ଏନକାଉଣ୍ଟରରେ ଟଳିଲେ ୩ ନକ୍ସଲ

0 71

ମାଲକାନଗିରି, : ସୀମାନ୍ତରେ ସୁରକ୍ଷା ବାହିନୀ ଓ ନକ୍ସଲମାନଙ୍କ ମଧ୍ୟରେ ଛକାପଞ୍ଝା ଚାଲିଛି । ସୁରକ୍ଷା ବାହିନୀ ଡାଳେଡାଳେ ଗଲେ ନକ୍ସଲମାନେ ପତ୍ରେପତ୍ରେ ଯାଉଛନ୍ତି । ସାଧାରଣ ସଂପତି ନଷ୍ଟ କରିବା ଓ ସୁରକ୍ଷା ବାହିନୀକୁ ଟାର୍ଗେଟ କରିବା ପାଇଁ ନକ୍ସଲମାନେ ନୂଆନୂଆ ଚିନ୍ତା କରୁଛନ୍ତି । ତେବେ ନକ୍ସଲଙ୍କ ଯୋଜନା ଭଣ୍ଡୁର କରିବା ପାଇଁ ସୁରକ୍ଷା ବାହିନୀ ମଧ୍ୟ ନିଜର ସମସ୍ତ ଉଦ୍ୟମକୁ ଲଗାଇଛନ୍ତି । ଛତିଶଗଡ଼ର ବିଜାପୁର ଜିଲ୍ଲା କୁଟୁର ଥାନା ଅନ୍ତର୍ଗତ କାମ୍ବେଲି ଗାଁ ନିକଟରେ ଗତ ୬ ତାରିଖ ଦିନ ନକ୍ସଲଙ୍କ ବର୍ବର କାଣ୍ଡର ପ୍ରତିଶୋଧ ନେଇଛନ୍ତି ସୁରକ୍ଷା ବାହିନୀ । ବିଜାପୁରର ମାଡେୟାର ପୋଲିସ ଷ୍ଟେସନ ଅନ୍ତର୍ଗତ ବାନ୍ଦେପାରା ଏବଂ କୋରାନଜେଡ ଜଙ୍ଗଲରେ ସୁରକ୍ଷା ବାହିନୀର ଯବାନମାନେ ରବିବାର୩ ଜଣ ନକ୍ସଲଙ୍କୁ ନିପାତ କରିଛନ୍ତି । ଅପରେସନ ଜାରି ଥିବା ବେଳେ ନକ୍ସଲମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଛନ୍ତି । ବାନ୍ଦେପାରା-କୋରାନଜେଦ୍ ଜଙ୍ଗଲରେ ନକ୍ସଲମାନଙ୍କ ଗତିବିଧି ନେଇ ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା । ଏହି ଆଧାରରେ ସୁରକ୍ଷା ବାହିନୀର ଯବାନମାନେ ସର୍ଚ୍ଚ ଅପେରେସନରେ ବାହାରିଥିବା ବେଳେ ରବିବାର ସକାଳେ ଜଙ୍ଗଲରେ ପହଞ୍ଚିବା ମାତ୍ରେ ନକ୍ସଲମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ । ଯବାନମାନେ ମଧ୍ୟ ଆଗକୁ ଯାଇ ନକ୍ସଲମାନଙ୍କ ଗୁଳିର ଜବାବ ଦେଇଥିଲେ । ଏଥିରେ ମୁକାବିଲା କରି ନପାରି ୩ଜଣ ନକ୍ସଲ ଟଳି ପଡ଼ିଥିଲେ । ହତ୍ୟା କରାଯାଇଥିବା ନକ୍ସଲମାନଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.