ଭୁବନେଶ୍ୱର/ନୟାଗଡ, : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ସୋମବାର ନୟାଗଡରେ ପହଞ୍ଚିଛନ୍ତି । ସେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଏକ ସ୍ୱତନ୍ତ୍ର ହେଲିକାପ୍ଟରରେ ନୟାଗଡ ଯାଇଥିଲେ । ସେଠାରେ ସେ କଣ୍ଟିଲୋସ୍ଥିତ ନୀଳମାଧବଙ୍କୁ ଦର୍ଶନ କରିଥିଲେ । ଏଥିସହିତ ବିଶ୍ୱାବସୁଙ୍କ ଜନ୍ମପିଠ ବୁଲିଥିଲେ । ରାଷ୍ଟ୍ରପତିଙ୍କ ସହିତ ରାଜ୍ୟପାଳ ହରିବାବୁ କୁମ୍ଭମପତି, ବାଚସ୍ପତି ସୁରମା ପାଢୀ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ
ଦେଇଥିଲେ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସୋମବାର ରାଷ୍ଟ୍ରପତି ନୟାଗଡରୁ ଫେରି ଭୁବନେଶ୍ୱର ଆସିବେ । ସେ ରାଜଭବନରେ ରାତ୍ରୀ ଯାପନ କରିବା ପରେ ମଙ୍ଗଳବାର ସକାଳେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ । ତେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ନୟାଗଡ଼ କଣ୍ଟିଲୋ ସ୍ଥିତ ନୀଳମାଧ ଗସ୍ତରେ ଯାଇ ବିଶ୍ୱାବସୁ ସମାଜ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ରାଷ୍ଟ୍ରପତି ଏହି ଗସ୍ତକୁ ଏକ
ସୁଯୋଗ ଭାବେ ବର୍ଣ୍ଣନା କରିଛନ୍ତି । ରାଷ୍ଟ୍ରପତି ପ୍ରଭୁ ଜଗନ୍ନାଥଙ୍କ ଆଦିପୀଠ କୁହାଯାଉଥିବା କଣ୍ଟିଲୋ ନୀଳମାଧ ପୀଠର ବିକାଶ ହୋଇନଥିବା ବିଷୟ ପ୍ରକାଶ କରି କ୍ଷୋଭ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୀଳମାଧ ପୀଠର ବିକାଶ ଲାଗି ଅର୍ଥର ଅଭାବ ରହିବ ନାହିଁ ବୋଲି କହିବା ପରେ ରାଷ୍ଟ୍ରପତି ସନ୍ତୋଷ ପ୍ରକାଶ କରିବା ସହ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । କାଳିଆପଲ୍ଲୀରେ ସମାବେଶକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଥିଲେ ଯେ, ଏହି ଅଞ୍ଚଳର ଚମତ୍କାର ଦୃଶ୍ୟ ଅତ୍ୟନ୍ତ ଆକର୍ଷଣୀୟ । ଏହା ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହେବାର ସମ୍ଭାବନା ରହିଛି । ଏହି ଅଞ୍ଚଳରେ ଭିତ୍ତିଭୂମିର ବିକାଶ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀଙ୍କୁ ଆକୃଷ୍ଟ କରିବ ବୋଲି ସେ କହିଥିଲେ । ପର୍ଯ୍ୟଟନର ବିକାଶ ହେଲେ ସେହି ଅଞ୍ଚଳର ଅର୍ଥନୀତି ମଧ୍ୟ ସୁଦୃଢ଼ ହେବ । ଏହି ସ୍ଥାନ ଓ ଅଞ୍ଚଳର ବିକାଶରେ ସହଯୋଗ କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ । କୃଷି, ହସ୍ତଶିଳ୍ପ, ପର୍ଯ୍ୟଟନ ଆଦି ବିଭିନ୍ନ କ୍ଷେତ୍ରରେ ନୟାଗଡ଼ର ସମ୍ଭାବନାକୁ ପୂର୍ଣ୍ଣ ରୂପ ଦେବା ପାଇଁ ସମସ୍ତେ ଆଗେଇ ଆସିବା ଦରକାର ବୋଲି ସେ କହିଥିଲେ । ପ୍ରକୃତି ଅନୁକୂଳ ଜୀବନଶୈଳୀ ଭାରତୀୟ ସଂସ୍କୃତିର ଏକ ବୈଶିଷ୍ଟ୍ୟ ବୋଲି ରାଷ୍ଟ୍ରପତି କହିଥିଲେ । ଏହା ମଧ୍ୟ ଆଦିବାସୀ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଆଦିବାସୀ ଭାଇ ଭଉଣୀମାନେ ଜଙ୍ଗଲ, ଗଛ ଇତ୍ୟାଦିକୁ ଦେବତା ଭାବରେ ପୂଜା କରନ୍ତି । ଆଦିବାସୀ ବିଶ୍ୱାସ ଅନୁଯାୟୀ, ସେମାନଙ୍କ ପୂର୍ବପୁରୁଷଙ୍କ ଆତ୍ମା ଜଙ୍ଗଲରେ ବାସ କରନ୍ତି । ଏହି ବିଶ୍ୱାସ ଜଙ୍ଗଲ ସୁରକ୍ଷାର ମହାନ ମନ୍ତ୍ର । ରାଷ୍ଟ୍ରପତି କହିଥିଲେ ଯେ ଆଦିବାସୀ ଭାଇ ଭଉଣୀଙ୍କ କଳା ଓ ସଂସ୍କୃତିର ସଂରକ୍ଷଣ ଓ ପ୍ରସାର ସହିତ ସେମାନଙ୍କ ସଶକ୍ତୀକରଣ ଓ ଆତ୍ମନିର୍ଭରଶୀଳତା ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନ ହୋଇ ସେହି ଯୋଜନାଗୁଡ଼ିକର ଲାଭ ଉଠାଇବାକୁ ସେ ଅନୁରୋଧ କରିଥିଲେ । ଲୋକଙ୍କ ସହଯୋଗ ଓ ଭାଗିଦାରୀରେ ହିଁ ସରକାରୀ ଯୋଜନା ସଫଳ ହେବ ବୋଲି ରାଷ୍ଟ୍ରପତି କହିଥିଲେ ।
ନୟାଗଡ କଣ୍ଟିଲୋରେ ନୀଳମାଧବଙ୍କୁ କଲେ ଦର୍ଶନ
Next Post