ମଞ୍ଜୁର କରାଯାଇଥିବା ବିଭିନ୍ନ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ବିଷୟରେ ମଧ୍ୟ ବେଠକରେ ସମୀକ୍ଷା କରାଯାଇଥିଲା । ବେଠକରେ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଉତ୍କର୍ଷ ଓଡ଼ିଶା କନକ୍ଲେଭ ୨୦୨୫ରେ ରାଜ୍ୟ ସରକାର ୧୬.୭୩ ଲକ୍ଷ କୋଟି
ଟଙ୍କା ନିବେଶ ପ୍ରସ୍ତାବ ହାସଲ କରିଥିଲେ । ୧୪୫ଟି ଏମ୍‌ଓୟୁ ସ୍ୱାକ୍ଷର ହୋଇଥିଲା । ଦେଶବିଦେଶରୁ ପ୍ରାୟ ୫୦୦୦ ପ୍ରତିନିଧି ଯୋଗ ଦେଇଥିଲେ । ଖଣି ଓ ଧାତବ, ରସାୟନ ଓ ପେଟ୍ରୋକେମିକାଲ୍ସ, ବୟନ, ଅକ୍ଷୟ ଶକ୍ତି, ସୂଚନା ପ୍ରଯୁକ୍ତି, ପର୍ଯ୍ୟଟନ ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରକୁ ନିବେଶ ପ୍ରସ୍ତାବଗୁଡ଼ିକ ଆସିଛି । ପୂର୍ବର ନବୀନ ପଟ୍ଟନାୟକଙ୍କ ସରକାର ଅମଳରେ ୨୦୧୬, ୨୦୧୮ ଓ ୨୦୨୨ରେ ତିନି ଥର ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ ଆୟୋଜନ କରାଯାଇଥିଲା । ସେହି ତିନିଟି ସଂସ୍କରଣରେ ଯଥାକ୍ରମେ ୨.୦୩ ଲକ୍ଷ କୋଟି ଟଙ୍କା, ୪.୨୩ ଲକ୍ଷ କୋଟି
ଟଙ୍କା ଓ ୧୦.୫ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିଲା ।

Leave A Reply

Your email address will not be published.