କମିଶନରଙ୍କ ବାସଭବନ କଡ଼ରେ ଆଇ ଲଭ୍ ବ୍ରହ୍ମପୁର’ ଅବହେଳିତସେଗୁଡ଼ିକଭାଙ୍ଗିରୁଜି ନଷ୍ଟ ହୋଇଯାଉଛି

0 92
ବ୍ରହ୍ମପୁର : ବ୍ରହ୍ମପୁର ସହରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବ୍ରହ୍ମପୁର ମହାନଗର ନିଗମ ତରଫରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। କେତେକ ପ୍ରମୁଖ ଛକରେ ଆକର୍ଷଣୀୟ ସେଲ୍‌ଫି ପଏଣ୍ଟ ମଧ୍ଯ ପ୍ରତିଷ୍ଠା କରାଯାଇଥିଲା। ହେଲେ ରକ୍ଷଣାବେକ୍ଷଣ ଅଭାରୁ ସେଗୁଡ଼ିକ ଅବହେଳିତ ଅବସ୍ଥାରେ ପଡ଼ିଛି। ସୌନ୍ଦର୍ଯ୍ୟକରଣ ପାଇଁ ନିର୍ମିତ ପ୍ରକଳ୍ପଗୁଡ଼ିକ ପରିତ୍ୟକ୍ତ ଅବସ୍ଥାକୁ ଚାଲିଯାଇଛି । ଥରେ ନିର୍ମାଣ ପରେ ତାହାର ରକ୍ଷଣାବେକ୍ଷଣ ଦିଗରେ ମହାନଗର ନିଗମ ତରଫରୁ ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଫଳରେ ଅଳ୍ପ କିଛି ଦିନରେ ସେଗୁଡ଼ିକଭାଙ୍ଗିରୁଜି ନଷ୍ଟ ହୋଇଯାଉଛି।ସବ୍‌ରେଳିଷ୍ଟ୍ରି ଛକ ଠାରେ ‘ଆଇ ଲଭ୍ ବ୍ରହ୍ମପୁର’ ନାଁରେ ଏକ ସେଲପି ପଏଣ୍ଟ ନିର୍ମାଣ ହୋଇଛି। ୨୦୧୯ ଜାନୁଆରୀ ୧୪ ତାରିଖରେ ଏହାର ଉଦଘାଟନ ହୋଇଥିଲା।ପ୍ରାୟ ୧୨ଶହ ବର୍ଗଫୁଟ ଅଞ୍ଚଳରେ ୧୪ ଲକ୍ଷ ଟଙ୍କାରେ ମହାନଗର ନିଗମ ତରଫରୁ ଏହାକୁ ନିର୍ମାଣ କରାଯାଇଥିଲା। ଏଠାରେ ବାଘ,ହରିଣ ସହିତ ଅନ୍ୟାନ୍ୟ ପଶୁଙ୍କ ପ୍ରତିକୃତି ରହିଛି। ଏକ ଝରଣା ମଧ୍ୟ ନିର୍ମାଣ କରାଯାଇଥିଲା | ସଂପୂର୍ଣ ଅଞ୍ଚଳର ସୁନ୍ଦରତା ବୃଦ୍ଧି ପାଇଁ ଏଥିରେ ବିଭିନ୍ନ ପ୍ରକାର ସାମଗ୍ରୀ ଲାଗିଛି। ମଝିରେ ‘ଆଇ ଲଭ୍ ବ୍ରହ୍ମପୁର’ ଲେଖାଯାଇଛି। ଉଦଘାଟନ ବେଳେ ଏହା ସହରର ଅନ୍ୟତମ ପ୍ରମୁଖ ଆକର୍ଷଣୀୟ ସ୍ଥାନ ପାଲଟିଥିଲା। ସନ୍ଧ୍ୟା ହେବା କ୍ଷଣିଫଟୋ ଉଠାଇବାକୁ ନାହିଁ ନଥିବା ଭିଡ଼ ହେଉଥିଲା । ରାତିରେ ଅନେକ ପ୍ରକାର ସୌନ୍ଦର୍ଯ୍ୟକରଣ ସହ ଆଲୋକବ୍ୟବସ୍ଥା ମଧ୍ୟ ଥିଲା I ଉଦଘାଟନ ପରେ ପରେ ଏହାର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଥିଲା। କିନ୍ତୁ କାଳକ୍ରମେ ଏହାର ରକ୍ଷଣାବେକ୍ଷଣ ଦିଗରେ ଆଉ ପଦକ୍ଷେପ ଗ୍ରହଣ କରାଗଲାନାହିଁ। ସମ୍ମୁଖରେ ଥିବା ରାସ୍ତାର ଉନ୍ନତିକରଣ ପାଇଁ ଆଖାପାଖ ଅଞ୍ଚଳକୁ ଖୋଳି ଦିଆଗଲା। ସିମେଣ୍ଟ ଧୂଳିରେ ମଇଳା ହୋଇଗଲା ଏହି ସେଲଫି ପଏଣ୍ଟ। ଅନେକ ଦିନ ପର୍ଯ୍ୟନ୍ତ ଏହା ବନ୍ଦ ରହିଲା। ପରେ ଏହାକୁ ସଫାସୁତରା କରାଯାଇଥିଲା। କିନ୍ତୁ ଏବେ ସୌନ୍ଦର୍ଯ୍ୟ ହରାଇଛି ଏହି ସେଲଫି ପଏଣ୍ଟ। ଭିତରେ ଅନେକସାମଗ୍ରୀ ଭାଙ୍ଗିରୁଜି ଗଲାଣି। ଝରଣାରେ ଲାଗିଥିବା ମୋଟର ଖରାପ ହୋଇଯିବା ପରେ ଆଉ ପାଣି ଝରୁ ନାହିଁ । ରାତିରେ ପୂର୍ବରୁ ଲାଗୁଥିବା ସୌନ୍ଦର୍ଯ୍ୟକରଣ ଲାଇଟ୍‌ଗୁଡ଼ିକ ମଧ୍ୟ ଆଉ ଲାଗୁନି। ପଶୁଗୁଡ଼ିକର ମୂର୍ତ୍ତି ଭାଙ୍ଗି ଗଲାଣି। ସେହିଭଳି ଅନ୍ୟାନ୍ୟ ସାମଗ୍ରୀ ଗୁଡି଼କ ମଧ୍ଯ ଭାଙ୍ଗିରୁଜି ଗଳାଣି। ଏହା ସତ୍ତ୍ୱେ ପୁନରୁଦ୍ଧାର ଦିଗରେ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ସୂଚନା ଯୋଗ୍ୟ ଯେ, ମହାନଗର ନିଗମର କମିଶନରଙ୍କ ବାସଭବନ କଡ଼ରେ ରହିଛି ଏହି ସେଲଫି ପଏଣ୍ଟ। କିଛି ମାସ ପୂର୍ବେ ଆଖାପାଖରେ ଆଉ କେତେକ ସେଲପି ପଏଣ୍ଟ ଏବଂ ସୌନ୍ଦର୍ଯ୍ୟକରଣ ଦିଗରେ ପଦକ୍ଷେପ ଗ୍ରହଣ କରାଗଲା । ହେଲେ ପୂର୍ବରୁ ଥିବା ସେଲଫି ପଏଣ୍ଟକୁ ମରାମତି କରାଗଲା ନାହିଁ। ଫଳରେ ବହୁ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ କ୍ରମାଗତ ଭାବେ ଅବହେଳିତ ଅବସ୍ଥାରେ ପଡ଼ି ରହିଛି। ପରିତ୍ୟକ୍ତ ଅବସ୍ଥାକୁ ଚାଲି ଗଲାଣି ‘ଆଇ ଲଭ ବ୍ରହ୍ମପୁର’। ତୁରନ୍ତ ଏହାର ପୁନରୁଦ୍ଧାର ଏବଂ ମରାମତି ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।
Leave A Reply

Your email address will not be published.