ନେତୃତ୍ୱ ପରିବର୍ତ୍ତନ ଦ୍ୱାରା ଗୋଷ୍ଠୀ ଭିତ୍ତିକ ଅନୁଷ୍ଠାନ ଗୁଡିକର ପୁନର୍ଗଠନ

0 71

ଭୁବନେଶ୍ୱର,: ଉପ- ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ସ୍ୱୟଂ ସହାୟକ
ଗୋଷ୍ଠୀଭିତିକ ଅନୁଷ୍ଠାନଗୁଡିକର ପୁନର୍ଗଠନ କରିବା ପାଇଁ ରାଜ୍ୟ ସରକାର, କେନ୍ଦ୍ର ସରକାରଙ୍କ ଗ୍ରାମୀଣ ବିକାଶ ବିଭାଗଙ୍କ ପ୍ରଦତ ନିର୍ଦ୍ଦେଶାବଳୀ ଅନୁଯାୟୀ ପଦକ୍ଷେପ ନେଇଛନ୍ତି । ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକାରେ ସମନ୍ୱୟ ରକ୍ଷା କରାଯାଇ ନୂତନ ମାର୍ଗଦର୍ଶିକା ପ୍ରଣୟନ କରାଯାଇଅଛି । ଏଥିପାଇଁ ଏହି ଗୋଷ୍ଠୀଭିତ୍ତିକ ଅନୁଷ୍ଠାନମାନଙ୍କରେ ବର୍ତ୍ତମାନ ଗଣତାନ୍ତ୍ରିକ ପଦ୍ଧତିରେ ନେତୃତ୍ୱ ପରିବର୍ତନର ଆବଶ୍ୟକତାକୁ ପୂରଣ କରାଯାଉଛି ।
ଏହାଦ୍ୱାରା ରାଜ୍ୟରେ ଏସ.ଏଚ.ଜି ମହିଳାମାନେ ସେମାନଙ୍କ ଅନୁଷ୍ଠାନରେ ନେତୃତ୍ୱ ପରିବର୍ତନ ପ୍ରକ୍ରିୟାରେ ସକ୍ରିୟ ଅଂଶ ଗ୍ରହଣ କରିବା ସହିତ ନିଜର ଦକ୍ଷତା ମାଧ୍ୟମରେ ନେତୃତ୍ୱ ହାସଲ କରିବାର ସୁଯୋଗ ପାଇ ପାରିବେ । ଏହି ପଦକ୍ଷେପ ଏସ.ଏଚ.ଜି ମା ’ମାନଙ୍କର ସାମଗ୍ରିକ
ବିକାଶକୁ ତ୍ୱରାନ୍ୱିତ କରିବା ସହିତ ସେମାନଙ୍କର ଆତ୍ମବିଶ୍ୱାସର ବୃଦ୍ଧି କରାଇବ । ଏହି ପରିବର୍ତ୍ତନ, ଗୋଷ୍ଠୀର ସମସ୍ତ ସଦସ୍ୟା ମାନଙ୍କୁ ସଶକ୍ତିକରଣ ପ୍ରକ୍ରିୟାରେ ସମାନ ଭାଗୀଦାର ବୃଦ୍ଧି ଗୋଷ୍ଠୀ ଗୁଡିକ ଅଧିକ ସକ୍ରିୟ ହେବାରେ ସହାୟକ ହେବ । ଏଥିସହିତ ସହରାଞ୍ଚଳ ଏସଏଚଜି ଓ ଏହାର ମହାସଂଘମାନଙ୍କର ସୁଦୃଢୀକରଣ ତଥା ତ୍ୱରିତ ବିକାଶ ନିମନ୍ତେ ସରକାର ପ୍ରତିଶ୍ରୁତିବଦ୍ଧ । କେନ୍ଦ୍ର ସରକାରଙ୍କର ଜାତୀୟ ସହରାଞ୍ଚଳ ଜୀବିକା ମିଶନ ରୁ ବାଦପଡିଥିବା ସହରାଞ୍ଚଳ ଏସଏଚଜି ମାନଙ୍କୁ ଅତିଶୀଘ୍ର ଅନ୍ତର୍ଭୂକ୍ତି କରାଇବା ସହିତ ସେମାନଙ୍କର ବିଭିନ୍ନ ମହାସଂଘ ଗୁଡିକର ଗଠନ ଓ ପୁନର୍ଗଠନ ପାଇ ଅତିଶୀଘ୍ର ନିର୍ଦେଶାବଳୀ ପ୍ରଣୟନ କରାଯାଉଛି । ଏହି ପରିବର୍ତ୍ତନ ପ୍ରକ୍ରିୟା ଦ୍ୱାରା ଏସଏଚଜି ସ୍ତରରେ ୧୨,୪୨,୯୪୦ ଜଣ ନୂତନ ପଦାଧିକାରୀ, ଆଞ୍ଚଳିକ ମଞ୍ଚ ସ୍ତରରେ ୧୧,୫୮,୦୦୦ ଜଣ ଏକଜିକ୍ୟୁଟିଭ୍ କମିଟିର ସଦସ୍ୟା ସହିତ ସର୍ବମୋଟ ୩୫ ଲକ୍ଷରୁ ଊର୍ଦ୍ଧ୍ୱ ମହିଳା ସଦସ୍ୟା ନୂତନ ଭାବରେ ବିଭିନ୍ନ ସ୍ତରରେ ଭିନ୍ନ ଭିନ୍ନ ପଦପଦବୀରେ ରହି ନେତୃତ୍ୱ ନେଇପାରିବେ । ବର୍ତମାନର ନିଷ୍ପତି ଅନୁସାରେ ପ୍ରତି ତିନି ବର୍ଷରେ ଥରେ ଏହି ନେତୃତ୍ୱ ପରିବର୍ତନ କାର୍ଯ୍ୟକ୍ରମ ଆଗକୁ ଚାଲୁ ରହିବ ଓ କୌଣସି ସଦସ୍ୟ କ୍ରମାଗତ ଭାବେ ଦୁଇ ଥରରୁ ଅଧିକ ରହିପାରିବେ ନାହିଁ । ବର୍ତମାନ ଏହି ପ୍ରକ୍ରିୟା ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳ ମାନଙ୍କର ତତ୍ତ୍ୱାବଧାନରେ ଆରମ୍ଭ ହେଇ ସାରିଛି । ଆସନ୍ତା ଏକ ମାସ ମଧ୍ୟରେ ସମସ୍ତ ଏସଏଚଜି ମାନଙ୍କରେ ନେତୃତ୍ୱ ପରିବର୍ତନ କାର୍ଯ୍ୟ କାର୍ଯ୍ୟକ୍ରମ ସାରିବାକୁ ନିଷ୍ପତି ନିଆଯାଇଛି । କ୍ରମାନ୍ୱୟରେ ଦ୍ୱିତୀୟ ଓ ତୃତୀୟ ମାସରେ ଯଥାକ୍ରମେ ଆଞ୍ଚଳିକ ମଞ୍ଚ ଓ ଗ୍ରାମ ପଞ୍ଚାୟତସ୍ତରୀୟ ସଂଘ ଏବଂ ଚତୁର୍ଥ ମାସରେ ବ୍ଲକସ୍ତରୀୟ ମହାସଂଘ ଓ ଜିଲ୍ଲାସ୍ତରୀୟ ମହାସଂଘରେ ଏହି କାର୍ଯ୍ୟକ୍ରମ ଶେଷ କରାଯିବାକୁ ଲକ୍ଷ୍ୟ ରଖା ଯାଇଛି । ଆଜି ପର୍ଯ୍ୟନ୍ତ ୩୦ ହଜାରରୁ ଊର୍ଦ୍ଧ୍ୱ ଏସ.ଏଚ.ଜି ରେ ଏହି ପ୍ରକ୍ରିୟା ସଂପୂର୍ଣ୍ଣ ହେଇସାରିଛି । ସୂଚନାଯୋଗ୍ୟ ରାଜ୍ୟରେ ମହିଳାମାନଙ୍କର ସାମାଜିକ ଓ ଅର୍ଥନୈତିକର ସାମଗ୍ରିକ ବିକାଶ ଧାରାକୁ ତ୍ୱରାନ୍ୱିତ କରିବା ପାଇଁ ମିଶନ ଶକ୍ତି ବିଭାଗ ଓ କେନ୍ଦ୍ରସରକାରଙ୍କର ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧିନସ୍ଥ ଓଡିଶା ଜୀବିକା ମିଶନ ଦ୍ୱାରା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସୁପରିଚାଳନା ପାଇଁ ତୃଣମୂଳ ସ୍ତରରୁ ରାଜ୍ୟ ପର୍ଯ୍ୟନ୍ତ ମହିଳାମାନଙ୍କ ବିଭିନ୍ନ ଗୋଷ୍ଠୀଭିତ୍ତିକ ଅନୁଷ୍ଠାନ ଯଥା: ଏସ.ଏଚ.ଜି., ଆଞ୍ଚଳିକ ମଞ୍ଚ, ଗ୍ରାମ ପଞ୍ଚାୟତସ୍ତରୀୟ ସଂଘ, ବ୍ଲକସ୍ତରୀୟ ମହାସଂଘ ଓ ଜିଲ୍ଲାସ୍ତରୀୟ ମହାସଂଘ ଆଦି ଗଠନ କରାଯାଇଅଛି । ଏହି ସବୁ ଗୋଷ୍ଠୀଭିତ୍ତିକ ଅନୁଷ୍ଠାନ ଗୁଡିକର ସୁପରିଚାଳନା ପାଇଁ ଏସଏଚଜି ସ୍ତରରେ ସଭାନେତ୍ରୀ ଓ ସମ୍ପାଦିକା, ଆଞ୍ଚଳିକ ମଞ୍ଚ ଓ ଗ୍ରାମ ପଞ୍ଚାୟତସ୍ତରୀୟ ସଂଘ , ବ୍ଲକସ୍ତରୀୟ ମହାସଂଘ ଓ ଜିଲ୍ଲାସ୍ତରୀୟ ମହାସଂଘରେ ଇ.ସି. ବା ଏଜୁକୁଟିଭ କମିଟିର ସଦସ୍ୟା ଏବଂ ଅଫିସ ବିଅରର ଓ ବିଭିନ୍ନ ସବ-କମିଟି ର ସଦସ୍ୟା ମାନଙ୍କୁ ଗଣତାନ୍ତ୍ରିକ ପଦ୍ଧତିରେ ଚୟନ କରାଯାଉଅଛି । ଓଡିଶା ଜୀବିକା ମିଶନର ମିଶନ ନିର୍ଦ୍ଦେଶକଙ୍କ ଚିଠି ସଂଖ୍ୟା ୨୮୧୯/୧୩, ୨୦୧୩ ମସିହାରେ ଜିଲ୍ଲାମାନଙ୍କୁ ପ୍ରେରଣ କରିଥିବା ଜିପିଏଲଏଫ ମାନୁଆଲ୍ ରେ ଜିପିଏଲଏଫରେ ତଥା କେନ୍ଦ୍ରସରକାର ୨୦୧୮ ମସିହାରେ ଏକ ମାଷ୍ଟର ସରକୁଲାର ମାଧ୍ୟମରେ ପ୍ରତ୍ୟେକ ସ୍ତରରେ ପ୍ରତି ସଦସ୍ୟା ମାନଙ୍କର ନେତୃତ୍ୱ ପରିବର୍ତ୍ତନ କଥା ଉଲ୍ଲେଖ ଅଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ବିଭିନ୍ନ ସମୟରେ ଜାରି ନିୟମାବଳୀ ଅନୁଯାୟୀ ଏହି ସଭାନେତ୍ରୀ ଓ ସମ୍ପାଦିକା, ଇ.ସି. ବା ଏଜୁକୁଟିଭ କମିଟିର ସଦସ୍ୟା, ଅଫିସ ବିଅରର, ବିଭିନ୍ନ ସବ-କମିଟିର ସଦସ୍ୟାମାନେ ନିୟମିତ ବ୍ୟବଧାନରେ ପରିବର୍ତ୍ତନ କରାଯିବ ବୋଲି ମିଶନ ଶକ୍ତି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Leave A Reply

Your email address will not be published.