ଭୁବନେଶ୍ୱର, : ଓଡ଼ିଶାର ରାଜ୍ୟପାଳ ଭାବେ ଡ଼କ୍ଟର ହରି ବାବୁ କମ୍ଭମ୍ପାଟି ଶପଥ ନେବା ସହିତ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଉପଲକ୍ଷେ ଶୁକ୍ରବାର ପୂର୍ବାହ୍ନ ଘ.୧୦.୧୫ମିନିଟ୍ ସମୟରେ ରାଜଭବନର ନ୍ୟୁ ଅଭିଷେକ ହଲ୍ଠାରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ଚକ୍ରଧାରୀ ଶରଣ ସିଂ ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ଡକ୍ଟର କମ୍ଭମ୍ପାଟିଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ପ୍ରାରମ୍ଭରେ ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ରାଷ୍ଟ୍ରପତିଙ୍କ ସ୍ୱାକ୍ଷରିତ ନିଯୁକ୍ତିପତ୍ର (ୱାରେଣ୍ଟ ଅଫ୍ ଆପଏଣ୍ଟମେଣ୍ଟ) ପାଠ କରିଥିଲେ । ଶପଥ ପାଠ ପରେ ମୁଖ୍ୟ ଶାସନ ସଚିବ ରାଜ୍ୟପାଳଙ୍କ ଅନୁମତି ପ୍ରାପ୍ତ ପରେ ଉତ୍ସବର ପରିସମାପ୍ତି ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମଧ୍ୟ ଏହି ଅବସରରେ ମଞ୍ଚାସୀନ ଥିଲେ ଶପଥ ଗ୍ରହଣ ପରେ ନବ ନିଯୁକ୍ତ ରାଜ୍ୟପାଳଙ୍କ ସମ୍ମାନାର୍ଥେ ରାଜଭବନ ପରିସରରେ ଗାର୍ଡ଼ ଅଫ୍ ଅନର ପୋଲିସ୍ ବାହିନୀ ପକ୍ଷରୁ ପ୍ରଦାନ କରାଯାଇଥିଲା । ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳଙ୍କ ସହଧର୍ମିଣୀ ତଥା ଲେଡ଼ି ଗଭର୍ଣ୍ଣର ଜୟଶ୍ରୀ କମ୍ଭମ୍ପାଟି ଏବଂ ରାଜ୍ୟପାଳଙ୍କ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।